ମହିଳା କର୍ମଚାରୀଙ୍କ ପାଇଁ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଜବ ନିୟମ ପ୍ରସଙ୍ଗ : ମହିଳା କର୍ମଚାରୀଙ୍କ ସହ ଆଲୋଚନା କଲେ ଉପଶାସନ ସଚିବ

ଭୁବନେଶ୍ବର : ସନ୍ଧ୍ୟା ସାଢ଼େ ୫ଟା ପରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି ମହିଳା କର୍ମଚାରୀ ରହିବେନି। ଏ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧୀକ୍ଷଣ ଯନ୍ତ୍ରୀ (ଡିଜାଇନ୍‌ ଓ ପ୍ଲାନିଂ) ଗୌତମ ପାଲ୍‌ ଜାରି କରିଥିବା ନିର୍ଦେଶନାମା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାରୀ ସ୍ତରରେ ତନାଘନା ଆରମ୍ଭ ହୋଇଛି। ଆଜି ପୂର୍ତ୍ତ ବିଭାଗ ଉପଶାସନ ସଚିବ ପାରୁଲ୍‌ ପଟ୍ଟୱାରୀ ନିର୍ମାଣ ସୌଧ ଗସ୍ତ କରି ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। କେଉଁ ପରିସ୍ଥିତିରେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପାଲ୍‌ ଏପରି ନିର୍ଦ୍ଦେଶନାମା ଜାରି କଲେ। ଏହାର ଆଧାର କଣ ଥିଲା। ବାସ୍ତବରେ ମହିଳା କର୍ମଚାରୀମାନେ ଅଫିସ ଯିବା ଆସିବା ନେଇ କଣ ଅସୁବିଧା ରହିଛି, ଏ ସମସ୍ତ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଖୁବଶୀଘ୍ର ଏ ନେଇ ସେ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ।

ସୂଚନାଯୋଗ୍ୟ, ଗତ ବୁଧବାର ଶ୍ରୀ ପାଲ୍‌ ଏକ ନିର୍ଦ୍ଦେଶନାମା ଜାରି କରି କହିଥିଲେ, ବିଶେଷ କାମ ନଥିଲେ ତାଙ୍କ ଅଫିସରେ ସନ୍ଧ୍ୟା ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ ରହିବେ ନାହିଁ। ମହିଳା କର୍ମଚାରୀମାନେ ଠିକ୍‌ ପୂର୍ବାହ୍ନ ୧୦ଟାରେ ଅଫିସ ଆସିବେ ଓ ସନ୍ଧ୍ୟା ସାଢ଼ ୫ଟାରେ ଘରକୁ ଫେରିଯିବେ। ଯିଏ ତାଙ୍କୁ ଅଫିସରେ ରଖିବେ, ସେଥିପାଇଁ ପର୍ଯ୍ୟାପ୍ତ କାରଣ ଦର୍ଶାଇବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଅଧୀକ୍ଷଣ ଯନ୍ତ୍ରୀ ଏପରି ନିର୍ଦ୍ଦେଶନାମା ଜାରି କରିଥିଲେ ବି ସର୍ବୋଚ୍ଚ ଯନ୍ତ୍ରୀ ଅନିଲ ତ୍ରିପାଠୀ ଏ ସମ୍ପର୍କରେ ଅବଗତ ନଥିଲେ। ତେବେ ଏହି ଘଟଣାକୁ ନେଇ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ୭ ଦିନ ଭିତରେ ଉତ୍ତର ରଖିବାକୁ ନିିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର