ଖୋର୍ଦ୍ଧା : ଉଜୁଡୁଛି ଜଙ୍ଗଲ, ନିଶ୍ଚିନ୍ତରେ ବନ ବିଭାଗ

ଖୋର୍ଦ୍ଧା : ମାତ୍ର ୧୦୦ ବର୍ଷ ପୂର୍ବେ ସମଗ୍ର ଖୋର୍ଦ୍ଧା ଗ୍ରାମାଂଚଳ ଜଙ୍ଗଲରେ ଭରପୂର ଥିଲା। ବର୍ତମାନ ରାଜ୍ୟର ସବୁଠାରୁ କମ୍ ଜଙ୍ଗଲ ଥିବା ଜିଲ୍ଲାଭାବେ ପରିଚିତ। ୫୦ ବର୍ଷ ପୂବେର୍ ଟାଙ୍ଗୀ, ଖୋର୍ଦ୍ଧା, ବାଣପୁର ଅଂଚଳରେ କୁମ୍ଭୀର ଦେଖାଯାଉଥିଲେ। ବର୍ତମାନ କୁମ୍ଭୀର ସଂପୂର୍ଣ୍ଣ ଭାବେ ଲୋପ ପାଇଯାଇଛନ୍ତି। କେବଳ ଏହାନୁହେଁ ଖୋର୍ଦ୍ଧାରେ ୫ବର୍ଷ ପୂବେର୍ ଯାହା ଜଙ୍ଗଲ ଥିଲା ବର୍ତମାନ ସେଥିରୁ ୧୪ହଜାର ହେକ୍ଟର ଜଙ୍ଗଲ ହ୍ରାସ ପାଇଛି। ଏହାସହ ଖୋର୍ଦ୍ଧା ଜଙ୍ଗଲରେ ଥିବା ୪୦ ହାତୀଙ୍କ ସଂଖ୍ୟା ହ୍ରାସପାଇ ୨୪କୁ ଓହ୍ଲାଇ ଆସିଛି।

ବନ ବିଭାଗରୁ ମିଳିଥିବା ସୂଚନାନୁସାରେ, ୨୦୧୪–୧୫ରେ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୬୪,୮୬୬ ହେକ୍ଟର ଜଙ୍ଗଲ ରହିଥିଲା। ୨୦୧୯–୨୦ ମଇ ମାସରେ ଏହା ହ୍ରାସ ପାଇ ୫୦, ୯୩୬ହେକ୍ଟରରେ ପହଂଚିଛି। ଅର୍ଥାତ୍ ଏହି ୫ ବର୍ଷ ମଧ୍ୟରେ ଖୋର୍ଦ୍ଧା ଗ୍ରାମାଂଚଳରୁ ୧୪ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଇଛି। ୨୦୧୯ ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୩୯୪ ବର୍ଗ କିମି ଜଙ୍ଗଲ ରହିଥିଲା, ଅର୍ଥାତ୍ ଜିଲ୍ଲାର ମୋଟ ୨୮୧୩ ବର୍ଗ କିମି ଭୌଗଳିକ କ୍ଷେତ୍ରର ପ୍ରାୟ ୧୫ ପ୍ରତିଶତ ଅଂଚଳରେ ଜଙ୍ଗଲ ରହିଥିଲା। ଏହା ମଧ୍ୟରୁ ୨୩ ବର୍ଗ କିମି ଅଂଚଳରେ ଘଂଚ ଜଙ୍ଗଲ, ୧୯୧ ବର୍ଗ କିମି ଅଂଚଳରେ ମଧ୍ୟମ ଧରଣର ଜଙ୍ଗଲ ଓ ୧୮୦ ବର୍ଗ କିମି ଅଂଚଳରେ ଖୋଲା ଜଙ୍ଗଲ ରହିଥିଲା। ୩୧ ଡିସେମ୍ବର ୨୦୦୯ରେ ଜିଲ୍ଲାରେ ମୋଟ ଜଙ୍ଗଲର ପରିମାଣ ୬୧୮.୬୭ ବର୍ଗ କିମି ରହିଥିଲା। ଅର୍ଥାତ୍ ୧୦ ବର୍ଷ ମଧ୍ୟରେ ଜିଲ୍ଲାରୁ ବିଭିନ୍ନ କିସମର ୨୨୪ ବର୍ଗ କିମି ଜଙ୍ଗଲ ଉଭାନ୍ ହୋଇଯାଇଛି।

YouTube

ଅପରପକ୍ଷରେ , ଖୋର୍ଦ୍ଧା ବନଖଣ୍ତ (ପୁରୀର ଡେଲାଙ୍ଗ, ଖୋର୍ଦ୍ଧା, କଟକର ବାଙ୍କୀ ଓ ନୟାଗଡ଼ର ରଣପୁର)ର ମୋଟ ୩୫୧୪ ବର୍ଗ କିମି ଅଂଚଳରେ ଜଙ୍ଗଲର ପରିମାଣ ୫୭୭ ବର୍ଗ କିମି ରହିଛି । ଅର୍ଥାତ୍ ବନଖଣ୍ତର ମୋଟ ଭୌଗଳିକ କ୍ଷେତ୍ରର ଏହା ୧୬.୦୯ ପ୍ରତିଶତ ଅଟେ। ପରିବେଶ ବିଭାଗ ପକ୍ଷରୁ ଏକ ଅଂଚଳର ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ମୋଟ ଭୌଗଳିକ କ୍ଷେତ୍ରର ୩୦ ପ୍ରତିଶତ ଜଙ୍ଗଲ ରହିବା ଆବଶ୍ୟକ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ରାଜ୍ୟର ସର୍ବନିମ୍ନ ରହିଛି।

ପୂର୍ବରୁ ଜଙ୍ଗଲ ଜମିରେ ବେଆଇନ କ୍ରସର, ପଥର ଖଣି ନେଇ ଏନ୍ଜିଟି ଜିଲ୍ଲାପ୍ରଶାସନକୁ କଡ଼ା ସମାଲୋଚନା କରିଥିବା ବେଳେ ଚଳିତ ମାସ ୨ ତାରିଖରେ ଜାତୀୟ ଗ୍ରୀନ୍ ଟ୍ରାଇବୁନାଲ୍ ପୁଣିଥରେ ଖୋର୍ଦ୍ଧା ବ୍ଲକର ତାପଙ୍ଗ, ଅଣ୍ତ ଆଦି ଜଙ୍ଗଲ ଜମିର ୫୦୦ ଏକର ଅଂଚଳରେ ବେଆଇନ ମାଙ୍କଡ଼ା ପଥର ଖନନ ନେଇ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛି। ଗୋଟିଏ ପଟେ ଜିଲ୍ଲାରେ ବେଆଇନ ଜଙ୍ଗଲ କଟା ବୃଦ୍ଧି ପାଉଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରିବା ବିଭାଗର ସ୍ବଚ୍ଛତା ଆଡ଼କୁ ଅଙ୍ଗୁଳି ନିେର୍ଦ୍ଦଶ କରିଛି।

ସମ୍ବନ୍ଧିତ ଖବର