ଭୁବନେଶ୍ୱର : କରୋନା ଉଜାଡ଼ି ଦେଇଛି ପୂଜା ବଜାର। ଗଣେଶ ପୂଜାରୁ ଦୀପାବଳି, ମୂର୍ତି କାରିଗରଙ୍କଠୁ ନେଇ କଳାକାର, ସାଜସଜାଠୁ ସିନେମା ସହିତ ଜଡ଼ିତ ଅର୍ଥନୀତିକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେଲା। ପାର୍ବଣ ଋତୁର ମେଳା, ମହୋତ୍ସବ ଓ ଯାନିଯାତ୍ରା ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ବ୍ୟକ୍ତିଙ୍କ ମେରୁଦଣ୍ଡ ବି ଦୋହଲିଯାଇଛି। ପୂଜା ଋତୁରେ ପାଖାପାଖି ୫ଶହ କୋଟିର କାରବାର ଉଜୁଡ଼ି ଯାଇଛି ରାଜ୍ୟରେ। ଏମାନଙ୍କ ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ କି ସ୍ବତନ୍ତ୍ର ପ୍ୟାକେଜ୍ ବି। ସମସ୍ତେ ଧୀରେ ଧୀରେ ନିଜ କର୍ମସଂସ୍ଥାନ ଭିତରକୁ ଫେରିଯିବେ। ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୁଣି ଗୋଟିଏ ପାର୍ବଣ ଋତୁ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ।
ଶ୍ରୀଗଣେଶଙ୍କ ପୂଜା ରାଜ୍ୟରେ ୬ ହଜାରରୁ ଊର୍ଦ୍ଧ୍ବ ମଣ୍ଡପରେ ୬୦ କୋଟି ଟଙ୍କା ବ୍ୟୟରେ ଅନୁଷ୍ଠିତ ହୁଏ। ମାତ୍ର କଟକଣା ଯୋଗୁଁ ଏଥର ପୂଜା ଅନୁଷ୍ଠିତ ହେଲା ନାହିଁ। ବିଶାଳ ଗଣେଶ ମୂର୍ତ୍ତି ସାଙ୍ଗକୁ ୧୩ ଦିନର ବଡ଼ ମେଳା ପାଇଁ ପ୍ରସିଦ୍ଧ ଜଟଣୀ ସହର ମଧ୍ୟ ଏଥର କେବଳ ବିଧି ରକ୍ଷା ପାଇଁ ପୂଜା କରିଥିଲା। ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମଧ୍ୟ ଫିକା ପଡ଼ିଥିଲା। ପ୍ରତିବର୍ଷ ଆଲୋକମାଳାରେ ଝଲସି ଉଠୁଥିବା ଇସ୍ପାତନଗରୀ ରାଉରକେଲା, ତାଳଚେର, ଅନୁଗୁଳ ଓ ଭୁବନେଶ୍ବର ଓ କଟକ ଭଳି ଶିଳ୍ପାଞ୍ଚଳରେ କେବଳ ୫୦୦ରୁ ଊର୍ଦ୍ଧ୍ବ ମୂର୍ତ୍ତି ପୂଜା ହୁଏ। ତେବେ ଚଳିତ ବର୍ଷ କାମ ଚଳା ପୂଜା ହୋଇଥିଲା। ଫଳରେ ୧୫ କୋଟି ଟଙ୍କାର ପୂଜା ବ୍ୟବସାୟ ମାଡ଼ ଖାଇଗଲା।
