ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଖଇରଛଟା ଗ୍ରାମରେ ନଡ଼ାରେ ଭାଡ଼ି ତିଆରି କରି ଖେଳୁଥିବା ସମୟରେ ପୋଡ଼ି ହୋଇ ୪ ନିରୀହ ଶିଶୁଙ୍କ ମୃତ୍ୟୁ ଘଟଣା ମନରୁ ଲିଭିନି। ଆଜି ପୁଣି ହିଞ୍ଜିଳିକାଟୁ ଥାନା ସୋମପୁର ଗାଁରେ ଏକ ପରିତ୍ୟକ୍ତ ସ୍ଥାନରୁ ପାଇଥିବା ଡିଟୋନେଟର୍ ଆଣି ପିଲାମାନେ ଖେଳୁଥିବା ସମୟରେ ତାହା ବିସ୍ଫୋରଣ ଘଟିବାରୁ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସେମାନେ ହେଲେ, ତୃତୀୟ ଶ୍ରେଣୀ ଛାତ୍ର ବାଦଲ ଗୌଡ଼ ଏବଂ ପଞ୍ଚମ ଶ୍ରେଣୀର ଛାତ୍ର ନାରାୟଣ ଗୌଡ଼ ଓ ସିଧୁ ଗୌଡ଼। ତିନି ଜଣଙ୍କ ଅଙ୍ଗୁଳି ଛିଣ୍ଡିଯିବା ସହ ମୁହଁରେ କ୍ଷତ ସୃଷ୍ଟି ହୋଇଛି। ହିଞ୍ଜିଳିକାଟୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପିଲାମାନେ ପାହାଡ଼ ପାଖରୁ ଡିଟୋନେଟର୍ ଗୋଟାଇ ଆଣି ଖେଳୁଥିବା ସମୟରେ ବିସ୍ଫୋରଣ ଘଟିଥିବା ଗ୍ରାମବାସୀ କହିଛନ୍ତି।
ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ଖେଳିବା ପାଇଁ ଭଗବାନଙ୍କ ଗୌଡ଼ଙ୍କ ପୁଅ ବାଦଲ, ସହଦେବ ଗୌଡ଼ଙ୍କ ପୁଅ ନାରାୟଣ ଓ ବୁଲୁ ଗୌଡ଼ଙ୍କ ପୁଅ ଶ୍ରୀଧର ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନରେ ଏକାଠି ଖେଳୁଥିଲେ। ସେଠାରେ ମିଳିଥିବା ଏକ ଡିଟୋନେଟର୍କୁ ହାତରେ ଧରି ବ୍ୟାଟେରି ସହ ସଂଯୋଗ କରୁଥିବା ସମୟରେ ତାହା ଫୁଟି ଯାଇଥିଲା। ପ୍ରଚଣ୍ଡ ଶଦ୍ଦ ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚି ୩ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ରାମ ନିକଟରେ ଏକ ପଥରକ୍ବାରି ଥିବାରୁ କେହି ଡିଟୋନେଟର୍ ଆଣି ରଖିଥିବା ଅନୁମାନ କରାଯାଉଛି। ସେହିପରି ଗ୍ରାମରେ ଅଧିକାଂଶ ପିଲା ଏଭଳି ବ୍ୟାଟେରି ଆଣି ଖେଳୁଥିବା ଗ୍ରାମବାସୀ କହିଛନ୍ତି। ଏହି ଘଟଣା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି।