ବନ୍ତଳା : ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ସଦର ଥାନା ପଞ୍ଚମହଲା ଛକରେ ଗୁରୁବାର ଅପରାହ୍ନରେ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ବ୍ୟକ୍ତିଗତ କାର୍ ସହିତ ଗୋଟିଏ ଟ୍ରକ୍ର ଧକ୍କା ହୋଇଛି। ଫଳରେ କାର୍ର କିଛି ଅଂଶ ଭାଙ୍ଗିଯାଇଛି। ଉପବାଚସ୍ପତି ଅଳ୍ପକେ ବର୍ତ୍ତିଯାଇଛନ୍ତି।
ସୂଚନା ଅନୁଯାୟୀ, ଉପବାଚସ୍ପତି ଶ୍ରୀ ସିଂହ ଗୁରୁବାର ଦିନ ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଅନ୍ୟ ଏକ କାର୍ଯ୍ୟରେ ବଲଙ୍ଗ ଗାଁକୁ କାର୍ (ଓଡି-୦୨ଏଆର୍-୬୦୦୬)ରେ ଯାଉଥିଲେ। ଅପରାହ୍ନ ସାଢ଼େ ୩ଟାବେଳେ ସେ ପଞ୍ଚମହଲା ଛକରୁ ବନ୍ତଳା ରାସ୍ତାକୁ ବୁଲିବା ବେଳେ ବଡ଼କେରା ଆଡ଼ୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ ଟ୍ରକ୍ (ଓଡି-୩୫ଡି-୭୭୩୩) ତାଙ୍କ କାର୍କୁ ଧକ୍କା ଦେଇଥିଲା। ଫଳରେ, କାର୍ର ଡାହାଣପାଖ କ୍ଷତିଗ୍ରସ୍ତ ହୋଇଛି। ଶ୍ରୀ ସିଂହ ଓ ତାଙ୍କ ସୁରକ୍ଷାକର୍ମୀ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ଏ ସଂପର୍କରେ ତଦନ୍ତ ଚଳାଇଛି।