ଦଶହରାରେ ୨୬୦୦ରୁ ଅଧିକ ପୂଜା ମଣ୍ଡପରେ ମା’ ବିରାଜମାନ କରିଥିଲେ ସୁଦ୍ଧା ଅନେକ ସ୍ଥାନରେ ଘଟ ପୂଜାରେ ଏହା ସୀମିତ ରହିଥିଲା। ସମଗ୍ର ରାଜ୍ୟରେ ପୂଜା ବଜେଟ୍ ୧୦୦ କୋଟି ରହୁଥିବା ବେଳେ ଏଥର ଏହା ୧୦ କୋଟିରେ ପହଁଞ୍ଚିଥିଲା। କେବଳ ଦ୍ବୈତନଗରୀର ୩୨୫ରୁ ଊର୍ଦ୍ଧ୍ବ ଦୁର୍ଗାପୂଜା ମଣ୍ଡପରେ ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୁଏ। କଟକର ସୁନା ମୁକୁଟକୁ ଭୁବନେଶ୍ବରର ସୁଦୃଶ୍ୟ ତୋରଣ ମଧ୍ୟରେ ପ୍ରତିଯୋଗିତା ହୁଏ। ଏଥର ୪ ଫୁଟ୍ ଉଚ୍ଚର ମୂର୍ତ୍ତିରେ ଏବଂ ୭ ଜଣ ସଦସ୍ୟଙ୍କୁ ନେଇ ପୂଜା ଅନୁଷ୍ଠିତ ହୋଇଥିବାରୁ କୌଣସି ଆଡ଼ମ୍ବର ହୋଇନଥିଲା। ବଜେଟ୍ର ବଡ଼ ଅଂଶ ଭସାଣ ଯାତ୍ରାରେ ବିନିଯୋଗ ହେଉଥିଲେ ହେଁ ଏହା ମଧ୍ୟ ବାରଣ ଥିଲା। ଫଳରେ ମ୍ୟୁଜିକ୍ ସାଉଣ୍ଡ୍ଠୁ ଆରମ୍ଭ କରି ବିଭିନ୍ନ ଅର୍କେଷ୍ଟ୍ରା ପାର୍ଟିର ଆୟ ବନ୍ଦ ହୋଇଯାଇଥିଲା। ବର୍ଷ ସାରା ପାର୍ବଣ ଋତୁରୁ ଆସୁଥିବା ଆୟରେ ବର୍ଷ ସାରା ଚଳୁଥିବା ଅସ୍ଥାୟୀ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଦୋଳି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବିକା ଗଭୀର ପ୍ରଭାବିତ ହୋଇଛି।
ରାଜଧାନୀ ଶାନ୍ତି କମିଟିର ସଂପାଦକ ନବକିଶୋର ବେହେରା କହିଛନ୍ତି ଯେ ବେଲୁନ୍ ବ୍ୟବସାୟୀଙ୍କଠୁ ନେଇ କାରିଗରଙ୍କ ପର୍ଯ୍ୟନ୍ତ ସମସ୍ତେ ଗଭୀର ପ୍ରଭାବିତ ହୋଇଛନ୍ତି। ମହାମାୟାଙ୍କ ପରେ ଗଜଲକ୍ଷ୍ମୀ ଧରାବତରାଣ କରିଥିଲେ। ମାତ୍ର ନିରାଡ଼ମ୍ବର ପୂଜା ଭକ୍ତଙ୍କୁ ମାୟା ଲଗାଇପାରିନଥିଲା। ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ମଧ୍ୟ ଏଥର ୩୮ଟି ପଞ୍ଜୀକୃତ ମଣ୍ଡପରେ ପୂଜା ସୀମିତ ରହିଥିଲା। ତେବେ ପ୍ରତିଥର ବିଭିନ୍ନ ବାଦ୍ୟ ଓ ନାମ ସଂକୀର୍ତ୍ତନରେ କମ୍ପି ଉଠୁଥିବା ଢେଙ୍କାନାଳ ଶୂନଶାନ ଥିଲା। ୭ ଦିନ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେଉଥିବା ସହରରେ ମାତ୍ର ଦୁଇଦିନରେ ମା’ଙ୍କୁ ବିସର୍ଜନ କରିଥିଲେ। ୨୦ କୋଟି ଟଙ୍କାର ବ୍ୟବସାୟରେ ଫିକା ପଡ଼ିଥିଲା।
୨୫୦ରୁ ଅଧିକ ହୋଲସେଲ୍ ବାଣ ବ୍ୟବସାୟୀ ପ୍ରତି ଥର ଶିବକାଶୀ ଓ ଅନ୍ୟାନ୍ୟ ଜାଗାରୁ ପ୍ରାୟ ୭୦ ଲକ୍ଷ ଟଙ୍କା ଲେଖାଏଁ ବାଣ ମଗାଇଥାଆନ୍ତି। ଏହି ହିସାବରେ ରାଜ୍ୟରେ ପ୍ରାୟ ୧୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବାଣ ବ୍ୟବସାୟ ହୋଇଥାଏ। ଜଟଣୀ, ପଦ୍ମପୁର, ଲେଖନପୁର ଭଳି ଅଞ୍ଚଳର ବହୁ ପରିମାଣରେ ବାଣ ବିକ୍ରିବଟା ହୁଏ।
