ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜିର ଦିନରେ ବି କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଉପରେ ନିର୍ଭର ନ କରି ନିଜର ପାରମ୍ପରିକ ଜଙ୍ଗଲୀଗଛ, ପତ୍ର, ଚେରମୂଳ ଉପରେ ନିର୍ଭର କରିଥାନ୍ତି। ନିଜ ଅଞ୍ଚଳରେ ଥିବା ଦେଶୀ ବଇଦଙ୍କ ଚେରମୂଳିକୁ ବିଶ୍ବାସ କରି ହସ୍ପିଟାଲକୁ ଆସି ନଥାନ୍ତି। ଫୁଲବାଣୀ ବ୍ଲକ୍ର ରାମାଡ଼ି ଗ୍ରାମର ଏମିତି ଜଣେ ଦେଶୀ ବଇଦ ହେଉଛନ୍ତି ବିବତ୍ସ ନାଗ। ବିବତ୍ସ କନ୍ଧ ଆଦିବାସୀଙ୍କ ପାଇଁ ସାକ୍ଷାତ ଦେବଦୂତ ଭଳି। ତାଙ୍କ ବାପା ଯୁଧିଷ୍ଠିର ନାଗ ସମଗ୍ର କନ୍ଧମାଳ ଜିଲ୍ଲାରେ ଜଣେ ପ୍ରସିଦ୍ଧ ଦେଶୀ ବଇଦ ଭାବେ ସୁନାମ ଅର୍ଜନ କରିଥିଲେ। ବାପାଙ୍କ ପରଲୋକ ପରେ ପୁତ୍ର ବିବତ୍ସ ମଧ୍ୟ ସେଇ ପଥକୁ ଅନୁସରଣ କରିଛନ୍ତି। ବିବତ୍ସଙ୍କ ପାଖକୁ ଆଜିର ଦିନରେ ବି ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ ଆଦିବାସୀ ରୋଗୀ ଆସିଥାନ୍ତି। କେବଳ କନ୍ଧମାଳ ଜିଲ୍ଲା କାହିଁକି ପଡ଼ୋଶୀ ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ବି ରୋଗୀ ଏହି ଦେଶୀ ବଇଦଙ୍କ ନିକଟକୁ ଆସିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କନ୍ଧ ବଇଦ ବିବତ୍ସଙ୍କ କହିବା ଅନୁସାରେ, ଆଦିବାସୀ ରୋଗୀମାନେ ସାଧାରଣତଃ ଡାକ୍ତରଖାନାକୁ ଯିବାକୁ ପସନ୍ଦ କରି ନଥାନ୍ତି। ସେମାନେ ନିଜର ପ୍ରକୃତିଦତ୍ତ ଜଙ୍ଗଲୀ ଗଛପତ୍ର, ଚେରମୂଳକୁ ବେଶି ଭରସା କରିଥାନ୍ତି। କନ୍ଧ ପାରମ୍ପରିକ ଚିକିତ୍ସା ଅନୁସାରେ, ଶିଶୁମାନଙ୍କର ଅଳତି (ଚର୍ମ ରୋଗ) ରୋଗ ପାଇଁ ଅଗମତି ଗଛର ଛାଲି ଏବଂ ମାଳତୀପତ୍ରର ରସକୁ ମିଶାଇ ଚର୍ମରେ ଲେପନ କରାଗଲେ ରୋଗ ଭଲ ହୋଇଯାଏ। ସେହଭଳି ମଳକଣ୍ଟକ (ଅର୍ଶ) ରୋଗ ପାଇଁ ମଲ୍ଲୀ ଚେର ରସ କିମ୍ବା ବର ଓହଳର ରସକୁ ଗାଈ କ୍ଷୀରରେ ମିଶାଇ ଖାଇବାକୁ ଦିଆ ଯାଇଥାଏ। ଶିଶୁଙ୍କ ଅପସ୍ମାର (ମୂର୍ଚ୍ଛା) ରୋଗ ପାଇଁ ଭୂଇଁ ଗୁଣ୍ଡୁରି ପୋକକୁ ପାଚିଲା କଦଳୀ ଭିତରେ ପୂରାଇ ଖାଇବାକୁ ଦିଆଯାଏ। ପିହୁଳା ରୋଗର ଉପଶମ ପାଇଁ ଆଙ୍କୁଳ ଗଛର ଚେରକୁ ବାଟି ତାହାର ରସକୁ ଖାଇବାକୁ ଦିଆଯାଏ। ପାଳିଜ୍ବରର ଉପଶମ ପାଇଁ ଅପମାରଙ୍ଗ ଚେରର ରସ, ମ୍ୟାଲେରିଆ ଜ୍ବରର ଉପଶମ ପାଇଁ ଗୁଟୁଖଡ଼ିକା (ଗଙ୍ଗଶିଉଳି) ପତ୍ରର ରସକୁ ମହୁ ସହିତ ଖାଇବାକୁ ଦିଆଯାଏ।
କେହି କନ୍ଧ ଲୋକଙ୍କୁ ବିଛା କାମୁଡ଼ିଲେ, ଯନ୍ତ୍ରଣାରୁ ମୁକ୍ତି ପାଇଁ ମୂଳାର ରସ, ସାପ କାମୁଡ଼ାର ଉପଶମ ପାଇଁ ପାତାଳଗରୁଡ଼ ଚେରକୁ ବାଟି ଏହାର ରସକୁ ଖାଇବାକୁ ଦିଆଯାଏ। ମୁଣ୍ଡବିନ୍ଧାର ଉପଶମ ପାଇଁ ବିରୁଡ଼ି ବସାର ମାଟିକୁ ମୁଣ୍ଡରେ ଲଗାଯାଏ। ଶରୀରର କୌଣସି ଅଂଶ କଟି ରକ୍ତ ବାହାରିଲେ ପିପଳ ଗଛର ଛାଲିର ଗୁଣ୍ଡକୁ ଲେପନ ଦିଆଯାଏ। ଘା’ ଭଲ ହେବା ପାଇଁ ବଜ୍ରମୂଳି ଚେରର ରସ, ଯାଦୁର ଉପଶମ ପାଇଁ ସୋମରାଜ ମଞ୍ଜିକୁ ରାଶି ତେଲରେ ପାଗ କରି ଯାଦୁ ସ୍ଥଳରେ ଲେପନ କରାଯାଏ। କାଛୁ, କୁଣ୍ଡିଆ ଭଳି ଚର୍ମରୋଗର ଲାଘବ ପାଇଁ ମଥାକନ୍ଦାକୁ ସୋରିଷ ତେଲରେ ପାଗ କରି ଲେପନ କରାଯାଇଥାଏ।
କୃମିନାଶକ ପାଇଁ ବଚର ଚେର ବାଟି ପିଆଇଲେ ଉପଶମ ମିଳିଥାଏ। ପେଟରୋଗ ଏବଂ ପାଗଳାମୀ ଭଲ ହେବା ପାଇଁ ଘିକୁଆଁରୀ ପତ୍ରର ରସ ପିଆଇଲେ ଉପଶମ ମିଳିଥାଏ। ମୂଷା କାମୁଡ଼ିଲେ ଆଦିବାସୀମାନେ କାମୁଡ଼ା ସ୍ଥଳରେ ଓଡ଼ଶମାରୀ ଗଛର