ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଥିବା କିଛି କରୋନା ସଂକ୍ରମିତଙ୍କ ଯାତ୍ରା ଇତିହାସକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ସରକାର ଆଜି ଏହି ଦ୍ବନ୍ଦ୍ବ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ଏହି ୫ଜଣଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦିଆଯାଇଛି। ପୂର୍ବରୁ ଚିହ୍ନଟ ହୋଇଥିବା ୪,୫, ୬, ୨୦ ଓ ୪୦ସଂକ୍ରମିତଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦିଆଯାଇଛି। ଗତ ମାସ ୩୧ତାରିଖରେ ରାଜ୍ୟର ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଭଦ୍ରକର ୨୯ବର୍ଷୀୟ ଯୁବକ ଦୁବାଇରୁ ଫେରିଥିଲେ। ସେ ୧୮ ମାର୍ଚରେ ଦୁବାଇରୁ କୋଲକାତା ଏମିରେଟ୍ ବିମାନର ଇକେ ୫୭୦ରେ ଆସିଥିଲେ। କୋଲକାତା ବିମାନ ବନ୍ଦରରୁ ଟାକ୍ସି ଯୋଗେ ହାୱଡା ଷ୍ଟେସନ୍ରେ ପହଞ୍ଚିଥିଲେ। ହାୱଡାରୁ ଭଦ୍ରକ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ର କୋଚ ନଂ ଏସ୍୧୧ ସିଟ୍ ନଂ ୩୪ରେ ବସିଥିଲେ। ଭଦ୍ରକ ଷ୍ଟେସନ୍ରୁ ଅଟୋରେ ଘରକୁ ଫେରିଥିଲେ। ୧୮ ମାର୍ଚରୁ ହିଁ ସେ ଘରେ ସଙ୍ଗରୋଧରେ ରହିଥିଲେ। ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ହେଁ, ୩୦ ମାର୍ଚରେ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଏହା ପରଦିନ ସେ କରୋନା ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା। ଚଳିତମାସ ୧ତାରିଖରେ ତାଙ୍କୁ ଏସ୍ସିବିରେ ଭର୍ତି କରାଯାଇଥିଲା ଓ ୩ତାରିଖରେ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ।
ସେହିପରି ରାଜ୍ୟର ପଞ୍ଚମ ସଂକ୍ରମିତ ବ୍ୟକ୍ତି ଚଳିତମାସ ୧ତାରିଖରେ ଚିହ୍ନଟ ହୋଇଥିଲେ। ରାଜଧାନୀର ୬୦ବର୍ଷୀୟ ସୂର୍ଯ୍ୟନଗରର ବାସିନ୍ଦା ଏହି ବ୍ୟକ୍ତି ଜଣକ ଆଜ୍ମା, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ପ୍ରବଳ ଥଣ୍ଡା ଥିବାରୁ ସେ ୫ ମାର୍ଚରେ ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକ୍କୁ ଯାଇଥିଲେ। ପରେ ଜୋରରେ କାଶ ହେବାରୁ ୧୨ ମାର୍ଚରେ ପୁଣିଥରେ ସେ ଏହି କ୍ଲିନିକ୍କୁ ଯାଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେବାରୁ ୨୭ମାର୍ଚ ଅପରାହ୍ଣରେ ସମ୍ ହସ୍ପିଟାଲକୁ ଯାଇଥିଲେ। ଏହାପରେ ୨୮ମାର୍ଚରେ ସେ ଏମ୍ସର ଓପିଡିରେ ଦେଖାଇ ଘରକୁ ଫେରିଥିଲେ। ମାତ୍ର ସ୍ବାସ୍ଥ୍ୟରେ କୌଣସି ପରିବର୍ତନ ନ ଆସିବାରୁ ସେ ୩୧ତାରିଖରେ ପୁଣିଥରେ ଏମ୍ସରେ ଆଡମିଟ ହୋଇଥିଲେ। ସେହିଦିନ ହିଁ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଚଳିତମାସ ୧ତାରିଖରେ ସେ କରୋନା ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା। ଏବେ ତାଙ୍କର ଏମ୍ସରେ ହିଁ ଚିକିତ୍ସା ଜାରି ରହିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।
