ନିଷିଦ୍ଧାଞ୍ଚଳ ବାହାରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର
ବାହାର ରାସ୍ତା ପାଇଁ ଆବଶ୍ୟକ ପଡ଼ିଲେ ହେବ ଜମି ଅଧିଗ୍ରହଣ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ଆରମ୍ଭ ଓ ପ୍ରତ୍ନତତ୍ତ୍ବ ବିଭାଗର ସତ୍ୟପାଠ ଦାଖଲ ପରେ ଚାପରେ ରହିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଠିତ ସାଂସ୍କୃତିକ ଉପଦେଷ୍ଟା କମିଟିର ତରବରିଆ ବୈଠକ ଡକାଯାଇ ପ୍ରକଳ୍ପର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।
ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଅନୁଷ୍ଠିତ ଏହି ବୈଠକରେ ପ୍ରକଳ୍ପର ରୂପରେଖ ସାମାନ୍ୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର(ଶ୍ରୀଜଗନ୍ନାଥ ରିସେପ୍ସନ୍ ସେଣ୍ଟର୍) ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଥିଲା, ସେଥିରେ ପରିବର୍ତ୍ତନ କରାଯାଇଛି। ନିଷିଦ୍ଧାଞ୍ଚଳ ବଦଳରେ ୧୦୦ ମିଟର ବାହାରେ ଅର୍ଥାତ୍ ରେଗୁଲେଟେଡ୍ ଅଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏହାର ଡିଜାଇନ୍ରେ ଆଧ୍ୟାତ୍ମିକତା ଭରି ରହିବ। ଯେଭଳି ମୁଖ୍ୟ ମନ୍ଦିରର ଦୃଶ୍ୟପଟରେ ଏହା କୌଣସି ପ୍ରଭାବ ପକାଇବନି, ସେ ଦିଗରେ ଦୃଷ୍ଟି ଦିଆଯିବ। ନିର୍ମାଣ ବେଳେ ଶ୍ରୀମନ୍ଦିର ଯେଭଳି ଲୁଚିବନି, ସ୍ପଷ୍ଟ ଦୃଶ୍ୟମାନ ହେବ, ସେଥିପ୍ରତି ଦୃଷ୍ଟି ଦିଆଯିବ। ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
ସେପଟେ ପରିକ୍ରମା ପ୍ରକଳ୍ପ ବାହାରେ ବସବାସ କରୁଥିବା ସାହିବାସୀଙ୍କ ଗମନାଗମନ ପାଇଁ ଏକ ରାସ୍ତା ନିର୍ମାଣ ହେବ। ରାସ୍ତାର ଚଉଡ଼ା ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଅଧିକୃତ ଜାଗାରେ ଏଥିପାଇଁ ଆବଶ୍ୟକ ଜାଗା ରହିଛି କି ନାହିଁ, ତାହାର ଅନୁଧ୍ୟାନ କରାଯିବ। ଆବଶ୍ୟକ ପଡ଼ିଲେ ରାସ୍ତା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ପୁରୀ ଝାଞ୍ଜପିଟା ମଠ ମହନ୍ତ ସଚିଦାନନ୍ଦ ଦାସ ମହରାଜ, ପୂର୍ବତନ ମୁଖ୍ୟ ସଚିବ ଡ. ସୁବାସ ପାଣି, ଅବସରପ୍ରାପ୍ତ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଡ. ଜୀବନ କୁମାର ପଟ୍ଟନାୟକ, କିଟ୍ ଆର୍କିଟେକ୍ଚର ସ୍କୁଲର ପ୍ରଫେସର ଏସ୍ ଏସ୍ ରାୟ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)