ଡିଟୋନେଟର ଫୁଟି ଦୁଇ ଛାତ୍ର ଗୁରୁତର, ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର: ଗୁରୁତର ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସେଠାରେ ଡିଟୋନେଟର ଫୁଟି ଦୁଇ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମର ଦୁଇ ନାବାଳକ ବାଦଲ ଗୌଡ଼ ଓ ସିଧୁ ଗୌଡ଼ ଖେଳୁଥିବା ସମୟରେ ହାତରେ ଡିଟୋନେଟର ବିସ୍ଫୋରଣ ଘଟିଥିଲା। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଅଘଟଣ ଘଟିଥିଲା। ଏହାଫଳରେ ଉଭୟ ବାଦଲ ଗୌଡ଼ ଓ ସିଧୁ ଗୌଡ଼ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଉଭୟେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ହିଞ୍ଜଳିକାଟୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲା । ପରେ ଉଭୟଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀଙ୍କ ସୂଚନା ମୁତାବକ ପିଲାଦୁହେଁ ଡିଟୋନେଟର ହାତରେ ଧରି ଏକ ବ୍ୟାଟେରି ସହ ସଂଯୋଗ କରୁଥିବା ସମୟରେ ହଠାତ୍ ଭୟଙ୍କର ଶବ୍ଦ ହୋଇଥିଲା । ଲୋକେ ଅତର୍କିତ ଘରୁ ବାହାରି ଦେଖିବା ସମୟରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଥିଲା ।

ପୁଲିସ୍ କିନ୍ତୁ ଘଟଣାକୁ ହାଲୁକା ଭାବେ ନେଉଥିବା ବେଳେ ଏବେ ମଧ୍ୟ ଗ୍ରାମରେ ଡିଟୋନେଟର ମହଜୁଦ ଥିବା ଯୋଗୁଁ ଗ୍ରାମ ପ୍ରତି ବିପଦ ଥିବା ଅଭିଯୋଗ ହୋଇଛି । ହିଞ୍ଜିଳିକାଟୁ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର