ପୌର ଉପାଧ୍ୟକ୍ଷ ନିର୍ବାଚନ ଆଜି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ପୌରସଂସ୍ଥାର ଉପାଧ୍ୟକ୍ଷ ପଦବି ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିସହ ୩ ମହାନଗର ନିଗମର ଡେପୁଟି ମେୟର ପଦବି ପାଇଁ ମଧ୍ୟ ଗୁରୁବାରଠାରୁ ନିର୍ବାଚନ କରାଯିବ। ପୌରସଂସ୍ଥାର ଉପାଧ୍ୟକ୍ଷ ପଦବି ପାଇଁ ଏପ୍ରିଲ ୭ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନପତ୍ର ଯାଞ୍ଚ, ଦିନ ୧ଟା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର, ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ଭୋଟ୍ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ ହେବ। ମତଦାନ ପରେପରେ ଭୋଟ୍‌ ଗଣତି ‌କରି ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ସେହିପରି ତିନିଟି ମହାନଗର ନିଗମର ଡେପୁଟି ମେୟର ପଦବି ପାଇଁ ଏପ୍ରିଲ ୭, ୮ ଓ ୯ରେ ନିର୍ବାଚନ ଅନୁଷ୍ଠିତ ହେବ। କଟକ ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ୭ରେ, ବ୍ରହ୍ମପୁର ମହାନଗରରେ ୮ରେ ଓ ଭୁବନେଶ୍ବର ମହାନଗର ନିଗମରେ ଏପ୍ରିଲ ୯ରେ ନିର୍ବାଚନ କରାଯିବ। ରାଜ୍ୟ ପୌର ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୌରସଂସ୍ଥାର ଉପାଧ୍ୟକ୍ଷ ପାଇଁ ଯେଉଁ ସମୟ ସୂଚୀ ଧାର୍ଯ୍ୟ ହୋଇଛି ସେହି ଅନୁଯାୟୀ ଡେପୁଟି ମେୟର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମ ଡେପୁଟି ମେୟର ପଦବି ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ। ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ/ଡେପୁଟି ମେୟର ନିର୍ବାଚନରେ ଭୋଟ୍‌ ଦେଇ ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ୍‌ ବାକ୍ସରେ ପକାଇବେ।

ସୂଚନାଯୋଗ୍ୟ ଯେ, ପୌର ସଂସ୍ଥାର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବି ପାଇଁ ଏଥର ହେବାକୁ ଥିବା ପରୋକ୍ଷ ନିର୍ବାଚନ ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। କେଉଁ ରାଜନୈତିକ ଦଳର କିଏ ଏଜେଣ୍ଟ ହେବେ ସେନେଇ ରାଜନୈତିକ ଦଳର ସଭାପତି, ସାଧାରଣ ସମ୍ପାଦକ ଲିଖିତ ଭାବେ ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ।

ସମ୍ବନ୍ଧିତ ଖବର