ମାଲକାନଗିରି: ଦୁର୍ଦ୍ଦାନ୍ତ ନକ୍ସଲ ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମାକୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଜୋର୍ଦାର ଉଦ୍ୟମ ଆରମ୍ଭ ହୋଇଛି। ୪ ରାଜ୍ୟର ପୁଲିସ ହିଡ଼ମାକୁ ଘେରି ରହିଥିବାରୁ ତୁରନ୍ତ ଆତ୍ମସମର୍ପଣ ଲାଗି ପ୍ରସ୍ତାବ ଦେଇଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ମାଓ ପ୍ରବଣ ପୂବର୍ତ୍ତୀ ଗାଁରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ହିଡ଼ମାଙ୍କ ମା’ଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି, ହିଡ଼ମା ପାଇଁ ସମୟ ସରି ଆସୁଛି। ଯଦି ସେ ଫେରିବାକୁ ଚାହାଁନ୍ତି ତେବେ ସରକାର ତାଙ୍କ ଆତ୍ମସମର୍ପଣ ପାଇଁ ପ୍ରତ୍ୟେକ ରାସ୍ତା ଖୋଲିଦେବେ। ହିଂସାର ଆଉ କୌଣସି ସ୍ଥାନ ନାହିଁ। ପୁଅ ତୁମର ଫେରି ଆସିବା ଉଚିତ।
ଛତିଶଗଡ଼କୁ ମାଓ ମୁକ୍ତ କରିବା ପାଇଁ ପୁଲିସ, ପ୍ରଶାସନ ପକ୍ଷରୁ ମାଓ ଦମନ ଅଭିଯାନ ଜୋର୍ଦାର କରାଯାଇଛି। ପୁଲିସର ଘନ ଘନ ଏନ୍କାଉଣ୍ଟରରେ ଭୟଭୀତ ହୋଇ ଅନେକ ମାଓ ନେତା ଆତ୍ମସର୍ମପଣ କଲେଣି। ବହୁ ଆଗଧାଡ଼ିର ନେତାଙ୍କ ମୃତ୍ୟୁ ମଧ୍ୟ ହୋଇଛି। କମ ସଂଖ୍ୟକ ଟପ କ୍ୟାଡର ମାଓ ନେତା ଏବେ ସଂଗଠନରେ ଥିବା ବେଳେ ସେଥି ମଧ୍ୟରେ ରହିଛନ୍ତି ହିଡ଼ମା। ଦଶନ୍ଧି ଦଶନ୍ଧି ଧରି ହିଡ଼ମା ଛତିଶଗଡ଼ରେ ମାଓ ସଂଗଠନର ନେତୃତ୍ବ ନେଇଛି। ହିଡ଼ମାଙ୍କ ଘରେ ଶ୍ରୀ ଶର୍ମା ସମୟ ବିତାଇବା ସହ ଭୋଜନ ମଧ୍ୟ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି, ସରକାର ବସ୍ତରରେ ଶାନ୍ତି ଚାହୁଛନ୍ତି। ଏହାକୁ ହାସଲ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି, ହିଡ଼ମାଙ୍କ ଆତ୍ମସମର୍ପଣ ପାଇଁ ଆମେ ତାଙ୍କ ମାଆଙ୍କୁ ଅନୁରୋଧ କରିଛୁ। ପୁଅକୁ ବନ୍ଧୁକ ନୁହେଁ, ବିକାଶର ପଥ ବାଛିବାକୁ ରାଜି କରାଇବା ଲାଗି ପ୍ରସ୍ତାବ ଦେଇଛୁ। ଶ୍ରୀ ଶର୍ମାଙ୍କ ପ୍ରସ୍ତାବ ଅନୁଯାୟୀ ହିଡ଼ମାଙ୍କ ମାଆ ଗଣମାଧ୍ୟମ ଜରିଆରେ ବନ୍ଧୁକ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ହିଡ଼ମାକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ହିଡ଼ମା ଦକ୍ଷିଣ ଓ ପଶ୍ଚିମ ବସ୍ତର ନକ୍ସଲ ସାମରିକ (ପିଏଲ୍ଜିଏ) ବାଟାଲିୟନର କମାଣ୍ଡର ଭାବେ କାମ କରୁଛି। ପିଏଲ୍ଜିଏର ଶୀର୍ଷ ନେତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ୨୦୧୦ରେ ତଡ଼ମେଟଲା ଆକ୍ରମଣ, ୨୦୧୭ରେ ବୁର୍କାପାଲ ଆକ୍ରମଣ ଏବଂ ୨୦୨୩ରେ ଆରନପୁର ଆଇଇଡି ବିସ୍ଫୋରଣ ଭଳି ଅନେକ ବଡ଼ ନକ୍ସଲ ଘଟଣାରେ ହିଡ଼ମା ଜଡିତ। ବିଭିନ୍ନ ରାଜ୍ୟ ପୁଲିସ ହିଡ଼ମା ଉପରେ ଅଢ଼େଇ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/untitled-20-2025-11-11-07-57-12.jpg)