ଶକ୍ତି ସୌରଭ ନନ୍ଦ
ଦେବଗଡ଼: ‘ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ପୂର୍ବରୁ ଥିବା ଲୋକପ୍ରିୟତା ହରାଇ ସାରିଛନ୍ତି। ସେ ଲୋକସଭା କିମ୍ବା ବିଧାନସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କଲେ ହାରିବା ନିଶ୍ଚିତ’ ବୋଲି ବୁଧବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି ଖୋଦ୍‌ ବିଜେପିର ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି, ପାରିବାରିକ ବିବାଦରେ ଛନ୍ଦି ହେବା ପରେ ସମ୍ବଲପୁର ସାଂସଦ ଶ୍ରୀ ଗଙ୍ଗଦେବଙ୍କ ଲୋକପ୍ରିୟତା କମିଯାଇଛି। ସେ ଲୋକଙ୍କ ପାଖକୁ ଯାଉନାହାନ୍ତି କି ସେମାନଙ୍କ ସମସ୍ୟା ବୁଝୁନାହାନ୍ତି। ଏପରିକି ପୂର୍ବର ପଞ୍ଚାୟତ କି ପୌର ନିର୍ବାଚନ ବେଳେ ବି ଶ୍ରୀ ଗଙ୍ଗଦେବଙ୍କ ଦେଖା ମିଳିନଥିଲା। ଶ୍ରୀ ଗଙ୍ଗଦେବ ସମ୍ବଲପୁର ଲୋକସଭା କ୍ଷେତ୍ର କି ଦେବଗଡ଼ ବିଧାନସଭା ଆସନରୁ ଆଉ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ। ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଦେବଗଡ଼ରୁ ଶାସକ ଦଳର ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହେବେ ବୋଲି ଆଶା ବାନ୍ଧିଥିବା ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଶ୍ରୀ ପାଣିଗ୍ରାହୀ ନିଜେ ଦେବଗଡ଼ରୁ ବିଧାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି କହିଛନ୍ତି। ସମ୍ବଲପୁର ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ସୁରକ୍ଷିତ ଆସନ। ଧର୍ମେନ୍ଦ୍ରଙ୍କ ଲୋକପ୍ରିୟତା ଯୋଗୁଁ ରାଜ୍ୟରେ ସେ ଯେଉଁଠି ବି ଛିଡ଼ା ହେବେ ଜିତିବେ। ପୂର୍ବରୁ ଦେବଗଡ଼ ସଂସଦୀୟ କ୍ଷେତ୍ର ଥିବା ବେଳେ ଏଠାରୁ ଲଢ଼ି ଧର୍ମେନ୍ଦ୍ର ଜିତିଥିଲେ। ସେତେବେଳେ ଏଠାରେ ସେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି। ସମ୍ବଲପୁରରୁ ଧର୍ମେନ୍ଦ୍ର ଲଢ଼ିଲେ ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ଫଳାଫଳ କରିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

Advertisment

ନିତେଶ ଲୋକପ୍ରିୟତା ହରାଇଛନ୍ତି: ବିଧାୟକ ସୁବାସ ପାଣିଗ୍ରାହୀ
ଦେବଗଡ଼ ଜିଲ୍ଲାବାସୀଙ୍କ ପାଇଁ କାମ କରୁଛୁ: ସାଂସଦଙ୍କ ପତ୍ନୀ

ଦଳୀୟ ବିଧାୟକଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ପାଇଁ ସମ୍ବଲପୁର ସାଂସଦ ଶ୍ରୀ ଗଙ୍ଗଦେବଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନାହିଁ। ଏ ନେଇ ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ପଚାରିବାରେ ସେ କହିଲେ, ବାମଣ୍ଡା ରାଜପରିବାରର ସଦସ୍ୟ ରୂପେ ସବୁବେଳେ ଦେବଗଡ଼ ଜିଲ୍ଲାବାସୀଙ୍କ ପାଇଁ ଉନ୍ନତିମୂଳକ କାମ କରିଆସୁଛୁ ଓ ଆଗାମୀ ଦିନରେ ବି କରୁଥିବୁ। ବିଧାୟକ ଶ୍ରୀ ପାଣିଗ୍ରାହୀ ଦେଇଥିବା ମନ୍ତବ୍ୟ ଭିତ୍ତିହୀନ। ପାରିବାରିକ ବିଦାଦ ସଂପର୍କରେ ବାରମ୍ବାର ମିଥ୍ୟା ଆରୋପ ଲଗାଇ ରାଜନୈତିକ ଫାଇଦା ନେବାରୁ ବିଧାୟକ ଶ୍ରୀ ପାଣିଗ୍ରାହୀ ବିରତ ରୁହନ୍ତୁ ବୋଲି ସେ କହିଛନ୍ତି।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ପାର୍ଟିର ସାଂସଦଙ୍କ ବିରୋଧରେ ସୁବାସଙ୍କ ଏପରି ନକାରାତ୍ମକ ଖୋଲା ବୟାନ ଦଳୀୟ କନ୍ଦଳକୁ କେବଳ ପଦାରେ ପକାଇ ନାହିଁ, ବରଂ ଏଭଳି ସ୍ଥିତିରେ ଦେବଗଡ଼ ଆସନକୁ ବିଜେପି କେତେ ସୁରକ୍ଷିତ ରଖିପାରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।