ଇବ୍‌ଥର୍ମାଲ: ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ହାରମାନି ନାହାନ୍ତି କେବେ କି ନିରାଶ ହୋଇ ନାହାନ୍ତି ସେବତୀ। ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର ଉଦ୍ୟମରେ ସଫଳ ହୋଇଛନ୍ତି। ଜଣେ ସଫଳ କୃଷି ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠା କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ରେମଣ୍ଡା ଗାଁର ସେବତୀ ପଧାନ। ଗୋପାଳନ କରି ବର୍ଷକୁ ସେ ୭ଲକ୍ଷ ଟଙ୍କାରୁ ଅଧିକ ଲାଭ କରୁଛନ୍ତି।

Advertisment

ସେବତୀ ପ୍ରଧାନ ରେମଣ୍ଡା ଗ୍ରାମର ଏକ ଭୂମିହୀନ ପରିବାରରେ ବାହା ହୋଇଥିଲେ। ସ୍ୱାମୀ ନାରାୟଣ ପ୍ରଧାନ ଓପିଜିସି ଅଧୀନ ଏକ କମ୍ପାନିରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ବହୁତ କଷ୍ଟରେ ଦିନ କଟୁଥିଲା। ତିନୋଟି ସନ୍ତାନଙ୍କୁ ଅଭାବ ଅନାଟନ ଭିତରେ ସେ ପାଳନ କରୁଥିଲେ। ୨୦୦୬ ମସିହାରେ ସ୍ୱାମୀ କାମ କରୁଥିବା କମ୍ପାନି ଓପିଜିସି ଛାଡ଼ି ଅନ୍ୟତ୍ର ଚାଲିଗଲା ପରେ ସ୍ୱାମୀ ଚାକିରି ହରାଇଲେ। ଆର୍ଥିକ ସଂକଟରେ ପରିବାର ଗତି କରୁଥିଲା। କମ୍ପାନିରେ ଜମା ଥିବା ପିଏଫ୍‌ ଟଙ୍କା କାଢି ଓ ଧାର କରି ବନ୍ଧବାହାଲରେ ଏକ ଛୋଟ ୱେଲଡିଂ ଦୋକାନ କରିଥିଲେ। ଗାଁରେ ପିଲାମାନଙ୍କ ପାଇଁ ଭଲ କ୍ଷୀର ମିଳୁନଥଲା। ସେବତୀ ଜିଦ କରିବାରୁ ନାରାୟଣ ଛଡ଼ିଶଗଡ଼ ପୁଷୋରରୁ ୭ ହଜାର ଟଙ୍କା ଦେଇ ଗାଈଟିଏ ଆଣି ଦେଇଥିଲେ। ଗାଈ ୫ ଲିଟର କ୍ଷୀର ଦେଉଥିଲା। ଘରେ କ୍ଷୀର ବ୍ୟବହାର କରିବା ପରେ ସେ ବଳକା କ୍ଷୀର ବିକ୍ରି କରୁଥିଲେ। ଏହାପରେ ବ୍ୟବସାୟିକ ଭାବରେ ଗୋ-ପାଳନ କରି ଆର୍ଥିକ ଭାବରେ ସ୍ୱାବଲମ୍ବୀ ହୋଇ ପାରିବ ବୋଲି ବିଚାର କରିଥିଲେ। ତା’ ପରେ ଆଉ ଗୋଟିଏ ଗାଈ କିଣିଥିଲେ। ସେ ଦିନଠୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ମା’ ବୀଣାପାଣି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାବରେ ଗ୍ରୁପରରୁ ୪ ଲକ୍ଷ ଟଙ୍କାର ଋଣ କରି ଅଧିକ ସଂଖ୍ୟାରେ ଗାଈ କିଣିଥିଲେ। ଋଣ ଠିକ୍ ସମୟରେ ପରିଶୋଧ କରିବା ସହ ଭଲ ଲାଭ ମଧ୍ୟ କଲେ। ଝିଅ, ପୁଅ ବାହାଘର ସହ ସାନ ଝିଅକୁ କଲେଜରେ ପାଠ ପଢ଼େଇବା ପାଇଁ ସକ୍ଷମ ହେଲେ।

ତେବେ ତାଙ୍କ ପାଇଁ କ୍ଷୀର ବିକ୍ରି କରିବା ସବୁଠୁ ବଡ଼ ସମସ୍ୟା ଥିଲା। ସ୍ୱାମୀ ନାରାୟଣ ବନ୍ଧବାହାଲ, ଥର୍ମାଲରେ ଘର ଘର ବୁଲି କ୍ଷୀର ବିକ୍ରି କରୁଥିଲେ। ସମୟ ଅଭାବ ହେବାରୁ କର୍ଲାଯୋରୀ ଓମ୍‌ଫେଡ୍‌ କେନ୍ଦ୍ରରେ କ୍ଷୀର ଦେଲେ। ତେବେ ଦାମ କମ୍ ହେବାରୁ ଲାଭ ହେଲାନି। ଶେଷରେ ଗାଁରୁ ୧୫ କିମି ଦୂର ବେଲପାହାଡ ଶୁଭମ୍ ହଟେଲକୁ ନିୟମିତ କ୍ଷୀର ଦେଲେ। ଭଲ ଲାଭ ହେଲା। ୨୦୨୦ ମସିହାରେ ଗାଈ ସଂଖ୍ୟା ବୃଦ୍ଧି ପାଇ ୭୫ରେ ପହଞ୍ଚିଥିଲେ। ଲକଡାଉନ୍ ସମୟରେ ହୋଟେଲ ବନ୍ଦ ହେବା ପରେ ଦେଢ଼ ଶହରୁ ଦୁଇଶହ ଲିଟର କ୍ଷୀର ପନିର କରି ବିକ୍ରି କରୁଥିଲେ।

ଅଧିକ ସଂଖ୍ୟକ ଗାଈ ରଖିବା ସହ ୨୦୨୦ - ୨୦୨୧ ମସିହାରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ୧୫ ଲକ୍ଷ ଋଣ ପାଇଁ ଆବେଦନ କଲେ। ଋଣ ହେବା ଆଶାରେ ନିଜର ସଂଚିତ ପୁଞ୍ଜି ଖର୍ଚ କରି କିଛି ଦାମିକା ଗାଈ କିଣି ଆଣିଥିଲେ। ସେ ସମୟରେ ହଠାତ୍ ୪୦ଟି ଗାଈ ରୋଗାକ୍ରାନ୍ତ ହୋଇ ମରିଗଲେ। ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ସତ୍ତ୍ୱେ ବଂଚାଇ ପାରିଲେ ନାହିଁ। କ୍ଷୀର ଉତ୍ପାଦନ ପରିମାଣ ହ୍ରାସ ପାଇଲା। ପରିସ୍ଥିତି ଏମିତି ହେଲା ଯେ ଦାନା ଦୋକାନୀର ୮୦ହଜାର ଟଙ୍କା ବାକି ରହିଗଲା। ସେବତୀ ଧୈର୍ଯ୍ୟ ହରା ହେଲେ ନାହିଁ। ସ୍ୱାମୀ ଅନେକ ସମୟରେ ବିଚଳିତ ହେଉଥିଲେ ବି ତାଙ୍କୁ ସାନ୍ତ୍ବନା ଦେଉଥିଲେ। ବଂଚିଥିବା ଗାଈଙ୍କୁ ଯତ୍ନ କଲେ। କ୍ଷୀର ପରିମାଣ ବୃଦ୍ଧି ପାଇ ପୁଣି ୧୦୦ ଲିଟରକୁ ପହଞ୍ଚିଲା। ଏ ସମୟରେ ସେ ବେଲପାହାଡ଼ର ଶୁଭମ ହଟେଲରେ କ୍ଷୀର ଦେବା ବନ୍ଦ କରି ଗାଁ ନିକଟ ବନ୍ଧବାହାଲ ବିରାଟ ହୋଟେଲକୁ ଯୋଗାଉଥିଲେ। ତେବେ ବିରାଟ ହଟେଲ କୌଣସି କାରଣୁ ବନ୍ଦ ହୋଇଗଲା। ଫଳରେ ପୁଣି କ୍ଷୀର ବିକ୍ରି ସମସ୍ୟା ଦେଖାଗଲା। ଅନେକ ଦିନ ଯାଏ କ୍ଷୀରକୁ ନଷ୍ଟ କରିବାକୁ ପଡ଼ିଥିଲା। କ୍ଷୀର ଉତ୍ପାଦନ ଓ ଖର୍ଚ୍ଚ କମ୍‌ କରିବା ପାଇଁ ଗାଈମାନଙ୍କୁ ଦାନା କମ କରିବାକୁ ହୋଇଥିଲା। ଏ ଭଳି ସଂକଟରୁ ମୁକଲିବା ପାଇଁ ଚିନ୍ତାରେ ଥିବା ବେଳେ ଋଣ ଆବେଦନକୁ ସେଣ୍ଟ୍ରାଲ୍ ବେଙ୍କ ନିଜସ୍ଵ ଜମି ନ ଥିବା ଦର୍ଶାଇ ବାତିଲ କରିଦେଲେ। ପ୍ରଥମେ ଲିଜ୍‌ ଡିଡ୍‌ ଆଧାରରେ ଦେବା ପାଇଁ ରାଜି ହୋଇଥିଲା ମାତ୍ର ସରକାରଙ୍କ ଋଣ ଅନୁମୋଦନ ସତ୍ତ୍ଵେ ଭୂମିହୀନ ପରିବାର ହୋଇ ଥିବାରୁ ବ୍ୟାଙ୍କ ଋଣ ମିଳିଲା ନାହିଁ।

