ଭୁବନେଶ୍ବର: ଆଜି ସକାଳୁ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ରାଜ୍ୟରେ ଅବପାତର ପ୍ରଭାବ ଯୋଗୁଁ ବର୍ଷା ଲାଗି ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କ୍ରମାଗତ ଭାବେ ୨ଟି ଲଘୁଚାପ ସତ୍ତ୍ବେ ରାଜ୍ୟରେ ବର୍ଷାର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୪୫.୬ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ୧ ଜୁନ୍ରୁ ୧୯ ଅଗଷ୍ଟ ସମୟ ଅବଧି ମଧ୍ୟରେ ସ୍ବାଭାବିକ ଭାବେ ହେଉଥିବା ୭୮୬.୫ ମିମି ବର୍ଷାଠାରୁ ୫% କମ୍। ରାଜ୍ୟର ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, ପୁରୀ, ଖୋର୍ଧା ଓ ଯାଜପୁରରେ ବର୍ଷାର ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିଛି। ତେବେ ଆସନ୍ତା ୪ ଦିନର ବର୍ଷା ଓ ଅଗଷ୍ଟ ୨୭ରେ ହେବାକୁ ଥିବା ନୂତନ ଲଘୁଚାପ ଯୋଗୁଁ ଏହି ନିଅଣ୍ଟ ସ୍ଥିତିର ଭରଣା ହୋଇପାରିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ, ପଶ୍ଚିମ-ମଧ୍ୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ଗତକାଲି ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଥିଲା। ଅବପାତଟି ମଙ୍ଗଳବାର ଦକ୍ଷିଣ-ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିବା ବେଳେ ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବ ଓ ବୁଧବାର ସକାଳ ସୁଦ୍ଧା ଦୁର୍ବଳ ହୋଇ ପୁଣି ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେବ। ଫଳରେ ଆସନ୍ତା ୪ ଦିନ ରାଜ୍ୟରେ ବର୍ଷା ଲାଗିରହିବ। ପାଣିପାଗ କେନ୍ଦ୍ର କହିଛି, ଆସନ୍ତାକାଲି ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଧା ଓ ନୟାଗଡ଼ରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୨୩ ତାରିଖ ଯାଏ ବର୍ଷା ଜାରି ରହିବ।