ରାୟଗଡ଼ା: ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂପ୍ରସାରଣ ପାଇଁ ଗୋଟିଏ ଦିନରେ ୬୦ଟି ବଡ଼ ଗଛକୁ କଟାଯାଇଛି। ବୈଠକ ଗୃହ ସହ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରଥମ ଶ୍ରେଣୀ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ ଲାଗି ଏମିତି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ୧୨ବର୍ଷ ତଳେ ଲାଗିଥିବା ଗଛକୁ ତରବରିଆ ଭାବେ କଟାଯିବାକୁ ପରିବେଶବିତ୍ ସହଜରେ ଗ୍ରହଣ କରିପାରି ନାହାନ୍ତି। ବିକଳ୍ପ ଚିନ୍ତା ନକରି ଗଛ କାଟିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ୫ତାରିଖ ଦିନ ରାୟଗଡ଼ାରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଥିଲା। ବିଭିନ୍ନ ସଂଗଠନ ଓ ବନ ବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ନିମନ୍ତେ ବାର୍ତ୍ତା ଦିଆଗଲା। ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ମଧ୍ୟ ପରାମର୍ଶ ଦିଆଗଲା। କିନ୍ତୁ ସପ୍ତାହକ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଛ କଟାଯାଇଛି। ଯେଉଁ ଗଛଗୁଡ଼ିକୁ କଟାଯାଇଛି ତାହା ‘ଅଁଳା’ ବୋଲି ଜଣାପଡ଼ିଛି।
ତତ୍କାଳୀନ ଜିଲ୍ଲାପାଳ ଶଶିଭୂଷଣ ପାଢ଼ୀ ଓ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ବାବଧାନରେ ୨୦୧୨ ମସିହାରେ ଏହି ଗଛଗୁଡ଼ିକ ଲାଗିଥିଲା। ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ତତ୍କାଳୀନ ଜିଲ୍ଲାପାଳ ଏଭଳି ପଦକ୍ଷେପ ନେଇଥିଲେ। ଏହାପରେ ଆଉ କୌଣସି ଅଧିକାରୀ ବୃକ୍ଷରୋପଣକୁ ସେତେଟା ଗୁରୁତ୍ବ ଦେଇନଥିଲେ। ଗଛ କାଟିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ନେଇଥିବା ରାୟଗଡ଼ା ରେଞ୍ଜର କାମେଶ୍ବର ଆଚାରୀ ସୂଚନା ଦେଇଛନ୍ତି। ଯଦିଓ ବିକାଶ କାର୍ଯ୍ୟ ନିମନ୍ତେ ଗଛ କାଟିବାକୁ ନିୟମ ରହିଛି। ତେବେ ଗୋଟିଏ ଗଛ କାଟିଲେ ବଦଳରେ ତିନିଟି ଗଛ ଲଗାଇବା ପାଇଁ ନିୟମ ରହିଛି। ଏହି ନିୟମକୁ ପାଳନ କରିବା ଦିଗରେ ଜିଲ୍ଲା ପ୍ରଶାସନ କ’ଣ ପଦକ୍ଷେପ ନେଇଛି ସ୍ପଷ୍ଟ ହୋଇପାରି ନଥିବା ବେଳେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି। ବିକାଶ ନାଁରେ ୧୨ବର୍ଷ ପୁରୁଣା ଗଛକୁ କାଟିବା ତାହା ପୁଣି ଅଧିକାରୀଙ୍କ ସ୍ୱାର୍ଥ ଓ ସୁବିଧା ପାଇଁ କେତେଦୂର ଯୁକ୍ତିଯୁକ୍ତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ପରିବେଶର ଏଭଳି କ୍ଷତିକୁ ଆଗକୁ ପ୍ରଶାସନ କିଭଳି ଭରଣା କରୁଛି ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/ffhsffhshf.jpg)