ପ୍ରତିକୂଳ ପରିସ୍ଥିତିକୁ ମୁକାବିଲଶ କରି ଆଗକୁ ବଢିବା ସେବତୀଙ୍କ ଜିଦ ଯୋଗୁଁ ଅସମ୍ଭବ ସମ୍ଭବରେ ପରିଣତ ହୋଇଛି। ଏବେ ପୁଣି ଶୁଭମ ହୋଟେଲ ଓ ବିରାଟ ହୋଟେଲକୁ ଦୈନିକ ୧୦୦ ଲିଟର କ୍ଷୀର ଦେଉଛନ୍ତି। ଦୈନିକ ୪ ହଜାର ଟଙ୍କାରୁ ଅଧିକ ଆୟ କରୁଛନ୍ତି। ଗାଁର ଅନେକ ପରିବାରକୁ ରୋଜଗାର ଦେବା ସହ ନିଜ ପରିବାର ପାଇଁ ସ୍ଥାୟୀ ରୋଜଗାର ସୃଷ୍ଟି କରି ପାରିଥିବାରୁ ତାଙ୍କୁ ମା’ ଘର ଚେରି ଟେବୁଲ ଟ୍ରଷ୍ଟ ତରଫରୁ ବିଶ୍ଵ ମହିଳା ଦିବସ ଅବସରରେ ସମ୍ମାନିତ କରାଯାଇଥିଲା। ଏକ ବଡ଼ ଅତ୍ୟାଧୁନିକ ଗାଈ ଫାର୍ମ କରିବା ପାଇଁ ସେବତୀଙ୍କ ଇଚ୍ଛା।  କିନ୍ତୁ ଭୂମିହୀନ ହୋଇ ଥିବାରୁ କୌଣସି ବ୍ୟାଙ୍କ ଋଣ ଦେବା ପାଇଁ ରାଜି ହେଉ ନାହାନ୍ତି। ସେବତୀ କହନ୍ତି ସ୍ଵୟଂ ସହାୟକ ଗୋଷ୍ଠୀରୁ ମିଳିଥିବା ଋଣ ଓ ଗୋଷ୍ଠୀ ସଦସ୍ୟଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇଛି। ପରିବାର ନାଁରେ ଜମି ଖଣ୍ଡେ କିଣିବାକୁ ଚେଷ୍ଟା କରି ସଫଳ ହେଇ ନାହିଁ। ଜମି କିଣିବାକୁ ଗାଁର ଜଣକୁ ଅଢ଼େଇ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲୁଁ, ମାତ୍ର ସେ ଆମକୁ ଜମି ଦେଲା ନାହିଁ କି ପଇସା ଫେରେଇଲା ନାହିଁ। ଏହା ଆମକୁ ନିରାଶ କରିଛି।