ଅନୁଗୁଳ : ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସାଢେ ୪ କୋଟି ଲୋକଙ୍କର ଠାକୁର ବୋଲି କହିଛନ୍ତି ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ। ଶନିବାର ଦିନ ଅନୁଗୁଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଅବସରରେ ସ୍ବାଗତ ଭାଷଣ ଦେଇ ଶ୍ରୀ ସିଂହ ଏମିତି ବୟାନ ଦେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହାକୁ ବିରୋଧୀ ସମାଲୋଚନା କରିଥିଲା ବେଳେ ଜିଅନ୍ତା ଲୋକଙ୍କୁ ଠାକୁର ବୋଲି କହିବା ଆମ ଦେବଦେବୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି।

Advertisment

ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟାଡିୟମ୍‌ରେ ସଭା କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଉପବାଚସ୍ପତି ରଜନୀକାନ୍ତ ସିଂହ କହିଥିଲେ ଯେ ଆଜି ଅନୁଗୁଳକୁ ଆମ ମୁଖ୍ୟମନ୍ତ୍ରୀ ଆସିଛନ୍ତି। ଓଡ଼ିଶାର ସାଢେ ୪ କୋଟି ଲୋକଙ୍କର ଠାକୁର ବୋଲି ଆମେ ଯାହାକୁ ମାନୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ ଆଜି ଅନୁଗୁଳ ମାଟିରେ ପାଦ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ଏଠାକୁ ଆସିବା ଆମ ପାଇଁ ଏକ ଗୌରବର କଥା ବୋଲି ଉପବାଚସ୍ପତି କହିଥିଲେ।

ଭରପୂର ସଭାରେ ଉପବାଚସ୍ପତିଙ୍କ ଏମିତି ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଓଡ଼ିଶାର ଠାକୁର ବୋଲି ଜଗନ୍ନାଥଙ୍କୁ ରାଜ୍ୟବାସୀ ଜାଣିଥାନ୍ତି। କିନ୍ତୁ ନବୀନଙ୍କୁ ଠାକୁର ବୋଲି କହିବା ପରେ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ। ବରଂ ସେମାନେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରଜନୀକାନ୍ତ ସିଂହଙ୍କୁ ସମାଲୋଚନା କରିଛନ୍ତି। ଏଥିନେଇ ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣି କହିଛନ୍ତି ଯେ ଉପବାଚସ୍ପତିଙ୍କ ମତିଭ୍ରମ ହେଲାଣି। ନହେଲେ ଭରପୂର ଜନସଭାରେ ସେ ଏମିତି କହି ନ ଥାନ୍ତେ।