ନବରଙ୍ଗପୁର: ମନରେଗା ରୋକିପାରୁନି ଦାଦନ ଚାଲାଣ। ଲକ୍ଷାଧିକ ଶ୍ରମଦିବସ ସୃଷ୍ଟି ହେଉଥିବା ସତ୍ତ୍ବେ ପ୍ରତିଦିନ ଜିଲ୍ଲାରୁ ଶତାଧିକ ଶ୍ରମିକ ପଡୋଶୀ ରାଜ୍ୟକୁ ‌ଯାଉଛନ୍ତି ଖଟିବାକୁ। ପରିବାରର କେବଳ ବୟସ୍କ ଲୋକ ଯାଉଛନ୍ତି ତାହା ନୁହେଁ ଶିଶୁ, କିଶୋରମାନେ ବି ଏଥିରୁ ବାଦ୍‌ ପଡୁନାହାନ୍ତି। ଏଥିଯୋଗୁଁ ପିଲାଙ୍କ ପାଠପଢା ବ୍ୟାଘାତ ହେବା ସହ ସାମାଜିକ ସମସ୍ୟା ଉପୁଜୁଛି। ଚଳିତ ବର୍ଷର ଆଜି ସୁଦ୍ଧା ପ୍ରାୟ ୪୮ଲକ୍ଷ ୩ହଜାର ଶ୍ରମ ଦିବସ ସୃଷ୍ଟି ହୋଇଥିବା ସରକାରୀ କାଗଜପତ୍ରରୁ ସୂଚନା ମିଳିଥିବା ବେଳେ ଏହା କିନ୍ତୁ ପ୍ରଭାବଶୂନ୍ୟ ସ୍ପଷ୍ଟ ହୋଇଛି।

Advertisment

ଜିଲ୍ଲାରେ ଶିଳ୍ପ ଅବା ଖଣି ଖାଦାନ ନାହିଁ। ପରିବାର ପୋଷିବାକୁ ଲୋକେ ଦାଦନକୁ ମୁଖ୍ୟ ଆୟୁଧ କରିଛନ୍ତି। ବାହାର ତଥା ପଡୋଶୀ ରାଜ୍ୟକୁ ଯାଇ ଛୋଟମୋଟ କାରଖାନା, ବ୍ୟବସାୟିକ ପ୍ରତିଷ୍ଠାନ, ଇଟାଭାଟିରେ ଖଟିବା ଏଠିକାର ଲୋକଙ୍କ ପାଇଁ ନିତିଦିନିଆ ଘଟଣା ହୋଇଛି। ଅନ୍ୟପକ୍ଷରେ, ଦାଦନ ପ୍ରଥା ରୋକିବାକୁ ଜିଲ୍ଲାରେ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। ନବରଙ୍ଗପୁର ଦେଇ ପ୍ରାୟ ୮ଟି ବସ୍‌ ପ୍ରତିଦିନ ହାଇଦ୍ରାବାଦ ଯାଉଛି। ସେହିସବୁ ବସ୍‌ରେ ପ୍ରତିଦିନ ଶତାଧିକ ଲୋକ ଏଠାରୁ ହାଇଦ୍ରାବାଦ ଯାଉଛନ୍ତି। ସେଠାରେ ଇଟାଭାଟି ଓ ବିଭିନ୍ନ କୋଠାବାଡି ନିର୍ମାଣ କାମରେ ନିୟୋଜିତ ହେଉଛନ୍ତି। ଖାଲି ହାଇଦ୍ରାବାଦ ନୁହେଁ ପ୍ରତିଦିନ ପ୍ରାୟ ୧୫ଟି ବସ୍ ଏହିବାଟ ଦେଇ ବିଶାଖାପାଟଣା ମଧ୍ୟ ଯାଉଛି। ଏହିସବୁ ବସ୍‌ର ସିଟ୍‌ କେବେ ବି ଖାଲି ପଡୁନି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଲୋକେ ଏହିସବୁ ବସ୍‌ରେ ବିଶାଖାପାଟଣା ଯାଇ ସେଠାରୁ ଟ୍ରେନ ଯୋଗେ ହାଇଦ୍ରାବାଦ ଓ ତାମିଲନାଡୁ ଆଦିକୁ ଦାଦନ ଖଟିବାକୁ ଯାଉଛନ୍ତି।