ସେହିଭଳି ଅଗଷ୍ଟରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ପାର୍ବଣ ଋତୁରେ ରାଜ୍ୟରେ ସିନେ ଓ ଯାତ୍ରାଜଗତ ଚଳଚଞ୍ଚଳ ହୋଇଉଠେ। ଗଣପର୍ବ ଓ ସ୍ଥାନୀୟ ମେଳଣରେ ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରି ଉଚ୍ଚଅଙ୍କର ଆୟ କରନ୍ତି। ଯାତ୍ରା ରଙ୍ଗମହଲର ସ୍ବତ୍ତ୍ବାଧିକାରୀ ସତ୍ୟ ଜେନାଙ୍କ କହିବାନୁଯାୟୀ, ପାର୍ବଣ ଋତୁରେ ପ୍ରାୟ ୨ କୋଟି ଟଙ୍କା ଆୟ ହୁଏ। ଏହି ୪ ମାସର ଆୟ ସମଗ୍ର ବର୍ଷରେ ହେଉଥିବା ଆୟର ୫୦ ପ୍ରତିଶତ। ସିନେମା ଜଗତ ଯାତ୍ରା ଜଗତଠାରୁ ୫ ଗୁଣା ଅଧିକ କ୍ଷତି ସହିଛି। ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ କହିଛନ୍ତି, ପାର୍ବଣ ଆରମ୍ଭରେ ଗଣେଶ ପୂଜାରେ ଦୁଇଟି,ଦଶହରା ବଜାରରେ ୩ରୁ ୪ଟି ଓ କାଳୀପୂଜାରେ ୩ଟି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପଡ଼େ। ୧୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ୧୦ କୋଟିରୁ ଅଧିକ ଟଙ୍କା ଆୟ କରନ୍ତି ବୋଲି ସିନେ ପ୍ରଯୋଜକ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ମାତ୍ର ବର୍ତ୍ତମାନ କରୋନା ପାଇଁ ପାର୍ବଣ ଋତୁ ପାଣିଚିଆ ହୋଇଯାଇଛି।
ସେହିଭଳି ଆଗକୁ ଐତିହାସିକ ବାଲିଯାତ୍ରା ଆସୁଥିଲେ ହେଁ ଏହାକୁ ବନ୍ଦ ରଖାଯାଇଛି। ପ୍ରତି ବର୍ଷ ଏଠାରେ ୪୫ରୁ ୫୦ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ୯ ଦିନରେ ୮୦ରୁ ୯୦ କୋଟି ଟଙ୍କା ବେପାର ହୁଏ। କଟକ ବ୍ୟତୀତ ପାରାଦୀପ, ଭୁବନେଶ୍ବର, ଜାହାନିଆଁ ପୀଠ ଭଳି ଅଞ୍ଚଳରେ ବାଲିଯାତ୍ରା ଅନୁଷ୍ଠିତ ହୁଏ। ସମଗ୍ର ରାଜ୍ୟର ହିସାବ ମୁତାବକ, ବାଲିଯାତ୍ରାରେ ରାଜ୍ୟରେ ୧୦୦ କୋଟି ଟଙ୍କାର କାରବାର ହୁଏ। ମାତ୍ର ଏହି ମେଳାରୁ ଉପକୃତ ହଜାର ହଜାର ବେପାରୀ ବ୍ୟବସାୟ ହରାଇଛନ୍ତି। କରୋନା ଦାଉରୁ ରକ୍ଷା ପାଇବା ପାଇଁ କଟକଣାର ବାଟ ଆପଣାଇଥିଲେ ହେଁ ଏଥିରେ ବହୁ କ୍ଷୁଦ୍ର ଓ ଅସ୍ଥାୟୀ ବ୍ୟବସାୟୀଙ୍କ ଜୀବିକା ଉଜୁଡ଼ି ଯାଇଛି।