ଗ୍ରହଣ ପାଇଁ ଫିକା ପଡିଲା ‌ବିଶ୍ବ ପ୍ରସିଦ୍ଧ ଡେରାବେଶ

ଭଞ୍ଜନଗର: ପ୍ରତିବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଭଞ୍ଜନଗର ବ୍ଳକ୍‌ର କଳା ଓ କଳାକାରଙ୍କ ମାଟି ଭାବେ ପରିଚିତ ବଡ଼କୋଦଣ୍ଡା ଗ୍ରାମରେ ଡେରା ବେଶ ଉତ୍ସବ ଅନୁଷ୍ଠିତ ହେଉଥିଲା। କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ଲାଗୁ ଥିବାରୁ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ଡେରାବେଶକୁ ବନ୍ଦ କରାଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ବୁଲିବା ସହ ଡେରାବେଶର ମଜା ନେଉଥିବା ବେଳେ ଚଳିତ ବର୍ଷ ନିରବତା ଛାଇଁ ଯାଇଥିଲା। ପୂର୍ବରୁ ଉକ୍ତ ଦିନ ଗ୍ରାମକୁ ସୁନ୍ଦର ଭାବେ ସଜାଇ ଜଗନ୍ନାଥ ମନ୍ଦିର ଠାରୁ ଗୋପୀନାଥ ମନ୍ଦିର ଯାଏଁ ପ୍ରାୟ ଏକ କିମି ବଡ ଦାଣ୍ଡରେ ବିଭିନ୍ନ ପଶୁ ମାନଙ୍କ ବଡ଼ବଡ଼ ପ୍ରତିକାତ୍ମକ କଣ୍ଢେଇ ଗୁଡିକୁ ରାସ୍ତା ଉପରେ ସଜ୍ଜାଇ ରଖାଯାଇଥାଏ। ଆଖପାଖ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଏହି ଦିନ ବଡକୋଦଣ୍ଡା ଗ୍ରାମକୁ ସୁଅ ଛୁଟୁଥିଲା।

ଏହି ଡେରାବେଶ ପଞ୍ଚୁକରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ଦିନ ଉଦ୍‌ଯାପିତ ହେଉଥିଲା। ଏହି ଡେରା ବେଶରେ ହାତୀ,ମହାବଳ ବାଘ,ଧଳାବାଘ,ଘୋଡା,କଳ ଘୋଡା, ସିଂହ, ବୃଷଭ, ହରିଣ, ମୟୁର, ଚଇତି ଘୋଡା, ନବ ଗୁଞ୍ଜର ଭଳି ବଡ ବଡ କଣ୍ଢେଇ ଗୁଡ଼ିକୁ ରାସ୍ତା ଉପରେ ଡେରା ହୋଇ ରଖାଯାଉଥିବା ବେଳେ ଗୋଟିଏ ମନ୍ଦିର ପାର୍ଶ୍ବରେ ରାମ,ଲକ୍ଷ୍ମଣ,ହନୁମାନ ଏବଂ ଅନ୍ୟ ମନ୍ଦିର ପାଖରେ ରାବଣ,କୁମ୍ଭକର୍ଣ୍ଣର ବିଶାଳ କଣ୍ଢେଇ ରଖାଯାଇ ରାମାୟଣ ଯୁଦ୍ଧର ଏକ ପ୍ରତିକାତ୍ମକ ଚିତ୍ର ସୃଷ୍ଟି କରାଯାଉଥିଲା। ଯାହାକି ଗ୍ରାମକୁ ଆସୁଥିବା ଭକ୍ତ ମାନଙ୍କ ମଧ୍ୟରେ ପୌରାଣିକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରି ପାରୁଥିଲା।କିନ୍ତୁ ଚଳିତ ବର୍ଷ ଗ୍ରହଣ ପାଇଁ ଏହାକୁ ବନ୍ଦ ରଖାଯାଇଥିବାରୁ କିଛି ଶ୍ରଦ୍ଦାଳୁ ନିରାଶ ମଧ୍ୟ ହୋଇ ଫେରିଥିବା ପ୍ରକାଶ କରିଛନ୍ତି। ଗ୍ରହଣ ପାଇଁ କେବଳ ନୀତି ରକ୍ଷା ପାଇଁ ଦୁଇଟି ବେଶ କାର୍ତ୍ତିକ ପୂର୍ଣ୍ଣିମୀ ପୂର୍ବ ଦିନ ଡେରା ଯାଇଥିବା ବେଳେ ସଂନ୍ଧ୍ୟାରେ ତାକୁ ମଧ୍ୟ ବାହାର କରିଦିଆ ଯାଇଥିବା ଦେଖିବାକୁ ମିଳିଥିଲା। ଏଥିସହ ପଞ୍ଚୁକ ଅବସରରେ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ବାମୀଙ୍କ ମନ୍ଦିରରେ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ,ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

 

ସମ୍ବନ୍ଧିତ ଖବର