ଘୋଷଣା ସତ୍ତ୍ବେ ଖୋଲିଲାନି ଗୁଣ୍ଡିଚା ମନ୍ଦିର; ପ୍ରଶାସନ ଚୁପ୍‌, ଫେରୁଛନ୍ତି ଭକ୍ତ

ପୁରୀ : ଗୁଣ୍ଡିଚା ମନ୍ଦିର ଖୋଲାଯିବ। ବିନା କୌଣସି ଦେୟରେ ଭକ୍ତମାନଙ୍କୁ ପ୍ରବେଶ ଅନୁମତି ମିଳିବ। ସବୁ ବ୍ୟବସ୍ଥିତ ଢଙ୍ଗରେ ହେବ। ଏମିତି କେତେ ଆଶା ଦେଖାଇଲା ଶ୍ରୀମନ୍ଦିର ପ୍ରଶାସନ। ଅଥଚ ଘୋଷଣାର ପାଖାପାଖି ମାସେ ବିତିଥିଲେ ସୁଦ୍ଧା ଏଯାଏ ଗୁଣ୍ଡିଚା ମନ୍ଦିର ଖୋଲି ପାରିଲା ନାହିଁ।

ପୁରୀ ସହରର ସମସ୍ତ ମନ୍ଦିର ଖୋଲିଥିଲେ ବି ଗୁଣ୍ଡିଚା ମନ୍ଦିର ଖୋଲିବା ସଂକ୍ରାନ୍ତ ନିଷ୍ପତ୍ତି ଏବେ ବି ଝୁଲିରହିଛି। ଘୋଷଣା କରିଥିଲେ ବି କାହିଁକି ଏ ସଂକ୍ରାନ୍ତ ଚୂଡ଼ାନ୍ତ ମୋହର ବାଜି ପାରୁନାହିଁ ସେଥିରେ ପ୍ରଶ୍ନବାଚୀ ଲାଗିଛି। କେବେ ଖୋଲିବ ସେ ବାବଦରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେବା ପରିବର୍ତ୍ତେ କେବଳ ଶୀଘ୍ର ଖୋଲିବ ବୋଲି ଘୋଷଣା କରି କାମ ସାରିଦେଇଛି ପ୍ରଶାସନ। ଫଳରେ ଏବେ ବି ଦୈନିକ ଦୁଇ ହଜାରରୁ ଅଧିକ ଭକ୍ତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆସୁଥିଲେ ବି ଦ୍ବାର ବନ୍ଦ ଦେଖି ନିରାଶ ହୋଇ ଫେରୁଛନ୍ତି। କରୋନା ଭୟାବହତା ପ୍ରଶମିତ ହେବା ପରେ ଶ୍ରୀମନ୍ଦିର ସମେତ ରାଜ୍ୟ ଓ ଦେଶର ସମସ୍ତ ମନ୍ଦିର ଖୋଲିଛି। ମାତ୍ର ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ବହୁ ଭକ୍ତ ଗୁଣ୍ଡିଚା ମନ୍ଦିର ଆସିଲେ କେବଳ ଏହା ସମ୍ମୁଖରେ ଫଟୋଟିଏ ଉଠାଇ ସେତିକିରେ ସନ୍ତୁଷ୍ଟ ରହୁଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହାପ୍ରଭୁଙ୍କ ଜନ୍ମସ୍ଥଳୀ ହୋଇଥିବାରୁ ରାଜ୍ୟ ବାହାରୁ ଆସୁଥିବା ବହୁ ପର୍ଯ୍ୟଟକ ଶ୍ରଦ୍ଧାରେ ଗୁଣ୍ଡିଚା ମନ୍ଦିରକୁ ଛୁଟି ଆସନ୍ତି। ପୁଣି ରଥଯାତ୍ରାରେ ଶ୍ରୀଜୀଉମାନେ ଆସି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦର୍ଶନ ଦେଉଥିବାରୁ ଏହା ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ରଥଯାତ୍ରାରେ ଆସିପାରୁନଥିବା ବହୁ ପର୍ଯ୍ୟଟକ ମହାପ୍ରଭୁଙ୍କ ଗୁଣ୍ଡିଚା ଲୀଳା ବାବଦରେ ଜାଣିବାକୁ ଏଠାକୁ ଆସନ୍ତି। ସବୁବେଳେ ଏଠାରେ ମହାପ୍ରଭୁଙ୍କ ଦର୍ଶନ ମିଳୁନଥିଲେ ହେଁ ପ୍ରଭୁଙ୍କ ସିଂହାସନ ଦର୍ଶନ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ‌ହୁଏ। ଶ୍ରଦ୍ଧାଳୁମାନେ ସିଂହାସନ ସମେତ, ଜୟ ବିଜୟ, ଗରୁଡ଼ ଓ ନବଗ୍ରହଙ୍କ ଦର୍ଶନ କରିବାର ସୁଯୋଗ ନିଅନ୍ତି। ମାତ୍ର ଏବେ ବନ୍ଦ ଦ୍ବାର ଦେଖି ଫେରିବାକୁ ପଡ଼ୁଛି।

ପୂର୍ବରୁ ଗୁଣ୍ଡିଚା ମନ୍ଦିର ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କଠାରୁ ମୁଣ୍ଡ ପିଛା ୧୦ ଟଙ୍କା ଲେଖାଏଁ ଟିକେଟ୍‌ ବାବଦରେ ନିଆଯାଇ ମନ୍ଦିରକୁ ପ୍ରବେଶ ଅନୁମତି ମିଳୁଥିଲା। ଏବେ କିନ୍ତୁ ପ୍ରଶାସନ ପକ୍ଷରୁ ତାହା ବି କୋହଳ କରିଦେଇଛି। ଏହାକୁ ନେଇ ଭକ୍ତ ମହଲ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ‌ଗୁରୁତ୍ବପୂର୍ଣ୍ଣ କଥା ହେଲା, ମନ୍ଦିର ଖୋଲିବା ନେଇ ଘୋଷଣା ସରିଥିଲେ ମଧ୍ୟ କେଉଁଠି ସମସ୍ୟା ରହୁଛି ସେ ବାବଦରେ କାହା ଠାରୁ ସନ୍ତୋଷଜନକ ମିଳିପାରୁନାହିଁ।

ସମ୍ବନ୍ଧିତ ଖବର