ଭୁବନେଶ୍ୱର: ଗ୍ରିଡ୍କୋର ସମସ୍ତ ପ୍ରକଳ୍ପର କାର୍ଯ୍ୟକୁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି। ରାଜ୍ୟର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସବୁଜ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଓଡ଼ିଶା ଅଗ୍ରସର ହେଉଛି ବୋଲି ସେ କହିଥିଲେ। ଗ୍ରିଡ୍କୋ ଦ୍ୱାରା ସମୁଦାୟ ୧୦ ହଜାର ୯୬୦ ମେଗାୱାଟ୍ର ପ୍ରକଳ୍ପ କାର୍ଯ୍ୟ କରାଯାଉଛି। ସେଥିରେ ୭୫୦୦ ମେଗାୱାଟ ସୋଲାର୍ ପ୍ରକଳ୍ପ, ୨୦୦୦ ମେଗାୱାଟ ପବନଶକ୍ତି ପ୍ରକଳ୍ପ, ୧୨୦୦ ମେଗାୱାଟ ପମ୍ପ୍ଡ୍ ଷ୍ଟୋରେଜ୍ ପ୍ରକଳ୍ପ ଓ ଅନ୍ୟାନ୍ୟ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଅନ୍ତର୍ଭୁକ୍ତ। ପ୍ରକଳ୍ପଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଳମ୍ବର କାରଣଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅନୁଧ୍ୟାନ କରିଛନ୍ତି।
ବିଭାଗୀୟ ଅଧିକାରୀଙ୍କ ସହିତ କଥା ହୋଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବରୁ କରାଯାଇଥିବା ସମୀକ୍ଷା ବିଶେଷ କରି ପ୍ରକଳ୍ପର କାର୍ଯ୍ୟକାରିତାରେ ବିଳମ୍ବର କାରଣ ଯଥା ପରିବେଶଗତ ମଞ୍ଜୁରି ଆଦି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଗ୍ରିଡ୍କୋ ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ, ବିତ୍ତ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଦେବୀଦତ୍ତ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ନିବେଦିତା ମିଶ୍ରଙ୍କ ସମେତ ଗ୍ରିଡ୍କୋ, ଓରେଡ଼ା, ଶକ୍ତି ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।