ରାୟଗଡା, : ନକଲି ସାର୍ଟିଫିକେଟ ଦାଖଲ କରି ଚାକିରି ହାତେଇବା ଉଦ୍ୟମ ଜଣେ ପ୍ରାର୍ଥୀଙ୍କ ପାଇଁ ମହଙ୍ଗା ପଡ଼ିଛି। ରାୟଗଡ଼ା ଡାକ ବିଭାଗର ଅଭିଯୋଗ ଆଧାରରେ ବିଷମକଟକ ବ୍ଲକ୍ ଖଣ୍ଟିଖାଳ ଗାଁର ଯୁବକ ରବି ହିଆଲଙ୍କୁ ପୁଲିସ ଅଟକ ରଖିଛି। ତାଙ୍କ ନିକଟରୁ ଉତ୍ତରପ୍ରଦେଶ ବୋର୍ଡର ଗୋଟିଏ ନକଲି ମାଟ୍ରିକ୍ ସାର୍ଟିଫିକେଟ ମଧ୍ୟ ଜବତ କରିଥିବା ସୂଚନା ମିଳିଛି। ନିଯୁକ୍ତି ଦେବାକୁ ଡାକ ବିଭାଗ ପ୍ରସ୍ତୁତ କରିଥିବା ମେରିଟ୍ ଲିଷ୍ଟରେ ରବିଙ୍କ ନାମ ରହିଥିଲା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାୟଗଡ଼ା ଡାକ ମଣ୍ଡଳ ଅନ୍ତର୍ଗତ ୬୮ଟି ଡାକ ସେବକ ପଦବି ପୂବରଣ ନିମନ୍ତେ ଚଳିତ ବର୍ଷ ଅନ୍ଲାଇନ୍ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩୪ଜଣଙ୍କୁ ନିଯୁକ୍ତି ଦେବା ନିମନ୍ତେ ଡାକ୍ତ ବିଭାଗ ପକ୍ଷରୁ ମେରିଟ୍ ଲିଷ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା। ପ୍ରଥମ ପର୍ଯ୍ୟାୟରେ ୨୬ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ହୋଇସାରିଥିବା ବେଳେ ଆଜି ବଳକା ୮ଜଣଙ୍କ ଯାଞ୍ଚ କରାଯାଇଥିଲା। ତେବେ, ଆରମ୍ଭରୁ ହିଁ ବିଷମକଟକ ବ୍ଲକ୍ର ରବି ହିଆଲ ଦାଖଲ କରିଥିବା ଉତ୍ତରପ୍ରଦେଶ ବୋର୍ଡର ସାର୍ଟିଫିକେଟକୁ ନେଇ ସନ୍ଦେହ ବଢ଼ିଥିଲା। ତେଣୁ ରାୟଗଡ଼ା ଡାକ ଉପଅଧୀକ୍ଷକ ସି.ଏଚ୍ ଜବାହର ଅନ୍ଲାଇନ୍ ପୋର୍ଟାଲ ଡିଜି ଲକରରେ ପୃଥକ ଭାବେ ଯାଞ୍ଚ କରାଇବା ସହ ୟୁପି ବୋର୍ଡ ସହ ଯୋଗାଯୋଗ କରିଥିଲେ। ଏଥିରୁ ରବିଙ୍କ ସାର୍ଟିଫିକେଟର ବୈଧତା ନଥିବା ସ୍ପଷ୍ଟ ହୋଇଥିଲା। ତୁରନ୍ତ ଏ ନେଇ ଉପଅଧୀକ୍ଷକ ଶ୍ରୀ ରାଓ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ରବିଙ୍କୁ ଅଟକ ରଖିଛି। ନକଲି ସାର୍ଟିଫିକେଟ ଜବତ କରି ତାହାର ପୁଣି ଯାଞ୍ଚ କରୁଥିବା ଜଣାପଡ଼ିଛି। ଉକ୍ତ ନକଲି ସାର୍ଟିଫିକେଟ୍ରେ ୨୦୧୧ ମସିହାରେ ରବି ମାଟ୍ରିକ୍ ପାସ୍ କରିଥିବା ଉଲ୍ଲେଖ ହୋଇଛି। ପ୍ରତ୍ୟେକ ବିଷୟରେ ତାଙ୍କୁ ୧୦୦ରୁ ୯୯ ମାର୍କ ମିଳିଛି। ପଚରାଉଚୁରା କରିବାରୁ ଏହି ନକଲି ସାର୍ଟିଫିକେଟ ଭିକାରୀ ମାଝୀ ନାମକ ବ୍ୟକ୍ତିଙ୍କ ଠାରୁ କିଣିଥିବା ରବି ସ୍ବୀକାର କରିଛନ୍ତି। ବିନା ପରୀକ୍ଷାରେ ସାର୍ଟିଫିକେଟ ପାଇଥିବା ମଧ୍ୟ ପୁଲିସକୁ କହିଥିବା ଜଣାପଡ଼ିଛି। ତେଣୁ ଭିକାରୀ ମାଝୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହେବ ବୋଲି ସୂଚନା ମିଳିଛି।