ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଡିଭିଜନ୍ର ଡେପୁଟି ରେଞ୍ଜର ନୃତ୍ୟରାଜ ମାଝୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ଶ୍ରୀ ମାଝୀ ଉତ୍ତର ବନଖଣ୍ଡ ମୋବାଇଲ ପାର୍ଟିରେ ସେ କାର୍ଯ୍ୟ କରୁଛନ୍ତି। ବେଆଇନ ଭାବେ ଟଙ୍କା ସଂଗ୍ରହ କରୁଥିବାନେଇ ତାଙ୍କ ବିରୋଧରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଥିଲା। ଗୁରୁବାର ଅପରାହ୍ନରେ ଭିଜିଲାନ୍ସ ବିଭାଗ କର୍ମଚାରୀ ଲକ୍ଷ୍ମୀପୁର ନିକଟରେ ଛକି ରହିଥିଲେ। କାମ ସାରି ଡେପୁଟି ରେଞ୍ଜର ଶ୍ରୀ ମାଝୀ ନିଜ ଗାଁ ଲକ୍ଷ୍ମୀପୁରକୁ ବାଇକ୍ (ଓଆର୦୩ଏ-୦୯୫୫) ରେ ଫେରୁଥିଲେ। ବାଟରେ ତାଙ୍କୁ ଯାଞ୍ଚ୍ କରାଯାଇ ଟଙ୍କା ଜବତ କରାଯାଇଛି। ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ମାଝୀଙ୍କ ଲକ୍ଷ୍ମୀପୁରଠାରେ ଥିବା ଇଟାଭାଟି ଓ ବାସଭବନରେ ଚଢ଼ଉ ଜାରି ରହିଛି। ବାଇକ୍ ଓ ଟଙ୍କା ଜବତ କରିବା ସହିତ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।