ପରମାନନ୍ଦ ସାହୁ
କବାଟବନ୍ଧ: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଅଞ୍ଜିରା ପଞ୍ଚାୟତ ଅନ୍ତର୍ଗତ ଶହେ ଏକରରୁ ଊର୍ଦ୍ଧ୍ବ ପରିମିତ ଅଞ୍ଚଳରେ ରହିଛି ବାଘୁଆ ପାହାଡ଼। ଦିନେ ଏହି ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଚହଟୁଥିଲା। ସୁନ୍ଦର ସବୁଜିମା ସାଙ୍ଗକୁ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳ ଥିଲା। ପାହାଡ଼ରେ ବାଘ ରହୁଥିବାରୁ ଲୋକେ ନାଁ ଦେଇଥିଲେ ବାଘୁଆ ପାହାଡ଼। ତେବେ କଳାପଥର ଲୁଟ୍ ଯୋଗୁଁ ଏହି ପାହାଡ଼ ଏବେ ନିଶ୍ଚିହ୍ନ ହୋଇଯାଇଛି। ପାହାଡ଼ରୁ କଳାପଥର କୋରି ନିଆଯିବା ପରେ ପଥର ଖଣ୍ଡଗୁଡ଼ିକ ଟାୱାର ଭଳି ଛିଡ଼ା ହୋଇଛି। ଆଉ ଅନେକ ସ୍ଥାନରେ ଗଭୀର ଖନନ ଯୋଗୁଁ ବଡ଼ବଡ଼ ଜଳାଶୟ ସୃଷ୍ଟି ହୋଇଛି। ୪୪ ବର୍ଷ ମଧ୍ୟରେ କଳାପଥର ମାଫିଆ ବାଘୁଆ ଶରୀରକୁ ଖିନ୍ଭିନ୍ କରି ଦେଇଛନ୍ତି। ଅତୀତକୁ ମନେ ପକାଇ ଗୁମୁରି କାନ୍ଦିବା ଛଡ଼ା ତା’ର ଆଉ ଅନ୍ୟପନ୍ଥା ନାହିଁ।
ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟରାଜପଥ ଦେଇ କବାଟବନ୍ଧ ଆଡକୁ ଗଲାବେଳେ ରାସ୍ତାକଡ଼ରେ ଦେଖିବାକୁ ମିଳିବ ବାଘୁଆ ପାହାଡ଼। ପୂର୍ବରୁ ଏହି ପାହାଡ଼ ପାଖକୁ ଯିବାକୁ ରାସ୍ତା ନଥିଲା। ପାଦଚଲା ରାସ୍ତାରେ ଲୋକେ ଯାତାୟାତ କରୁଥିଲେ। ୧୯୬୦ ମସିହାରେ ବ୍ରାହ୍ମଣୀରେ ବନ୍ୟାପରେ ଏହି ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ଜନ ବସତି ଗଢ଼ି ଉଠିଥିଲା। ୧୯୮୦ ମସିହା ପରେ ଏହି ପାହାଡ଼ରେ ଛୋଟଛୋଟ ଖାଦାନ କରି ଅଳ୍ପ ପରିମାଣର କଳାପଥର ଲୁଟ୍ ଆରମ୍ଭ ହେଲା। ୧୯୯୮ରେ ରାଜସ୍ବ ବିଭାଗ ପକ୍ଷରୁ ବାଘୁଆ ପାହାଡ଼ର କିଛିକିଛି ଅଂଶକୁ ଲିଜ୍ ଦିଆଗଲା। ଅଳ୍ପ ଅଞ୍ଚଳକୁ ଲିଜ୍ ନେଇ ଏହାର ଶହେଗୁଣ ଅଧିକ ଅଞ୍ଚଳରୁ କଳାପଥର