ଭୁବନେଶ୍ବର: ଓଡ଼ିଆ ଅଧିକାରୀ ଶିରୀଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛି। ଏହି ପଦରେ ସେ ତିନି ବର୍ଷ କାର୍ଯ୍ୟ କରିବେ। ବର୍ତ୍ତମାନ ସେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଅକ୍ଟୋବର ୮ରେ ଡେପୁଟି ଗଭର୍ଣ୍ଣର ଏମ୍ ରାଜେଶ୍ବର ରାଓ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଶ୍ରୀ ମୁର୍ମୁ କାର୍ଯ୍ୟ କରିବେ। ଶିରୀଷଙ୍କ ଘର ହେଉଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ। ସେ ହେଉଛନ୍ତି ପୂର୍ବତନ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଭାଇ।
ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ: ମୁଖ୍ୟମନ୍ତ୍ରୀ
ଶ୍ରୀ ମୁର୍ମୁଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ପ୍ରକଟ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ସେ ଅଭିହିତ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲେଖିଛନ୍ତି ଯେ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ପଦରେ ଜଣେ ଓଡ଼ିଆଙ୍କୁ ଅବସ୍ଥାପିତ କରାଯିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ତାଙ୍କ ଅଭିଜ୍ଞତା ଓ ପ୍ରଦର୍ଶନ ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ତାଙ୍କର ବିଶ୍ବାସ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।