ପତ୍ର, ମଞ୍ଜି ଓ ଛାଲର ରସ ବ୍ୟବହାର କରିଥାନ୍ତି। କନ୍ଧ ମହିଳାମାନଙ୍କର ସୁରକ୍ଷିତ ପ୍ରସବ ନିମନ୍ତେ ଶତାବରୀ ଗଛର ପତ୍ର ଓ ଚେରରୁ ପ୍ରସ୍ତୁତ ରସ ଦିଆଯାଇଥାଏ। ବିଭିନ୍ନ ପ୍ରକାର ଚର୍ମ ରୋଗ ଏବଂ କୁଷ୍ଠ ରୋଗରୁ ଭଲ ହେବା ପାଇଁ କନ୍ଧମାନେ ନିମପତ୍ର ଓ କଢ଼ିରୁ ପ୍ରସ୍ତୁତ ରସ ପିଇବାକୁ ଦିଆଯାଇଥାଏ। ମୁଣ୍ଡବିନ୍ଧା ଏବଂ ଦାନ୍ତ ବିନ୍ଧା ପାଇଁ ଅରଖ ଗଛର କ୍ଷୀର ଦିଆଯାଇଥାଏ। ବଦହଜମି ଏବଂ ପେଟ ରୋଗ ପାଇଁ କନ୍ଧମାନେ ବଣହଳଦୀର ରସକୁ ପିଇଥାନ୍ତି। ଏକ୍ଜିମା, ହାଡ଼ଫୁଟି ରୋଗରୁ ମୁକ୍ତି ପାଇଁ ହଳଦୀ ରସ ଉପକାରୀ ହୋଇଥାଏ।
ଚୁଟି ଝଡ଼ିବା ଏବଂ ମୁଣ୍ଡରେ ରୂପି ସମସ୍ୟା ଦୂର କରିବା ପାଇଁ ଆଦିବାସୀମାନେ ଅଁଳା ଫଳର ରସକୁ ନିୟମିତ ସେବନ କରିଥାନ୍ତି। କାମଳ ରୋଗ ପାଇଁ ଆଦିବାସୀମାନେ ମଞ୍ଜୁଆତି ପତ୍ର ଓ ଚେରର ରସ ପାନ କରିଥାନ୍ତି। ପୁରୁଷମାନଙ୍କ ନପୁଂସକ ଦୋଷ କାଟିବାକୁ ଆଦିବାସୀମାନେ ମହୁଲ ଫୁଲର ରସ ସେବନ କରିଥାନ୍ତି। ଅର୍ଶ ରୋଗ ଭଲ କରିବାକୁ ଲାଜକୁଳି ଗଛର ଚେର ଓ ପତ୍ରର ରସ ବ୍ୟବହା କରିବାକୁ ପଡ଼ିଥାଏ। ଡାଇବେଟିସରୁ ଉପଶମ ପାଇଁ କରଞ୍ଜ ଗଛର ପତ୍ରକୁ ଆଦିବାସୀମାନେ ଶିଳରେ ବାଟି ପିଇଥାନ୍ତି। ମିଳିମିଳାରୁ ମୁକ୍ତି ପାଇଁ ଶାଳ ଗଛର ଛାଲି ଓ ପତ୍ରରୁ ପ୍ରସ୍ତୁତ ରସ ବ୍ୟବହାର କରାଯାଇଥାଏ। ଘିମିରି ରୋଗରୁ ମୁକ୍ତି ପାଇବାକୁ ଆଦିବାସୀମାନେ ଅର୍ଜୁନ ଗଛର ଛାଲିରୁ ପ୍ରସ୍ତୁତ ରସକୁ ବ୍ୟବହାର କରିଥାନ୍ତି। ଥଣ୍ଡା, ସର୍ଦ୍ଦି, ଛିଙ୍କରୁ ରକ୍ଷା ପାଇବାକୁ କନ୍ଧମାନେ ଅଦା, ମହୁ ଓ ତୁଳସୀପତ୍ରର ରସକୁ ସେବନ କରିବାକୁ ଦିଆଯାଏ ବୋଲି କହନ୍ତି କନ୍ଧ ବଇଦ ବିବତ୍ସ ନାଗ।
ଫୁଲବା