ଲୁଟ୍ ଆରମ୍ଭ ହୋଇଗଲା। ସେହି ସମୟରେ ରାଜସ୍ବ ବିଭାଗ ପକ୍ଷରୁ ଲିଜ୍ ଅଞ୍ଚଳ ଯାଞ୍ଚର କୌଣସି ବ୍ୟବସ୍ଥା ନଥିଲା। ୧୯୯୯ ମହାବାତ୍ୟା ପରେ ଏହି ପାହାଡ଼ରୁ ମାଫିଆ ଯେଉଁଠୁ ପାରିଲେ ସେଇଠୁ କଳାପଥର ଲୁଟିଲେ। ଗଛଲତାର ଚିହ୍ନବର୍ଣ୍ଣ ହଜିଗଲା। ବିସ୍ଫୋରଣରେ ଆଖପାଖ ଅଞ୍ଚଳ ଥରି ଉଠୁଥିଲା। ହେଲେ ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଥିଲା। ମାଫିଆମାନେ ବଡ଼ବଡ଼ ମେସିନ ତଥା ୱାଗନ ଡ୍ରିଲ ବ୍ୟବହାର କରି ଦିନରାତି କଳାପଥର ଲୁଟପାଟ ଚଳାଇଥିଲେ। ୧୯୯୯ ରୁ ୨୦୧୬ ମଧ୍ୟରେ ଏହି ପାହାଡ଼ର ପ୍ରାୟ ୬୦ ପ୍ରତିଶତ କଳାପଥର ଚୋରା ଚାଲାଣ ହୋଇଥିଲା। ସେତିକିରେ ଲୁଟ୍ ସୀମିତ ରହିଲାନି। ବାଘୁଆ ପାହାଡ଼ ଚତୁଃପାର୍ଶ୍ବରେ ବୃହତ୍ କ୍ରସର ୟୁନିଟ୍ ପ୍ରତିଷ୍ଠା ହେବା ସହ ଲୁଟ୍ ପଥରରୁ ଚିପ୍ସ ପ୍ରସ୍ତୁତ ହୋଇ ଚାଲାଣ ହେଲା।
ଧର୍ମଶାଳା ତହସିଲ ଅଞ୍ଚଳର ବାଘୁଆ ପାହାଡ଼ରୁ ପ୍ରଥମେ କଳାପଥର ଲୁଟ୍ ଆରମ୍ଭ ହୋଇ ଅନ୍ୟ ଅଞ୍ଚଳକୁ ମାଡ଼ିଥିଲା ବୋଲି ସ୍ଥାନୀୟ ଲୋକେ କହନ୍ତି। ଏଭଳି ଭାବେ ବାଘ ରହୁଥିବା ବାଘୁଆ ପାହାଡ଼ ଏବେ ଧ୍ବଂସସ୍ତୁପରେ ପରିଣତ ହୋଇଛି। ବର୍ତ୍ତମାନ ଏହି ପାହାଡ଼ରେ ପ୍ରାୟ ୪ଟି ଲିଜ୍ ଖାଦାନ ରହିଛି। ପାହାଡ଼ରେ ବିସ୍ଫୋରଣ ବେଳେ ଅନେକ ଥର ପଥର ଖଣ୍ତ ସ୍ଥାନୀୟ ମୁକୁନ୍ଦପୁର ଗାଁରେ ପଡୁଥିବା ଲୋକେ ଅଭିଯୋଗ କରୁଛନ୍ତି। ତେବେ ପୁଲିସ ମାମଲାକୁ ରଫାଦଫା କରି ଚାଲିଛି। ଯେଉଁଭଳି ଭାବେ କଳାପଥର ଲୁଟ୍ ଚାଲିଛି ଆଗକୁ ଏହି ଅଞ୍ଚଳରେ ଥିବା ବଳରାମପୁର, ବିଛାଖଣ୍ତି ସମେତ ଅନ୍ୟାନ୍ୟ ପାହାଡ଼ ମଧ୍ୟ ଇତିହାସ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ସଚେତନ ନହେଲେ ପ୍ରାକୃତିକ ବିପର୍ଯ୍ୟୟକୁ ନିମନ୍ତ୍ରଣ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି।