ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଲରମ୍ଭା ଫରେଷ୍ଟ ବିଟ୍ରେ ବନୀକରଣ ଦୁର୍ନୀତି ସାମ୍ନାକୁ ଆସିଛି। ଅଭିଯୋଗ ପାଇବା ପରେ ନିଜେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବନ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଅଭିଯୋଗରେ ସତ୍ୟତା ଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାରେ ଫରେଷ୍ଟର ସତ୍ୟବ୍ରତ ନାଏକଙ୍କୁ ରବିବାର ନିଲମ୍ବନ କରାଯାଇଛି।
ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଲରମ୍ଭା ବିଟ୍ ଅନ୍ତର୍ଗତ ୪ଟି ଡଙ୍ଗରରେ ବୃକ୍ଷରୋପଣ ପାଇଁ ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା ବନ ବିଭାଗ। ତେବେ ଉକ୍ତ ଡଙ୍ଗରଗୁଡ଼ିକରେ କମ୍ ଗଛ ଲଗାଇ ଅଧିକ ଦର୍ଶାଯିବା ସହ ବିଲ୍ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ଉପମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀ ସିଂହଦେଓ ଅବଗତ ହେବା ପରେ ପାଟଣାଗଡ଼ ରେଞ୍ଜର ଓ ଲରମ୍ଭା ଫରେଷ୍ଟରଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ବୁଢ଼ାରଜା ଡଙ୍ଗରରେ ଗଛ ଲଗାଯାଇଥିବା ନେଇ ଫରେଷ୍ଟର ତାଙ୍କୁ କହିଥିଲେ। ପରେ ଘଟଣାସ୍ଥଳରେ ତଦନ୍ତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବଲାଙ୍ଗୀର ଡିଏଫ୍ଓଙ୍କୁ ଡକାଇ ରେଞ୍ଜର, ଫରେଷ୍ଟର ଓ ବନ ବିଭାଗର କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳ ଅଭିମୁଖେ ଯାଇଥିଲେ।
ଉପରୋକ୍ତ ଅଧିକାରୀମାନଙ୍କ ସହ ଶ୍ରୀ ସିଂହଦେଓ ଦମକିପାଲି, ଠେଲକୋଛାପର ଓ ଲାହୋରଜୁରୀ ଅଞ୍ଚଳର ପାହାଡ଼ ତଥା ଜଙ୍ଗଲରେ ବୁଲି ତଦନ୍ତ କରିଥିଲେ। ଘଟଣାସ୍ଥଳ ବୁଲି ଦେଖିବା ପରେ ଶ୍ରୀ ସିଂହଦେଓ ବିରକ୍ତି ପ୍ରକାଶ କରିଥିଲେ। ସେଠାରୁ ଫେରି ଲରମ୍ଭା ଫରେଷ୍ଟ ଅଫିସରେ କାଗଜପତ୍ର ଅନୁଧ୍ୟାନ କରିଥିଲେ। ଗଛ ଲଗାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହେବା ପରେ ଫରେଷ୍ଟର ଶ୍ରୀ ନାଏକଙ୍କୁ ନିଲମ୍ବନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2024/06/kanakvardhan.jpg)