ଭୁବନେଶ୍ବର: ଆଜି ଅପରାହ୍ଣରେ ଯାଜପୁର ଜିଲ୍ଲାରୁ ପୁଣି ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି ଏବଂ ଏଥିସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଛୁଇଁଛି ।ଏଯାବତ୍ ଆଜି ଦିନରେ ସମୁଦାୟ ୧୭ ଜଣ କରୋନା ଆକ୍ରାନ୍ତ କେବଳ ଯାଜପୁର ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ସମସ୍ତ ଆକ୍ରାନ୍ତ ଜିଲ୍ଲାର ଦଶରଥପୁର ବ୍ଳକର ବାସିନ୍ଦା ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।
ଏହି ୧୪ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨ ହୋଇଛି। ନୂଆ ଚିହ୍ନଟ ୧୪ ଜଣଙ୍କ ସଂପର୍କରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟୁଇଟ୍ କରିଛି। ଟୁଇଟ୍ ଅନୁସାରେ ଏହି ସମସ୍ତ ଆକ୍ରାନ୍ତ ଜିଲ୍ଲାର ଦଶରଥପୁର ବ୍ଲକର କଟିକଟା ପଞ୍ଚାୟତର କଣ୍ଟେନମେଣ୍ଟ୍ ଜୋନର ଅଧିବାସୀ ଏବଂ ସମସ୍ତେ କୋଲକାତା ଲିଙ୍କରୁ ହିଁ ସଂକ୍ରମିତ ହୋଇଛନ୍ତି।
2nd Health Update, 30 April
14 Positives in Jajpur
29 yr Male, 38 yr Male, 35 yr Male, 40 yr Female, 29 yr Male, 20 yr Female,
85 yr Female, 3 yr Male, 34 yr Male,
3 yr Female, 36 yr Female, 12 yr Male, 52 yr Female & 62 yr Male.Total Positive Case:142
— I & PR Department, Odisha (@IPR_Odisha) April 30, 2020
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ସୂଚନା ମିଳିଛି। ଏହି ତିନି ଶିଶୁଙ୍କ ମଧ୍ୟରେ ଜଣେ ୩ ବର୍ଷର ବାଳିକା ଥିବା ବେଳେ ଅନ୍ୟ ଦୁଇ ଜଣ ଯଥାକ୍ରମେ ୩ ବର୍ଷ ଓ ୧୨ ବର୍ଷ ବୟସର ବାଳକ । ଏହି ୩ ଶିଶୁ କୋଲକାତା ଫେରନ୍ତା ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଆକଳନ କରାଯାଉଛି। ଅନ୍ୟ ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ବେଳେ ଅବଶିଷ୍ଟ ୭ ଜଣ ପୁରୁଷ ବୋଲି ସୂଚନା ଦେଇଛନ୍ତି ସରକାର। ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୦, ୨୦, ୮୫, ୩୬ ଓ ୫୨ ବର୍ଷ ରହିଛି। ସେହିପରି ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୯,୩୮,୩୫ ,୨୯,୩୪,୧୨ ଓ ୬୨ ବର୍ଷ ।
ଉଲ୍ଲେଖଯୋଗ୍ୟ କଥା ହେଲା, ନୂଆ ୧୪ ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଞ୍ଜୟ ସିଂ କହିଛନ୍ତି, ଯାଜପୁରରୁ ଏକାବେଳେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। କାରଣ ସମସ୍ତ ଆକ୍ରାନ୍ତ କଟିକଟା କଣ୍ଟେନମେଣ୍ଟ୍ ଜୋନର ବାସିନ୍ଦା ଏବଂ କୋଲକାତା ଲିଙ୍କରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇ ନମୁନା ସଂଗ୍ରହ କରାଯାଇଥିଲା।