ଦେବଗଡ଼: ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହେବା ସହିତ ୯ ଦିନ ଧରି ଜିଲ୍ଲାବାସୀ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତାର ସୁତ୍ରରେ ବାନ୍ଧି ହୋଇ ପାଳି ଆସୁଥିବା ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜାର ଶୁକ୍ରବାର ଭସାଣି ଶୋଭାଯାତ୍ରା ସହ ସରିଛି। ୨ବର୍ଷ ହେଲା କରୋନା କଟକଣା ଯୋଗଁୁ ଫିକା ପଡିଥିଲା ଦେବଗଡ଼ର ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା। ପୂଜା ପାଇଁ ସହରରେ ଉତ୍ସବ ମୁଖର ପରିବେଶ ଲାଗିଥିବା ବେଳେ ଆଜି ଭସାଣି ଶୋଭାଯାତ୍ରା ପରେ ସବୁଆଡେ ନିରବତା ଖେଳିଯାଇଛି।
ଗଣେଶ ପୂଜା ଜିଲ୍ଲାର ଏକମାତ୍ର ଗଣପର୍ବ ହୋଇଥିବା ବେଳେ ପୁଣି ଆରବର୍ଷକୁ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ। ଚଳିତ ବର୍ଷ ପୂଜାରେ ସହରର ମୁଖ୍ୟ ମାର୍କେଟର ପୂଜାମଣ୍ଡପ ଚତୁଃପାର୍ଶ୍ବରେ କଳାକୁଞ୍ଜ ମାଧ୍ୟମରେ ସହରରେ ମାଙ୍କଡ ଉପଦ୍ରବ ଏବଂ ଏହାକୁ କିପରି ରୋକା ଯାଇପାରିବ ସେ ନେଇ କଳାକୁଞ୍ଜ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଯାହିକି ଦର୍ଶକମାନଙ୍କୁ ବେଶ ପ୍ରଭାବିତ କରିଥିଲା। ଏହାସହିତ ବିଭିନ୍ନ ପୈାରାଣିକ, ସାମାଜିକ ଚେତନାଭରା କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା। ଆଜି ଅପରାହ୍ଣରେ ପୂଜା ହେଉଥିବା ସ୍ଥାନରୁ ଠାକୁରଙ୍କ ମେଢ ବାହାରିବା ସହ ସଂକୀତ୍ତନ ମଣ୍ଡଳୀ, ଘଂଟ ବାଦ୍ୟର ସହିତ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ତାଳେ ତାଳେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏହା ସହିତ ଭସାଣି କାର୍ଯ୍ୟକ୍ରମରେ ବିଭିନ୍ନ କଳାକୁଞ୍ଜ ସ୍ଥାନିତ ହୋଇଥିଲା। ପୌରାଞ୍ଚଳର ଭିତିରିଆ ସାହି, ଷ୍ଟେଟ ବ୍ୟାଙ୍କ ଛକ, ବଣିଆଁସାହି ଛକ, ଶାସନ ସାହି, ଗୁରୁସାହି, କାରଗିଲ ଛକ, ବସଷ୍ଟାଣ୍ଡ ତଥା ବିଭିନ୍ନ ସାହି ଦେଇ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବନ୍ଧରେ ବିସର୍ଜନ କରାଯାଇଥିଲା। ଭସାଣି ଶୋଭାଯାତ୍ରା ବେଳେ ଆୟୋଜକ କମିଟିର ସଭାପତି ଶମ୍ଭୁନାଥ ଗୋଏଲ, ଉପସଭାପତି ଅରୁଣ ଗୋଏଲ, ସୁଶୀଲ ଭୋଇ, ସଂପାଦକ ଶୁକଦେବ ଭଂଜ, ସହ-ସଂପାଦକ ପତିତପାବନ ସାହୁ, କୋଷାଧ୍ୟକ୍ଷ ଅଜୟ ମିଶ୍ରଙ୍କ ସମତେ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ଭସାଣି ଶୋଭାଯାତ୍ରା ଦେଖିବା ପାଇଁ ସହରର ପ୍ରତ୍ୟେକ ଛକଠାରେ ଜନସାଧାରଣଙ୍କ ପ୍ରବଳ ଦେଖିବାକୁ ମିଳିଥିଲା।
ଚଳିତ ବର୍ଷ ଲଟେରି ମାଧ୍ୟମରେ ଲଡୁ ଉଠାଣ କରାଯିବ ଏବଂ ୧୧ ତାରିଖ ଦିନ ତାଙ୍କର ନାମ ଘୋଷଣା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଭସାଣି ଶୋଭଯାତ୍ରାରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଲାୟନ୍ସ କ୍ଲବ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଥଣ୍ଡାପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/23-7.jpg)