ବାଲିଆପାଳ/ଭୋଗରାଇ/ଚନ୍ଦନେଶ୍ବ: ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା ଯୋଗୁଁ ଉତ୍ତର ବାଲେଶ୍ବରର ଭୋଗରାଇ, ଜଳେଶ୍ବର, ବସ୍ତା ଓ ବାଲିଆପାଳ ବ୍ଲକ୍‌ ଅଧିକ ପ୍ରଭାବିତ ହୋଇଛି। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବନ୍ୟାଞ୍ଚଳ ବୁଲିବା ସହ ସ୍ଥିତି ସମୀକ୍ଷା କରିଛନ୍ତି।

Advertisment

ଉପମୁଖ୍ୟମନ୍ତ୍ରୀ ଆଜି ଆକାଶମାର୍ଗରୁ ବନ୍ୟା ସ୍ଥିତି ପରଖିଥିଲେ। ଦିନ ପ୍ରାୟ ୧୧ଟା ବେଳେ ଭୋଗରାଇ ବ୍ଲକ୍‌ ହୁଗୁଳି ପଞ୍ଚାୟତ ବିନ୍ଧାପଦ୍ମପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ସେଠାରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ବୋଟ୍‌ରେ ଭୋଗରାଇର ଲକ୍‌ଠାରୁ କୁମ୍ଭୀରଗଡ଼ି ପଞ୍ଚାୟତର ବାଉଁଶଖଣା ପ୍ରାଥମିକ ବିଦ୍ୟାଳୟ ଯାଏଁ ଯାଇଥିଲେ। ବନ୍ୟା ବିପନ୍ନଙ୍କ ସହ ଆଲୋଚନା ପରେ ସଡ଼କପଥରେ ବାଲିଆପାଳ ବ୍ଲକ୍‌ର ମଧୁପୁରା, ଜାମକୁଣ୍ଡା, ଚୌଧୁରୀକୁଦ ବନ୍ୟାଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଭୋଗରାଇ ବ୍ଲକ୍‌ ତାଳସାରୀ ପାନ୍ଥନିବାସରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ବନ୍ୟା ବିପନ୍ନଙ୍କୁ ୭ ଦିନ ରିଲିଫ୍‌ ପ୍ରଦାନ, ପର୍ଯ୍ୟାପ୍ତ ପାନୀୟଜଳ, ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ ବନ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ବାରୋପ କରିଥିଲେ। ବନ୍ୟାରେ ମୃତ ୩ ଜଣଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଏବଂ ବନ୍ୟା ସ୍ଥିତି ସୁଧୁରିଲେ ସର୍ଭେ ଆଧାରରେ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବସ୍ତା ବିଧାୟିକା ସୁବାସିନୀ ଜେନା, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଏସ୍‌ପି ରାଜପ୍ରସାଦ, ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।