ଚିନ୍ତା ବଢ଼ାଇଲେ ପଞ୍ଚମ ଆକ୍ରାନ୍ତ : ବିଦେଶ ଯାଇ ନଥିଲେ, ସଂସ୍ପର୍ଶରେ ଆସିଛନ୍ତି ୨୧ଜଣ

ସମ୍‌ ଓ ଏମ୍‌ସ ସମେତ ୩ ହସ୍ପିଟାଲକୁ ଯାଇଥିଲେ, ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିଲା ଥଣ୍ଡା

ଗୋଷ୍ଠୀ ସଂକ୍ରମଣ କି ନୁହେଁ ଅନୁଧ୍ୟାନ ଚାଲିଛି
୪୯ଥର ପରେ ଫୋନ୍ ଉଠାଇଥିଲେ ଜଣେ ଆକ୍ରାନ୍ତ
ଶ୍ରୀରାମଙ୍କ ବନବାସ କଥା ମନେ ପକାଇଲେ ବାଗଚୀ

ଭୁବନେଶ୍ବର : ରାଜଧାନୀର ସୂର୍ଯ୍ୟନଗର ଅଞ୍ଚଳରୁ ଗତକାଲି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରଦୀପ୍ତ କୁମାର ଦଳବେହେରାଙ୍କ ସଂକ୍ରମଣକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। ଯେହେତୁ ଶ୍ରୀ ଦଳବେହେରାଙ୍କ କୌଣସି ବିଦେଶ ଯାତ୍ରା କିମ୍ବା ଅନ୍ୟ ରାଜ୍ୟରୁ ଯାତ୍ରା ଇତିହାସ ନାହିଁ; ଏଭଳି ପରିସ୍ଥିତିରେ କିଭଳି ସେ ସଂକ୍ରମିତ ହେଲେ ତାହା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଇତିମଧ୍ୟରେ ଏହି ୫ମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏ ପର୍ଯ୍ୟନ୍ତ ଆସିଥିବ‌ା ୨୧ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଠାବ କରିବା ପ୍ରକ୍ରିୟା ଜାରି ରହିଛି। ତହିଁରୁ ୧୪ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ନମୁନା ରିପୋର୍ଟ ଆସିବା ପରେ ଏହା ଗୋଷ୍ଠୀ ସଂକ୍ରମଣ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଖିଛନ୍ତି। ତବେ ଏହାକୁ ନେଇ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି ଏବଂ ରାଜଧାନୀରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି।

ଅପରପକ୍ଷରେ ଚତୁର୍ଥ ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ୩୩ଜଣଙ୍କୁ ଚିହ୍ନଟ କରାଯାଇ ସାରିଲାଣି ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ପ୍ରଥମ ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୫ଜଣ ଆସିଥିବା ବେଳେ ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ଜଣ ଲୋକ ଆସିଛନ୍ତି। ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ତେବେ ରାଜ୍ୟରେ ଯେଉଁ ୫ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୯ଥର ଫୋନ୍ ଯିବା ପରେ ସେ ଫୋନ୍ ଉଠାଇଥିଲେ। ଦୁର୍ବାର ପରିସ୍ଥିତିରେ ଡର ବା ଭୟ ଲାଗିବା ସ୍ବାଭାବିକ କଥା। ହେଲେ ଏହି ଭୟକୁ ଜୟ କରିବାର କ୍ଷମତା ଭଗବାନ ମଣିଷକୁ ଦେଇଛନ୍ତି। ଭୟକୁ ଡରିଲେ ଭୟ ‌ଅଧିକ ଡରାଇବ। ତେଣୁ ଯେଉଁ ବ୍ୟକ୍ତିମାନେ କରୋନା ସନ୍ଦିଗ୍ଧ ବୋଲି ମନେ କରୁଛନ୍ତି, ସେମାନେ ଦମ୍ଭର ସହିତ ଆଗେଇ ଆସନ୍ତୁ। ତାଙ୍କର ଏହି କାର୍ଯ୍ୟ ପାଇଁ ପରିବାର, ସମାଜ ଓ ଜାତି ସବୁଦିନ ପାଇଁ କୃତଜ୍ଞ ହୋଇ ରହିବ।

ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ହେଉଛି ପବିତ୍ର ରାମ ନବମୀ। ଶ୍ରୀରାମ ସିଂହାସନ, ରାଜ୍ୟ ପରିତ୍ୟାଗ କରି ୧୪ବର୍ଷ ବନବାସରେ ଯାଇଥିଲେ। ଯେ କୌଣସି କଠିନ ପରିସ୍ଥିତିରେ ଆମର ଦୈନନ୍ଦିନ ସୁଖରେ ବିତୁଥିବା ଜୀବନକୁ ତ୍ୟାଗ କରି ଅଜଣା, ଅଶୁଣା କଷ୍ଟସାଧ୍ୟ ଜୀବନକୁ ମାନି ନେବାକୁ ହୁଏ ତାହାକୁ ହିଁ ବନବାସ ବୋଲି କୁହାଯାଏ। ପ୍ରଭୁ ଶ୍ରୀରାମଙ୍କ ୧୪ବର୍ଷର ବନବାସ କଥା ମନେ ପକାଇ ଆସନ୍ତା ୧୪ଦିନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ସାହସ ମାଗିବା ବୋଲି ଶ୍ରୀ ବାଗଚୀ କହିଥିଲେ। ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ, ଯେଉଁ ବ୍ୟକ୍ତିମାନେ ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିଛନ୍ତି ସେମାନେ ୧୪ଦିନ ପର୍ଯ୍ୟନ୍ତ ଘରେ ସଙ୍ଗରୋଧ ରହିବା ସହିତ ନିଜ ପରିବାର ଲୋକଙ୍କଠାରୁ ୧ ମିଟର ବ୍ୟବଧାନରେ କଥାବାର୍ତା କରନ୍ତୁ। ଯଦି କୌଣସି ଲକ୍ଷଣ ନାହିଁ ତାହାଲେ ଆହୁରି ୧୪ଦିନ ପର୍ଯ୍ୟନ୍ତ ନିଜ ଶରୀରର ତଦାରଖ କରନ୍ତୁ। ଯଦି ଏହି ସମୟରେ କୌଣସି ସମସ୍ୟା ଦେଖାଦିଏ ତାହା‌ଲେ ୧୦୪ ସହାୟତା ନମ୍ବରକୁ କଲ୍ କରନ୍ତୁ। ସହାୟତା ନମ୍ବରରେ ଡାକ୍ତରୀ ଦଳ କ’ଣ କରିବାକୁ ହେବ ତାହା ପରାମର୍ଶ ଦେବେ। ଯଦି ଡାକ୍ତର ଭାବନ୍ତି ସଂପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଆଣିବାକୁ ହେବ କିମ୍ବା ତାଙ୍କର କୋଭିଡ ପରୀକ୍ଷା ଜରୁରୀ ତାହାଲେ ସରକାରଙ୍କ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯିବ। ସଂପୃକ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯିବ। ଯଦି ନମୁନା ରିପୋର୍ଟ ନେଗେଟିଭ୍ ଆସିଲା ତାହାଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ୧୪ ଦିନ ପର୍ଯ୍ୟନ୍ତ ନିଜ ସ୍ବାସ୍ଥ୍ୟର ତଦାରଖ କରିବା ଜରୁରୀ। କରୋନା ମୁଖ୍ୟତଃ ୨ରୁ ୧୪ ଦିନ ଭିତରେ ନିଜର ଲକ୍ଷଣ ପ୍ରକାଶ କରିଥାଏ। ବିଶ୍ବରେ ଯେତିକି ସଂଖ୍ୟକ ଲୋକ ‌କରୋନାରେ ସଂକ୍ରମିତ ହୋଇଥାନ୍ତି ତାହାର ୯୫ ପ୍ରତିଶତ ଲୋକଙ୍କ ନିକଟରେ ସାମାନ୍ୟ ଧରଣର ଲକ୍ଷଣ ରହିଥାଏ। ମାତ୍ର ୫ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ସ୍ଥିତି ଗମ୍ଭୀର ହୋଇଥାଏ। ତେଣୁ ଭୟଭୀତ ନ ହୋଇ ସାବଧାନ ହେବା ପାଇଁ ଶ୍ରୀମତୀ ପଣ୍ଡିତ ଅନୁରୋଧ କରିଥିଲେ।

