କରୋନାରେ ନେସ୍କୋ ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜରଙ୍କ ପରଲୋକ

ବିଦ୍ୟୁତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ସଙ୍ଘର ଦାବି

ବାରିପଦା ଟାଉନ : କରୋନା ମହାମାରୀ ସମୟରେ କାର୍ଯ୍ୟରତ ଥିବା ନେସ୍କୋ ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର ଶରତ ଚନ୍ଦ୍ର ଧଳ(୫୮) ଙ୍କ ପରଲୋକ ଘଟିଛି । କିଛି ଦିନ ପୂର୍ବେ ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ବାଙ୍କିଶୋଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସାଧିନ ଥିବା ସମୟରେ ମୃତ୍ୟବରଣ କରିଛନ୍ତି । ତେବେ ତାଙ୍କର ଏହି ଅକାଳ ବିୟୋଗରେ ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛିି ।

ପୂର୍ବରୁ ନେସ୍କୋ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିବା ବାରିପଦାର କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ସାହୁଙ୍କ କରୋନା ଜନିତ ମୃତ୍ୟ ଘଟିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୭୦ରୁ ଉର୍ଦ୍ଧ୍ୱ ବିଦ୍ୟୁତ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ କରୋନାରେ ଆକ୍ରାନ୍ତ ହେଲେଣି । କିନ୍ତୁ ବିଦ୍ୟୁତ ସଂସ୍ଥା ପକ୍ଷରୁ କରୋନାରୁ ସୁରକ୍ଷା ପାଇଁ କୌଣଷି ଉପକରଣ ମାନ ପ୍ରଦାନ କରାଯାଇନାହିଁ । ଯାହା ଫଳରେ ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ବାରମ୍ବାର ଦାବୀ କରିବା ସତ୍ୱେ କୌଣସି ସୁଫଳ ନମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଉଛି ।

ବିଦ୍ୟୁତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରିବା ପାଇଁ ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନର ସହ ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ଦାବୀ କରିଛନ୍ତି । ତେବେ ଦିବଂଗତଙ୍କ ଉଦ୍ଦେଶ୍ୟରେ ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନ ପକ୍ଷରୁ ୨ମିନିଟ ନୀରବ ପାର୍ଥନା କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକ, ଜିଲ୍ଲା ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜ୍ୟୋତିକୃଷ୍ଣ ବେହେରା, ମାନସ ରଞ୍ଜନ ଶୁକ୍ଳା, କରୁଣାକର ପତି, ଚନ୍ଦନ ମହାନ୍ତି ପ୍ରମୁଖ ଶ୍ରୀ ଧଳଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର