ପୁରୀ: ହୀନିମାନ ହେଉଛନ୍ତ ରଥର ସଖୀ। ସଖୀଙ୍କ କାଠମୂର୍ତ୍ତିକୁ ବିଦାରିଦେଲେଣି ଉଈ ଓ କୀଟ। କାହାର ନାକ ଭାଙ୍ଗିଛି ତ କାହାର ହାତ ପୋପରା ହୋଇଯାଇଛି। କାହାର କାନ ଭାଙ୍ଗିଯାଇଛି ତ ପୁଣି କାହାର ସର୍ବାଙ୍ଗ ଶରୀର କ୍ଷତାକ୍ତ ହୋଇଛି। ତେଣୁ ରଥରେ ଏଥର କିଛି ସଖୀଙ୍କ ଅନୁପସ୍ଥିତି ଦେଖିବାକୁ ମିଳିବାନେଇ ଆଶଙ୍କା ଦେଖାଦେଇଛି। ତିନିରଥରେ ଲାଗୁଥିବା ୩୨ ସଖୀଙ୍କ ମଧ୍ୟରୁ ୭ଟି ସଖୀଙ୍କ ଶରୀରରେ କ୍ଷତ ସୃଷ୍ଟି ହୋଇଛି। ରଥଯାତ୍ରା ସରିବା ପରେ ସଖୀଙ୍କୁ ଏଣେତେଣେ ରଖି ଦେଇ ପ୍ରଶାସନ ଦାୟିତ୍ବ ସାରିଦେଉଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରଥଯାତ୍ରା ଆଉ ୧୨ ଦିନ ଥିବା ବେଳେ ନୂଆ ସଖୀ ଗଢ଼ାଯିବା ବି ଆହ୍ବାନ ପାଲଟିବ। ତେଣୁ ରଥରେ ସ୍ଥାନିତ ହେଉଥିବା କିଛି ସଖୀଙ୍କ ଅନୁପସ୍ଥିତି ଦେଖିବାକୁ ମିଳିବନି ତ? ସଖୀଙ୍କ ବିନା ରଥ ନିର୍ମାଣ ଅପୂର୍ଣ୍ଣ ରହିବ ନାହିଁ ତ? ସଖୀଙ୍କ ସ୍ଥାନ ଖାଲି ପଡ଼ିବା ଦ୍ବାରା ବିଭ୍ରାଟ ସୃଷ୍ଟି ହେବ ନାହିଁ ତ? ଏବେ ଏଭଳି ତମାମ ପ୍ରଶ୍ନ ଉଙ୍କି ମାରିଲାଣି। ନନ୍ଦିଘୋଷ ରଥର ମୁଖ୍ୟ ଚିତ୍ରକର ଦେବଦତ୍ତ ମହାରଣାଙ୍କ କହିବା ମୁତାବକ, ତିନି ରଥରେ ୩୨ଜଣ ସଖୀ ରୁହନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୨ଜଣ, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥରେ ୧୨ଜଣ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୮ଜଣ ସଖୀ ରୁହନ୍ତି। ତାଙ୍କ ମତରେ ରଥରେ ପାର୍ଶ୍ବ ଦେବଦେବୀଙ୍କ ସହ ସ୍ଥାନିତ ହେଉଥିବା ସଖୀମାନେ ହେଉଛନ୍ତି ଗୋପୀ। ମହାପ୍ରଭୁ ଯାତ୍ରାରେ ଯିବାବେଳେ ତାଙ୍କ ସହ ଗୋପୀମାନେ ବି ରଥରେ ଯାଆନ୍ତି। ରଥରେ ଲାଗୁଥିବା ପ୍ରତ୍ୟେକଟି କାଠ ଯେଭଳି ଦେବତା, ସଖୀମାନେ ବି ସେହିଭଳି ଜଣେ ଜଣେ ଦେବୀ ସଦୃଶ। ସେଥିପାଇଁ ସେମାନଙ୍କୁ ନବକଳେବର ସମୟରେ ପାତାଳି କରାଯାଇଥାଏ। ଚିତ୍ରକରଙ୍କ ଭାଷାରେ, ଯଦି ମୂର୍ତ୍ତିଟିଏ ନେତ୍ରଦାନ ପାଇଯାଏ ସେ ପୂଜ୍ୟ ପାଲଟିଯାଏ। ତେଣୁ ପୂଜ୍ୟଙ୍କୁ ଅପୂଜ୍ୟ ଭଳି ଏଣେତେଣେ ରଖିଦେବା, ଅପୂଜା ରଖିବା କିମ୍ବା ଯତ୍ନ ନ ନେବା ଦୁଃଖର ବିଷୟ। ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହେବା ନିତାନ୍ତ ଆବଶ୍ୟକ। ଯଦି ପାର୍ଶ୍ବ ଦେବଦେବୀ, ସଖୀ, ସାରଥି, ଅଁଳା, ଶୁଆ ଓ ଘୋଡ଼ାମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଆନ୍ତା ତେବେ ଭକ୍ତମାନେ ମଧ୍ୟ ଶ୍ରୀକ୍ଷେତ୍ର ଆସିଲେ ଏଠାରେ ରଥର ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିପାରନ୍ତେ। ଏହା କେବଳ ଏକ ସୁନ୍ଦର ପରିବେଶ ଭେଟି ଦେବନାହିଁ, ଦେବଦେବୀଙ୍କ ପ୍ରତି ସମ୍ମାନ ପାଇଁ ଏହା କରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଲା ନବକଳେବର ସମୟରେ ପାର୍ଶ୍ବ ଦେବଦେବୀ, ଅଁଳା, ସାରଥି, ଘୋଡ଼ା, ସଖୀମାନଙ୍କୁ ନୂତନ ଭାବେ ଗଢ଼ାଯିବାର ବିଧି ରହିଛି। ତେବେ ପୂର୍ବ ନବକଳେବର ବେଳେ ସଖୀମାନଙ୍କୁ ତିଆରି କରାଯାଇନଥିଲା ବୋଲି ଶ୍ରୀ ମହାରଣା କହିଛନ୍ତି। ରଥ ନିର୍ମାଣରେ ନିୟୋଜିତ ସେବକମାନଙ୍କ ମତରେ, ରଥରେ ୨୭ ପାର୍ଶ୍ବ ଦେବଦେବୀଙ୍କ ସମେତ ୬ ଦ୍ବାରପାଳ ଓ ସଖୀମାନେ ରହିବାର ବିଧି ରହିଛି। ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ରଥ ନିର୍ମାଣ କରାଯାଏ। ତେଣୁ କୌଣସି ଗୋଟିଏ କାଠ କିମ୍ବା ସଖୀଙ୍କର ଅବସ୍ଥାନ ବିନା ରଥ ପୂର୍ଣ୍ଣାଙ୍ଗ କୁହାଯାଇପାରିବ ନାହିଁ। ରୂପକାର ସେବକ ଗଣେଶ୍ବର ମହାପାତ୍ର କହିଛନ୍ତି, ପାର୍ଶ୍ବ ଦେବାଦେବୀ କିମ୍ବା ସଖୀଙ୍କ ମୂର୍ତ୍ତିରେ କ୍ଷତ ସୃଷ୍ଟି ହେଲେ ରୂପକାରମାନେ ମରାମତି କରିଥାଆନ୍ତି। ତେବେ ମୂର୍ତ୍ତି ସମୂହକୁ ସୁରକ୍ଷିତ ସ୍ଥାନରେ ରଖିବା ମଧ୍ୟ ପ୍ରଶାସନର କର୍ତ୍ତବ୍ୟ। ଏନେଇ ରୂପକାର ସେବକମାନେ ଶ୍ରୀମନ୍ଦିର ପ୍ରଶାସନକୁ ବାରମ୍ବାର ଜଣାଇଛନ୍ତି। କିନ୍ତୁ ଆନ୍ତରିକତା ଅଭାବରୁ ରଥ ସରିବାପରେ ପାର୍ଶ୍ବ ଦେବଦେବୀ, ସାରଥି, ସଖୀମାନଙ୍କୁ ଅଲୋଡ଼ା ଭଳି ପକାଇ ଦେବାପରେ ପ୍ରଶାସନ କାମ ସାରିଦିଏ। ତୁରନ୍ତ ପାର୍ଶ୍ବ ଦେବଦେବୀ, ଅଁଳା, ଘୋଡ଼ା, ସାରଥି, ସଖୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାୟୀ ଗୃହ ତିଆରି କରାଯାଉ ବୋଲି ସେ ଦାବି କରିଛନ୍ତି।