କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ଘଟଣା: କେସିଟି ଗ୍ରୁପ୍‌ର ଦେବପ୍ରିୟ ଗିରଫ

ସିବିଆଇ ମାଡ଼ରେ ତୈସିଫ ଆହତ! ପାରାଦୀପ ବନ୍ଦର ପ୍ରଶାସନିକ କାର୍ଯ୍ୟାଳୟରେ ତନାଘନା

ଭୁବନେଶ୍ବର/ଜଗତ୍‌ସିଂହପୁର : ପାରାଦୀପ ବନ୍ଦରର କନଭେୟର୍‌ ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ଘଟଣାରେ ସିବିଆଇ ରବିିବାର ଦିନ କେସିଟି ଗ୍ରୁପ୍‌ର ଦେବପ୍ରିୟ ମହାନ୍ତିଙ୍କୁ ଗିରଫ କରିଛି। ଶନିବାର ଦଦିନ ତାଙ୍କୁ ସିବିଆଇ କାର୍ଯ୍ୟାଳୟରେ ମାରାଥନ୍‌ ଜେରା କରାଯାଇଥିଲା। ଏହି ମାମଲାରେ ତାଙ୍କ ସଂପୃକ୍ତି ଥିବା ସିବିଆଇ ଜାଣିବାକୁ ପାଇବା ପରେ ରବିବାର ଦିନ ତାଙ୍କୁ ଗିରଫ କରିଛି। ତେବେ ରବିବାର ଥିବାରୁ ଏ ସଂପର୍କରେ ସିବିଆଇ ପକ୍ଷରୁ କୌଣସି ବିବୃତି ଜାରି କରାଯାଇନାହିଁ।

ଅପରପକ୍ଷେ ଏହି ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସିବିଆଇ ସ୍କାନରରେ ଥିବା ସେକ୍‌ ତୈସିଫ୍‌ ହୁସେନ୍‌ ଆଜି କହିଛନ୍ତି ଯେ ଜେରାବେଳେ ତାଙ୍କୁ ସିବିଆଇ ନିସ୍ତୁକ ମାଡ଼ ମାରିଛି। ଏଥିରେ ତାଙ୍କ ମୁଣ୍ଡ, ବେକ, ନାକ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଲାଗିଛି। ସେ ଏବେ କଟକ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ରବିବାର ଦିନ ତାଙ୍କୁ ଜେରା ପାଇଁ ଡକାଯାଇଥିଲେ ବି ଚିକିତ୍ସାଧୀନ ଥିବାରୁ ସେ ଯାଇପାରିନାହାନ୍ତି ବୋଲି କହିଛନ୍ତି। ଗତକାଲି ରାତି ପାଖାପାଖି ୮ଟାରେ ତୌସିଫ୍‌ ନିଜ ଆଡ଼ୁ ସିବିଆଇରେ ହାଜର ହୋଇଥିଲେ। ଅଧିକାରୀମାନେ ତାଙ୍କୁ ରାତିତମାମ ଜେରା କରିଥିଲେ। କିନ୍ତୁ କୌଣସି କାରଣରୁ ଅଧିକାରୀମାନେ ରାଗିଯାଇ ତାଙ୍କୁ ମାଡ଼ ମାରିଥିଲେ ବୋଲି ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ପାରାଦୀପ ବନ୍ଦର ପ୍ରାଶାସନିକ କାର୍ଯ୍ୟାଳୟରେ ଘାଣ୍ଟୁଛି ସିବିଆଇ। ୩ଦିନ ହେଲା ବନ୍ଦରର ଏକ ଗେଷ୍ଟ୍‌ ହାଉସ୍‌ରେ ଡେରା ପକାଇଛି ସିବିଆଇ ଟିମ୍‌। ସେମାନେ ପ୍ରତିଦିନ ବନ୍ଦର କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ଦସ୍ତାବିଜ୍ ଯାଞ୍ଚ କରୁଛନ୍ତି। ବିଶେଷକରି, ଚିଫ୍ ମେକାନିକାଲ ଇଂଜିନିୟର (ସିଏମଇ) ସରୋଜ ଦାସଙ୍କ ସହ ସଂପୃକ୍ତ ବିଭିନ୍ନ କାର୍ଯ୍ୟର ଦସ୍ତାବିଜକୁ ଘଣ୍ଟାଚକଟା କରାଯାଉଛି। ଫଳରେ, ସରୋଜଙ୍କ ଭଳି ବନ୍ଦର କାର୍ଯ୍ୟାଳୟ‌ରେ ଥିବା ଅନ୍ୟ ଦୁର୍ନୀତିଖୋର ଅଧିକାରୀଙ୍କ ଭିତରେ ଛନକା ପଶିଛି। ସରୋଜଙ୍କ ପରେ ଆଉ କେଉଁ ଅଧିକାରୀ ସିବିଆଇ ଜାଲକୁ ଆସିବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନାଯୋଗ୍ୟ ଯେ ଏହି ମାମଲାରେ ଆଜିକୁ ମିଶାଇ ସିବିଆଇ ମୋଟ ୭ଜଣଙ୍କୁ ଗିରଫ କରିସାରିଲାଣି।

ସମ୍ବନ୍ଧିତ ଖବର