କୋଭିଡ୍‌ ସମୟରେ ଦାଦନ ଚାଲାଣର ପ୍ରକୃତ ତଥ୍ୟ ପଦାକୁ ଆସିଥିଲା। ପ୍ରଥମ ଲହରୀରେ ଜିଲ୍ଲାକୁ ପ୍ରାୟ ୧୫ହଜାର ପ୍ରବାସୀ ଫେରିଥିଲେ। ପ୍ରବାସୀଙ୍କ ମଧ୍ୟରେ ମାତ୍ର ୧୦ପ୍ରତିଶତ କୁଶଳୀ କାରିଗର ଥିଲେ। ବାକି ୯୦ପ୍ରତିଶତ ଥିଲେ ଅଣକୁଶଳୀ ଶ୍ରମିକ। ଏହି ଅଣକୁଶଳୀ ଶ୍ରମିକ ବାହାର ରାଜ୍ୟର ବିଭିନ୍ନ ଇଟାଭାଟି ଓ କୋଠାବାଡି କାମରେ ନିୟୋଜିତ ହେଉଥିବା ଜଣାପଡିଥିଲା। ଦାଦନ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନରେଗାଠାରୁ ଆରମ୍ଭ କରି ନାନା ଯୋଜନା କାର୍ଯ୍ୟକା‌ରୀ ହୋଇଥିଲା। ତେବେ ଶ୍ରମିକଙ୍କ ନିଜ ଗାଁରେ ସରକାରୀ କାମ କରିବାକୁ ସେତେ ଇଚ୍ଛା ନାହିଁ। ଏହାର ପ୍ରମୁଖ କାରଣ ହେଲା ବାହାରେ କାମ କଲେ ଏମାନେ ଦିନକୁ ୩ଶହରୁ ୪ଶହ ଟଙ୍କା ରୋଜଗାର କରୁଛନ୍ତି। ମନରେଗାରେ କାମ କଲେ ୨ଶହ ଟଙ୍କା ମିଳୁଛି ତାହା ପୁଣି ପାଇବାକୁ ୨ରୁ ୩ ମାସ ସମୟ ଲାଗୁଛି। ଏଥିରେ ପୁଣି ଦଲା‌ଲର ଭାଗ ରହୁଛି।

ଜିଲ୍ଲାରେ ମନରେଗାରେ କାମ କରିବା ପାଇଁ ୩ଲକ୍ଷ ୬୫ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୁଣି ୨୫ପ୍ରତିଶତ ଶ୍ରମିକ କାମ କରୁନାହାନ୍ତି। ଚଳିତ ବର୍ଷ ପ୍ରାୟ ୯୦ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ସୁଦ୍ଧା ପ୍ରାୟ ୪୮ଲକ୍ଷ ୩ହଜାର ଶ୍ରମ ଦିବସ ସୃଷ୍ଟି ହୋଇଥିବା କାଗଜପତ୍ରରୁ ସୂଚନା ମିଳିଛି। ତେବେ ବାସ୍ତବ ଚିତ୍ର ଭିନ୍ନ ରହିଛି। ପ୍ରାୟ ବ୍ଲକରେ ମେସିନ କାମ କରୁଥିବା ବେଳେ ଶ୍ରମିକଙ୍କ ନାମରେ ଦର୍ଶାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। କେତେକ ସ୍ଥାନରେ କମ୍‌ କାମ କରାଯାଇ ଅଧିକ ଶ୍ରମ ଦିବସ ମଧ୍ୟ ପ୍ରଦର୍ଶନ କରାଯାଉଛି। ମନରେଗା ମାଧ୍ୟମରେ ଦାଦନ ରୋକିବାକୁ କୌଣସି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରା ନଗଲେ ଆଗକୁ ସ୍ଥିତି ଗମ୍ଭୀର ହେବା ଆଶଙ୍କା କରାଯାଉଛି।