ସମ୍‌ ଓ ଏମ୍‌ସ ସମେତ ୩ ହସ୍ପିଟାଲକୁ ଯାଇଥିଲେ, ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିଲା ଥଣ୍ଡା
ଭୁବନେଶ୍ବର : ପଞ୍ଚମ ଆକ୍ରାନ୍ତ ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ କରୋନା ସଂକ୍ରମଣ ସଂପର୍କରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଛି। ଚିହ୍ନଟ ପୂର୍ବରୁ ସମ୍‌, ଏମ୍‌ସ ସମେତ ୩ଟି ହସ୍ପିଟାଲକୁ ସେ ଚିକିତ୍ସା ପାଇଁ ଯାଇଥିଲେ ବୋଲି ଜଣା ପଡ଼ିଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତ ୫ତାରିଖରେ ଶ୍ରୀ ଦଳବେହେରାଙ୍କର ପ୍ରବଳ ଥଣ୍ଡା ହୋଇଥିଲା ଓ ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥିଲେ। ୧୨ତାରିଖରେ କଫ ହେବା ଯୋଗୁଁ ପୁନର୍ବାର ସେହି କ୍ଲିନିକ୍‌କୁ ଯାଇଥିଲେ। ୨୭ ତାରିଖରେ ନିଃଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହେବାରୁ ସମ୍ ହସ୍ପିଟାଲର ବହିର୍ବିଭାଗ (ଓପିଡି)କୁ ଅପରାହ୍‌ଣରେ ଯାଇଥିଲେ। ୨୮ତାରିଖରେ ଏମ୍‌ସକୁ ଓପିଡିକୁ ଯିବା ସହିତ ଘରକୁ ଫେରି ଆସିଥିଲେ। ପୁନର୍ବାର ନିଃଶ୍ବାସ ପ୍ରଶ୍ବାସରେ ସମସ୍ୟା ହେବା ଯୋଗୁଁ ଏମ୍‌ସରେ ଭର୍ତି ହୋଇଥିଲେ ଓ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଗତକାଲି ସେ ପଜିଟିଭ୍ ଥିବା ସ୍ପଷ୍ଟ ହୋଇଥିଲା।

ତେବେ ଯାତ୍ରା ଇତିହାସ ନ ଥାଇ ରାଜଧାନୀରେ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହେବାକୁ ନେଇ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା କଥା, ଯଦିଓ ସେ ବାହାରକୁ ଯାଉ ନ ଥିଲେ ମାତ୍ର ଅନ୍ୟ କୌଣସି ସଂକ୍ରମିତ ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଥାଇ ପାରନ୍ତି। ତାହାର ଅନୁସନ୍ଧାନ ଜାରି ରହିଛି। ଯଦି ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ହୋଇଥାନ୍ତା ତେବେ ସେହି ଅଞ୍ଚଳରୁ ଏକାଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ନଜରକୁ ଆସିଥାନ୍ତି। ଏ ପର୍ଯ୍ୟନ୍ତ ତାହାର କୌଣସି ପ୍ରମାଣ ନାହିଁ। ତଥାପି ଏହି ଘଟଣାକୁ ହାଲୁକା ଭାବେ ଗ୍ରହଣ ନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ‌ଯେହେତୁ ତାଙ୍କର ଯାତ୍ରା ଇତିହାସ ନାହିଁ ସେ ଦୃଷ୍ଟିରୁ ‌ଯେଉଁ ବ୍ୟକ୍ତିମାନେ ତାଙ୍କ ସଂସ୍ପର୍ଶରେ ଆସିଥିବେ ସେମାନେ ନିଜ ଆଡ଼ୁ ଏଥିପାଇଁ ଆଗେଇ ଆସିବା ଦରକାର।

ସମ୍ବନ୍ଧିତ ଖବର