କଟକ ବକ୍ସିବଜାରରେ ରାଜ୍ୟର ୬ ନଂ କରୋନା ସଂକ୍ରମିତ ଚଳିତମାସ ୩ ତାରିଖରେ ଚିହ୍ନଟ ହୋଇଛନ୍ତି। ୩୦ବର୍ଷର ଏହି ଯୁବକ ଜଣକ ଦିଲ୍ଲୀ ଗସ୍ତ କରିଥିଲେ। ମାର୍ଚ ମାସ ୨ତାରିଖରେ ସେ ନନ୍ଦନକାନନ ଏକ୍ସପ୍ରେସ୍ରେ ଦିଲ୍ଲୀ ଯାତ୍ରା କରିଥିବା ବେଳେ ୩ତାରିଖରେ ଏକ ଘରୋଇ ବସ୍ ସହାୟତାରେ ଏକ ସମ୍ମିଳନୀରେ ପହଞ୍ଚିଥିଲେ। ସେଠାରେ ୭ତାରିଖ ପର୍ଯ୍ୟନ୍ତ ରହିଥିଲେ। ପରେ ଦିଲ୍ଲୀରୁ ତାମିଲନାଡ଼ୁ(କେରଳ ଏକ୍ସପ୍ରେସ୍)ରେ ୮ତାରିଖରେ ପହଞ୍ଚିଥିଲେ। ୯ତାରିଖରେ ତାମିଲନାଡ଼ୁର ମେଲଭିସେରମ୍କୁ ଅନ୍ୟ ୧୦ଜଣ ସଦସ୍ୟଙ୍କ ସହିତ ଯାତ୍ରା କରିଥିଲେ। ୨୪ ମାର୍ଚରେ ଦିଲ୍ଲୀରୁ ଭୁବନେଶ୍ବରକୁ ଫେରିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ କାର ଜରିଆରେ ଘରକୁ ଆସିଥିଲେ। ସେହି ଦିନଠାରୁ ଘରେ ସଙ୍ଗରୋଧରେ ରହିଥିଲେ। ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ହେଁ, ୧ ଏପ୍ରିଲରେ ନମୁନା ସଂଗ୍ରହ କରାଯାଇଥିଲା। ୨ ଏପ୍ରିଲରୁ ୪ତାରିଖ ପର୍ଯ୍ୟନ୍ତ ଏସ୍ସିବି ମେଡିକାଲରେ ଆଡମିଟ୍ ରହିଥିଲେ। ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
ଚଳିତ ମାସ ୪ତାରିଖରେ କଳହାଣ୍ଡିର ଗୋଳମୁଣ୍ଡାରେ ଚିହ୍ନଟ ହୋଇଥିଲେ ୨୦ତମ କରୋନା ସଂକ୍ରମିତ। ୨୯ବର୍ଷର ଏହି ଯୁବକ ଜଣକ ବାହାରିନ୍ରୁ ଫେରିଥିଲେ। ୧୭ମାର୍ଚରେ ବାହାରିନ୍ରୁ ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ନମ୍ବର ଏଆଇ ୯୪୦ ସିଟ୍ ନିଂ ୭ବିରେ ଯାତ୍ରା କରିଥିଲେ। ୧୮ମାର୍ଚରେ ଦିଲ୍ଲୀରୁ ହାଇଦ୍ରାବାଦ୍ ଏୟାର ଇଣ୍ଡିଆ ବିମାନ ନମ୍ବର ଏଆଇ ୫୬୦ ସିଟ୍ ନଂ ୨୦ବିରେ ଆସିଥିଲେ। ସେହିଦିନ ସିଟି ବସ୍ ଜରିଆରେ ହାଇଦ୍ରାବାଦ ବିମାନ ବନ୍ଦରରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିଲେ। ହାଇଦ୍ରାବଦ୍ରୁ ବିଶାଖାପାଟଣା ଆସିବା ସମୟରେ ରାତିରେ ଏକ ଢାବାରେ ରାତ୍ରିଭୋଜନ କରିଥିଲେ। ୧୯ମାର୍ଚରେ ଗୁଣ୍ଟରୁ-ରାୟଗଡ଼ା ଏକ୍ସପ୍ରେସ୍ର କୋଚ୍ ଏସ୍୬ ସିଟ୍ ନଂ ୩ରେ ଯାତ୍ରା କରିଥିଲେ। ସେହିଦିନ ତପସ୍ବିନୀ ଏକ୍ସପ୍ରେସ୍ର ଏଲବି ସିଙ୍ଗିଲ ସିଟ୍ରେ ବସି ରାୟଗଡ଼ାରୁ କେସିଙ୍ଗା ପହଞ୍ଚିଥିଲେ। ଏକ ବଲେରୋରେ କେସିଙ୍ଗା ବେହେରାଗୁଡ଼ା ପହଞ୍ଚିଥିଲେ। ସେହିଦିନଠାରୁ ସେ ଘରେ ସଙ୍ଗରୋଧରେ ଥିବା ବେଳେ ଏବେ ଅଶ୍ବିନୀ ହସ୍ପିଟାଲରେ ଅଛନ୍ତି।
ଦୁବାଇ ଫେରନ୍ତା କେନ୍ଦ୍ରାପଡ଼ାର ୩୨ ବର୍ଷୀୟ ଯୁବକ ଗତ ୬ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯୁବକ ଜଣକ ୨୧ ତାରିଖରେ ଦୁବାଇରୁ ଆସିଥିବା ବେଳେ ୨୨ ତାରିଖରେ ଦିଲ୍ଲୀରେ ପହଞ୍ଚି ଥିଲେ। ୨୪ ମାର୍ଚ୍ଚରେ ଦିଲ୍ଲୀରୁ ବିମାନ ନମ୍ବର ଏଆଇ ୭୫, ସିଟ୍ ନମ୍ବର ୧୧ଡିରେ ବସି ଭୁବନେଶ୍ବରରେ ପହଞ୍ଚି ଥିଲେ। ପରେ ଏକ ଟ୍ୟାକ୍ସିରେ ଭୁବନେଶ୍ବର ବିମାନବନ୍ଦରରୁ କେନ୍ଦ୍ରାପଡ଼ାରେ ପହଞ୍ଚି ଥିଲେ। ସେହି ଦିନଠାରୁ ସେ ଘରେ ସଙ୍ଗରୋଧରେ ରହିଥିଲେ। ନମୁନା ପଜିଟିଭ୍ ଆସିବା ପରେ ତାଙ୍କୁ ୬ ତାରିଖରେ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।