ଭୁବନେଶ୍ବର: ରାତି ଅଧରେ ରାଜଧାନୀ ଛାତି ଉପରେ ବୁଲିଛି ଖଣ୍ଡା, ଭୁଜାଲି। ଗୋଡ଼େଇ ଗୋଡ଼େଇ ବିଚ୍ ରାସ୍ତାରେ ଦୁଇଜଣ ଯୁବକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ। ସୋମବାର ରାତିରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ଅପରାଧୀଙ୍କ ଆକ୍ରମଣରେ କ୍ୟାପିଟାଲ୍ ଥାନା ଶିଶୁଭବନ ଛକ ନିକଟରେ ପଳାସପଲ୍ଲୀ ଅଞ୍ଚଳର ବିକି ନାୟକ ଏବଂ ଗଭର୍ଣ୍ଣର ହାଉସ୍ ଛକ ଗଳିରେ ସତ୍ୟବ୍ରତ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ବିକିଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ସତ୍ୟବ୍ରତ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ସୋମବାର ରାତି ପାଖାପାଖି ୧୦ଟା ହେବ। ବିକି ଶିଶୁଭବନ ଛକ ନିକଟ ନୂଆ ଫରେଷ୍ଟ ପାର୍କ ରୋଡ୍ରେ ବାଇକ୍ରେ ଯାଉଥିବା ବେଳେ ଏକ କାର୍ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ସେ ତଳେ ପଡ଼ିଯିବା ପରେ ହଠାତ୍ କାରରୁ ୭/୮ ଯୁବକ ବାହାରି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରୁ ବର୍ତ୍ତିବା ଲାଗି ବିକି ଜୀବନ ବିକଳରେ ଦୌଡ଼ିଥିଲେ। ହେଲେ ରକ୍ତମୁଖା ଯୁବକମାନେ ତାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମୁଣ୍ଡ, ପିଠି, ହାତକୁ ଚୋଟ ଉପରେ ଚୋଟ ମାରିଚାଲିଥିଲେ। ଯୁବକମାନଙ୍କର ଏଭଳି ଭୟଙ୍କର ରୂପ ଦେଖି କେହି ଅଟକାଇବାକୁ ସାହସ ଜୁଟାଇନଥିଲେ। ବିକି ରକ୍ତାକ୍ତ ହୋଇ ତଳେ ପଡ଼ିଯିବାରୁ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଏୟାରପୋର୍ଟ ଥାନା ପୁଲିସ ବିକିଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।
୨ ଗୁରୁତର, ହାଣି ଖସିଗଲେ
ସିସିଟିଭି ଯାଞ୍ଚକରୁଛି ପୁଲିସ
ସେହିପରି ଗଭର୍ଣ୍ଣର ହାଉସ୍ ଛକ ଗଳିରେ ସତ୍ୟବ୍ରତ ଓ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଲୁଡ଼ୁ ଖେଳୁଥିଲେ। ଏହି ସମୟରେ ୫ରୁ ୧୦ ବାଇକ୍ରେ ୧୫ରୁ ଊର୍ଦ୍ଧ୍ବ ଯୁବକ ହାତରେ ମାରଣାସ୍ତ୍ର ଧରି ଗଳିରେ ଆତଙ୍କ ଖେଳାଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ନାଁ ନେଇ ଗାଳିଗୁଲଜ କରିବା ସହ ଖଣ୍ଡା ବୁଲାଇ ଭୟ ସୃଷ୍ଟି କରିଥିଲେ। ହେଲେ ସମ୍ପୃକ୍ତ ଯୁବକଙ୍କୁ ନ ପାଇବାରୁ ସେଠାରେ ଲୁଡ଼ୁ ଖେଳୁଥିବା ଯୁବକମାନଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିଲେ। ସମସ୍ତେ ଜୀବନ ବିକଳରେ ଦୌଡ଼ିଥିବା ବେଳେ ସତ୍ୟବ୍ରତ ହାବୁଡ଼ରେ ପଡ଼ିଥିଲେ। ତାଙ୍କ ପିଠି, ହାତ, ମୁଣ୍ଡକୁ ଖଣ୍ଡାରେ ଆକ୍ରମଣ କରି କ୍ଷତାକ୍ତ କରିଥିଲେ। ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ଆହତ ସତ୍ୟବ୍ରତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ତେବେ ଦୁଇଟି ଯାକ ଘଟଣାରେ ଆକ୍ରମଣ କରିଥିବା ଯୁବକମାନେ କିଏ ଏବଂ ସେମାନେ କାହିଁକି ଆକ୍ରମଣ କଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି। ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପୁଲିସ ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଉଦ୍ବେଗର ବିଷୟ ହେଲା, ଭାରତ-ପାକ୍ ଉତ୍ତେଜନା ପରିପ୍ରେକ୍ଷୀରେ ସବୁଠି ହାଇଆଲର୍ଟ ଜାରି ରହିଛି। ସାରା ସହର କଡ଼ା ସୁରକ୍ଷା ବଳୟରେ ଥିବାବେଳେ ଅପରାଧୀ ଗୋଷ୍ଠୀ ଦୁଇଜଣ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି କମିସନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।