ଭୁବନେଶ୍ୱର: ଚାଷୀଙ୍କୁ ତାଲିମ ଦିଆଯାଉଛି। ମାତ୍ର କୃଷି ବିଜ୍ଞାନ କେନ୍ଦ୍ରରେ ତାଲିମ ପାଇବା ପରେ ସେମାନେ ତାହାକୁ କାର୍ଯ୍ୟରେ ଲଗାଇପାରୁ ନାହାନ୍ତି। ଓଡ଼ିଶା ପାଖରେ ସମସ୍ତ ସାଧନ ରହିଛି। ଉପକୂଳରେ ବଙ୍ଗୋପସାଗର ପରି ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ଆମେ ମାଛ, ଅଣ୍ଡା ଉତ୍ପାଦନରେ କାହିଁକି ପଛରେ ଅଛୁ? ଏବେ ବି ୪୦ ପ୍ରତିଶତ ମାଛ ବାହାର ରାଜ୍ୟରୁ ଓଡ଼ିଶା ଆସୁଛି। ଏଭଳି ଭାବେ ରାଜ୍ୟରେ କୃଷିର ବିକଳ ଚିତ୍ରକୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଉଦ୍ବେଗ ପ୍ରକାଶ କରିଛନ୍ତି। ଓୟୁଏଟି ଓ ରାଜ୍ୟ ସରକାର ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମାଛ ଚାଷ ଓ ଉତ୍ପାଦନ କିଭଳି ବୃଦ୍ଧି ହେବ, ସେନେଇ ଓୟୁଏଟି ଏକ ସ୍ବତନ୍ତ୍ର ପ୍ରକଳ୍ପ ତିଆରି କରିବାକୁ ରାଜ୍ୟପାଳ କହିଛନ୍ତି।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ୬୪ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ କମ୍ଭମ୍ପାଟି କହିଛନ୍ତି, ପାରମ୍ପରିକ ଜ୍ଞାନ ଉପରେ ଆଧାରିତ ଉଚ୍ଚମାନର ଶିକ୍ଷା ପ୍ରଦାନ ଏବଂ ରିମୋଟ ସେନ୍ସିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆଇଓଟି, ମେସିନ୍ ଲର୍ଣ୍ଣିଂ, ରୋବୋଟିକ୍ସ ଇତ୍ୟାଦି ଅତ୍ୟାଧୁନିକ ବିଜ୍ଞାନ ଦ୍ୱାରା ସମୃଦ୍ଧ ହେବାର ସମୟ ଆସିଛି। ନିଯୁକ୍ତିଦାତା ହୋଇ ବିକଶିତ ଭାରତର ପରିକଳ୍ପନାକୁ ସଫଳ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। କୃଷି ଆମ ଦେଶରେ କେବଳ ଏକ ବୃତ୍ତି ନୁହେଁ, ବରଂ ଆମ ଦୈନନ୍ଦିନ ଜୀବନର ଏକ ଅଂଶ। ଏହା ହେଉଛି ଗ୍ରାମୀଣ ଭାରତର ମେରୁଦଣ୍ଡ। ତେଣୁ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକ ଉତ୍ତମ ବୈଷୟିକ ଜ୍ଞାନ ସହ କୁଶଳୀ ମାନବ ସମ୍ବଳ ସୃଷ୍ଟି, ଜଳବାୟୁରେ ବ୍ୟାପକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନ ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ।
ଓୟୁଏଟି ଉପକୁଳାଧିପତି ତଥା ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆମ ରାଜ୍ୟ ରପ୍ତାନି କ୍ଷେତ୍ରରେ ସବୁଠୁ ଆଗରେ ରହିବାକୁ ଓୟୁଏଟି ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ। ଗତବର୍ଷ ମାଣ୍ଡିଆ ଓ ଆମ୍ବ ରପ୍ତାନି କରି ଓଡ଼ିଶା ନୂଆ ଅଧ୍ୟାୟ ସୃଷ୍ଟି କରିଛି। ତେଣୁ ଏ ଧାରାକୁ ଆହୁରି ଆଗକୁ ନେବାକୁ ହେବ। ସମ୍ବଲପୁରର ଚିପିଲିମା କ୍ୟାମ୍ପସ୍ରେ ଆଉ ଏକ କୃଷି ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର ଓ ମୟୂରଭଞ୍ଜରେ କୃଷି ମହାବିଦ୍ୟାଳୟ ଏବଂ ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସରକାର ସ୍ଥିର କରିଛନ୍ତି।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କୃଷି ଓ ଆନୁଷଙ୍ଗିକ କୃଷି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ମତପ୍ରକାଶ କରିଥିଲେ। ଏକାମ୍ର ବିଧାୟକ ବାବୁ ସିଂ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚାଷଜମି କମିବା ଆମ ପାଇଁ ଚିନ୍ତାର କାରଣ ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବିଗତ ବର୍ଷମାନଙ୍କରେ ବିଶ୍ୱବିଦ୍ୟାଳୟର ସଫଳତା ଉପରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଓୟୁଏଟିର ୧୧ଜଣ ଶିକ୍ଷକ ଓ ବୈଜ୍ଞାନିକ, ଛାତ୍ରଛାତ୍ରୀ, କର୍ମଚାରୀ ଓ ୩୩ ଜଣ ଅଗ୍ରଣୀ କୃଷକଙ୍କୁ ପୁରସ୍କୃତ କରାଯାଇଛି। ଓୟୁଏଟି କ୍ୟାମ୍ପସ ୱାଇଫାଇ ସେବାର ଶୁଭାରମ୍ଭ ସହ ୭ଟି ପୁସ୍ତକ ଉନ୍ମୋଚନ କରାଯାଇଛି। ପରେ ‘ସ୍ମାର୍ଟ କୃଷି ଓ ବିକଶିତ ଓଡିଶା' ଶୀର୍ଷକରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଶିକ୍ଷା ଓ ସମ୍ପ୍ରସାରଣ ନିର୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନଜିତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ପ୍ରତିଭା ଦୋରା ଧନ୍ୟବାଦ ଦେଇଥିଲେ। ପ୍ରଫେସର ମଧୁଲିକା ପଣ୍ଡା ଓ ଚକ୍ରଧର ପାତ୍ର ମଞ୍ଚ ପରିଚାଳନା କରିଥିଲେ।