ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଦେଇଥିବା ବୟାନ କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥ ବିରୋଧୀ ବୋଲି ବିଜେଡି କହିଛି। ଏହାସହ କହିଛି ଯେ ପ୍ରାୟ ୧୫ଲକ୍ଷ ଲୋକ କେନ୍ଦୁପତ୍ର ତୋଳୁଥିବାବେଳେ ଏଥିରୁ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସେ ଏହି ଘଟଣାରେ ହସ୍ତକ୍ଷେପ କରି ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ।

Advertisment

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁପତ୍ର ୱେଲଫେୟାର ବୋର୍ଡର ପୂର୍ବତନ ଉପଦେଷ୍ଟା ତଥା ବିଜେଡି ନେତା ସଞ୍ଜିତ ମହାନ୍ତି କହିଛନ୍ତି ଯେ ଉପ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରୁ ପ୍ରତୀୟମାନ ହେଉଛି ଯେ ସେ ଓଡ଼ିଶାର ଅଗଣିତ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ଅନ୍ୟ ରାଜ୍ୟଙ୍କ ସହ ସ୍ୱର ମିଳେଇବାକୁ ବେଶୀ ପସନ୍ଦ କରୁଛନ୍ତି। ଶ୍ରୀ ସିଂହଦେଓଙ୍କ ଭାଷାରେ ଯଦି କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେବେ ବିଜେପି କାହିଁକି ୨୦୧୯ ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିଲେ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା? ଯଦି ଜିଏସ୍‌ଟି ଉଚ୍ଛେଦ ହେଲେ ବିଡି କମ୍ପାନିଙ୍କୁ ସୁହାଇବ ତେବେ ୨୦୧୯ ନିର୍ବାଚନରେ ବିଜେପିର କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ପ୍ରତିଶ୍ରୁତି କ’ଣ ବିଡି ତିଆରି କମ୍ପାନିଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା କି? ପ୍ରତିଶ୍ରୁତି ଦେଇ ପାଳନ ନକରିବା ବିଜେପିର ପୁରୁଣା ଅଭ୍ୟାସ, କିନ୍ତୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ୧୫ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିବାର ଆବଶ୍ୟକତା ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

କେନ୍ଦୁପତ୍ର ବ୍ୟବସାୟର ହିସାବ ଦେଇ ସେ କହିଛନ୍ତି ଯେ କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି ଲାଗୁ ହେବା ପରେ, କେନ୍ଦୁପତ୍ର କିଣୁଥିବା ବ୍ୟବସାୟୀମାନେ ଟିକସ ମୂଲ୍ୟକୁ ମିଶାଇ କେନ୍ଦୁପତ୍ର ମୂଲ୍ୟ ପ୍ରଦାନ କରୁଛନ୍ତି। କେନ୍ଦୁପତ୍ର ଉପରେ ଜିଏସ୍‌ଟି ଲାଗିବା ପୂର୍ବରୁ ରାଜ୍ୟରେ କେନ୍ଦୁପତ୍ର ବ୍ୟବସାୟ ପ୍ରାୟ ୭୦୦କୋଟି ଟଙ୍କାର ହେଉଥିବାବେଳେ ଏବେ ଏହା ୫୪୦କୋଟିକୁ ଖସି ଆସିଛି। ୨୦୧୬-୧୭ ମସିହାରେ, କେନ୍ଦୁପତ୍ର ତୋଳାଳିଙ୍କୁ ଶହେ ପ୍ରତିଶତ ବୋନସ୍‌ ଦିଆଯାଉଥିବାବେଳେ ଜିଏସ୍‌ଟି ଲାଗୁ ହେବା ପରେ ଲାଭର ପରିମାଣ କମ୍‌ ହେବାରୁ ଏହା ୫୦%କୁ ଖସି ଆସିଛି।