ଯାଜପୁରସଦର: ଯାଜପୁର ମହାରାଜା ଯଯାତିକେଶରୀ ମେଡିକାଲ କଲେଜରେ ପାଠପଢ଼ାକୁ ଇତିମଧ୍ୟରେ ବର୍ଷେ ପୂରଣ ହୋଇଛି। ଶହେ ସିଟ୍‌ ପାଇଁ ଏଠାରେ ସମସ୍ତ ଭିତ୍ତିଭୂମି ନିର୍ମାଣ ହୋଇଥିଲେ ସୁଦ୍ଧା ମାତ୍ର ୫୦ ସିଟ୍‌ରେ ପାଠପଢ଼ା ହେଉଛି। ଅବଶିଷ୍ଟ ସିଟ୍‌ରେ ନାମଲେଖା ତଥା ପାଠପଢ଼ା ପାଇଁ କଲେଜ କର୍ତ୍ତୃପକ୍ଷ ଚାହିଁ ବସିଥିବା ବେଳେ ଏହି ଆଶା ମଉଳିବାକୁ ବସିଛି। ଗତକାଲି କେନ୍ଦ୍ର ସରକାର ବଲାଙ୍ଗୀରଅନୁଗୁଳ ମେଡିକାଲ କଲେଜ ପାଇଁ ୨ ଶହ ସିଟ୍‌ ମଞ୍ଜୁର କରିଥିବା ବେଳେ ଯାଜପୁର ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ। ରାଜନୈତିକ ଚକ୍ରାନ୍ତ କାରଣରୁ ଯାଜପୁର ନିଜ ହକ୍‌ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ମେଡିକାଲ କଲେଜରେ ସଂପୂର୍ଣ୍ଣ ସ୍ବାସ୍ଥ୍ୟସେବା ମଧ୍ୟ ଆରମ୍ଭ ହୋଇପାରିନାହିଁ। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

୨୦୨୪-୨୫ ଶିକ୍ଷା ବର୍ଷରୁ ଯାଜପୁର ମେଡିକାଲ କଲେଜରେ ଶିକ୍ଷାଦାନ ଆରମ୍ଭ ହୋଇଛି। ପାଖାପାଖି ୧୨୫ ଜଣ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଟ୍ୟୁଟର୍‌ ପାଠପଢ଼ା ସହ ଜଡ଼ିତ ଅଛନ୍ତି। ମେଡିକାଲ କଲେଜକୁ ଶହେ ସିଟ୍‌ ଘୋଷଣା କରାଯାଇଥିବାବେଳେ ଏଠାରେ ପାଠପଢ଼ା ସହିତ ଲାଇବ୍ରେରି, ହଷ୍ଟେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ପାଠପଢ଼ା ପୂର୍ବରୁ କଲେଜକୁ ୫୦ ସିଟ୍‌ ପାଇଁ ମଞ୍ଜୁରି ମିଳିଥିଲା। ସେହି ସମୟରେ ଚଳିତବର୍ଷ ଅର୍ଥାତ ୨୦୨୫-୨୬ ବର୍ଷରେ ଅବଶିଷ୍ଟ ସିଟ୍‌ ବଢ଼ିବ ବୋଲି ଚର୍ଚ୍ଚା ହୋଇଥିଲା। କେନ୍ଦ୍ର ସରକାର ବଲାଙ୍ଗୀର ଓ ଅନୁଗୁଳ କଲେଜକୁ ୨ ଶହ ସିଟ୍‌ ମଞ୍ଜୁର କରିଥିବା ବେଳେ ଯାଜପୁର ମେଡିକାଲ କଲେଜର ସିଟ୍‌ ବଢ଼ାଯାଇନି। ଅନ୍ୟପଟେ ଏହି ମେଡିକାଲ କଲେଜରେ ଆଜି ପର୍ଯ୍ୟନ୍ତ ରୋଗୀ ସେବା ସଂପୂର୍ଣ୍ଣ ଆରମ୍ଭ ହୋଇପାରି ନାହିଁ।

ଏଠାରେ କେବଳ ମାନସିକ ଓ ଚର୍ମ ରୋଗ ପାଇଁ ସେବା ପ୍ରଦାନ କରାଯାଉଛି। ବାକି ସେବା ପାଇଁ ମେଡିକାଲ କଲେଜର ଡାକ୍ତରମାନେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ କାହିଁକି ସିଟ୍‌ ସଂଖ୍ୟା ବଢ଼ାଯାଉନି, ସେ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଯାଜପୁର ବିଧାୟିକା ସୁଜାତା ସାହୁ କହିଛନ୍ତି, ବିଜେପି ସରକାର ଯାଜପୁରର ବିକାଶକୁ ହଜମ କରି ପାରୁନାହାନ୍ତି। ଫଳରେ ଉଦ୍ଦେଶ୍ୟମୂଳକ ଭାବେ ଯାଜପୁର ମେଡିକାଲ କଲେଜରେ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା ଥାଇ ମଧ୍ୟ ପାଠପଢ଼ା ସୁଯୋଗରୁ ବଞ୍ଚିତ କରୁଛନ୍ତି। ବିଜେପି ନେତା ଗୌତମ ରାୟ କହିଛନ୍ତି, ମେଡିକାଲ୍‌ କଲେଜର ସିଟ୍ ବୃଦ୍ଧି ସମ୍ପର୍କରେ ସମସ୍ତ ବିଧାୟକ ଓ ସାଂସଦ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଖୁବ୍‌ଶୀଘ୍ର ସିଟ୍‌ ବୃଦ୍ଧି ସମ୍ପର୍କରେ ଘୋଷଣା କରାଯିବ। ଅନ୍ୟପକ୍ଷରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ କୌଣସି ଟିପ୍ପଣୀ ଦେବାକୁ ମନା କରିଛନ୍ତି।