ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଦେବ ଦୀପାବଳି ନୀତି ଆରମ୍ଭ ହୋଇଛି। ମହାପ୍ରଭୁ ଆଜିଠାରୁ ତିନିଦିନ ଧରି ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ। ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ଦେବ ଦୀପାବଳିର ଆଜି ପ୍ରଥମ ଦିନରେ ମହାପ୍ରଭୁ ବାମନ ରୂପରେ ସତ୍ୟଯୁଗର ଦେବ ପିତାମାତା ଅଦିତି ଓ କଶ୍ୟପ ଋଷିଙ୍କୁ ପିଣ୍ଡଦାନ କରିଛନ୍ତି। 

Advertisment

ପରମ୍ପରା ଅନୁଯାୟୀ, ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥି, ଏପରି ତିନିଦିନ ଧରି ଶ୍ରୀମନ୍ଦିରରେ ଦେବ ଦୀପାବଳି ପାଳନ ହୋଇଥାଏ। ପ୍ରଥମ ଦିନ ଦେବ ଦୀପାବଳି, ଦ୍ବିତୀୟ ଦିନ ଅର୍ଥାତ୍ ଅମାବାସ୍ୟାରେ ମଧ୍ୟ ଦୀପାବଳି ଓ ତୃତୀୟ ଦିନ ଶେଷ ଦୀପାବଳି ନୀତି ଅନୁଷ୍ଠିତ ହୋଇଥାଏ।  ଦ୍ବିପ୍ରହର ଧୂପ ପରେ ମହାପ୍ରଭୁ ଏହି ତିନିଦିନ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ସଂଧ୍ୟାଧୂପ ପରେ ରତ୍ନସିଂହାସନ ତଳେ ଚାଉଳ ଗଛ ତିଆରି କରାଯାଇ ୨୮ଟି ଦୀପ ବସାଯାଇଥାଏ। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପାଇଁ ୯ଟି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୧୦ଟି ଓ ଦେବୀ ସୁଭଦ୍ରାଙ୍କ ପାଇଁ ୯ଟି ଦୀପଦାନ କରାଯାଇଥାଏ। ପୂଜାପଣ୍ଡା ସେବକମାନେ ଏହି ନୀତି ସଂପାଦନ କରିଥାନ୍ତି। ଏହିଦିନ ଶ୍ରୀମନ୍ଦିରର ମୁଖ୍ୟମନ୍ଦିର, ନାଟମଣ୍ଡପ ଓ ଭୋଗମଣ୍ଡପରେ ସ୍ବତନ୍ତ୍ର ଭାବେ ଦୀପଦାନ କରାଯାଇଥାଏ। ଦେବ ଦୀପାବଳିର ପ୍ରଥମ ଦିନରେ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ପିତାମାତା ଅଦିତି ଓ କଶ୍ୟପ ଋଷି, ଦ୍ବିତୀୟ ଦିନରେ ଶ୍ରୀରାମ ରୂପରେ ତ୍ରେତୟା ଯୁଗର ରାଜା ଦଶରଥ ଓ ରାଣୀ କୌଶଲ୍ୟା ଏବଂ ତୃତୀୟ ଦିନରେ ଶ୍ରୀକୃଷ୍ଣ ରୂପରେ ଦ୍ବାପର ଯୁଗର  ଦେବକୀ ଓ ବସୁଦେବ, ନନ୍ଦ ଓ ଯଶୋଦା ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚା ରାଣୀଙ୍କୁ ପିଣ୍ଡଦାନ କରିଥାନ୍ତି।

 ବାମନ ରୂପରେ ଅଦିତି ଓ କଶ୍ୟପଙ୍କୁ ପିଣ୍ଡଦାନ
ଶ୍ରାଦ୍ଧ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପରିଧାନ କଲେ କାଶୀଧଡ଼ିଆ ବସ୍ତ୍ର, ସୁବର୍ଣ୍ଣ ଅଳଙ୍କାର

ଆଜି ଦେବ ଦୀପାବଳିରେ ଶ୍ରୀମନ୍ଦିରକୁ ଆଲୋକମାଳା ସଜାଯିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ୨୮ଟି ଦୀପଦାନ କରାଯାଇଥିଲା। ଶ୍ରାଦ୍ଧ ପାଇଁ ମହାପ୍ରଭୁ ସ୍ବତନ୍ତ୍ର କାଶୀଧଡ଼ିଆ ବସ୍ତ୍ର(ଶ୍ବେତବର୍ଣ୍ଣର ବସ୍ତ୍ରରେ ହଳଦିଆ ରଙ୍ଗର ଧଡ଼ିରେ କୁମ୍ଭ ଚିତ୍ର) ପରିଧାନ କରିଥିଲେ। ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରାଦ୍ଧବେଶ କରିଥିଲେ। ଆଜି ସନ୍ଧ୍ୟାଧୂପ ନୀତି ବଢ଼ି ଧୋପଖାଳ ହେବା ପରେ ରତ୍ନସିଂହାସନ ତଳେ ଭଣ୍ଡାରମେକାପ ଚାଉଳରେ ଗୋଟିଏ ଗଛ ନିର୍ମାଣ କରିଥିଲେ। ପାଳିଆମେକାପ ବଇଠାମାନଙ୍କରେ ଘିଅ ଭର୍ତ୍ତି କରି ଚାଉଳ ଗଛରେ ଦୀପ ବସାଇଥିଲେ। ତିନିଟି ସୁନା ଆଳତି ଲଗାଯିବା ପରେ ପୂଜାପଣ୍ଡା ସେବକ ଚାଉଳଗଛ ଓ ଦୀପମାନଙ୍କୁ ସଂସ୍କାର କରିଥିଲେ। ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ସିଂହାସନ ଉପରକୁ ଉଠି ତିନିବାଡ଼ରେ ବନ୍ଦାପନା କରିବା ପରେ ତିନିଟି ମହାଦୀପରେ ବନ୍ଦାପନା କରିଥିଲେ। ପରେ ତିନି ପୂଜକ ମହାଦୀପଗୁଡ଼ିକୁ ହାତରେ ଧରି ଜୟ-ବିଜୟ ଦ୍ୱାର ଭିତର ପାଖକୁ ଆସିଥିଲେ। ସେଠାରେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସେବକ ସଂସ୍କାର କରି ପାଣି ଛଡ଼ାଇଥିଲେ। ପରେ ମହାଦୀପ କଳସଗୁଡ଼ିକୁ ପାଳିଆ ଚୁନରାଙ୍କୁ ଦିଆଯାଇଥିଲା। ଚୁନରା ସେବକ ବଡ଼ଓଡ଼ିଆ ମଠ ପ୍ରଦତ୍ତ ତେଲ ଓ ଘିଅ ନେଇ ଶ୍ରୀମନ୍ଦିର ଅଁଳାବେଢ଼ା ଉପରେ ଦୀପ ଜାଳିଥିଲେ। ଚନ୍ଦ୍ରଉଦିଆ ଜାଳି ‘ଗଜପତି ମହାରାଜାଙ୍କୁ ମହାପ୍ରଭୁ ଶଙ୍ଖେପୂରାଇ ଚକ୍ରେ ଆଢୁଆଳ କରନ୍ତୁ’ କହି ହରିବୋଲ ଡାକ ଦେଇଥିଲେ।