ଦେବଦାସ ଛୋଟରାୟ ପାଇବେ ‘ସାହିତ୍ୟ ଭାରତୀ ସମ୍ମାନ’

ଏପ୍ରିଲ୍ ୪ରେ ସମ୍ମାନ ପ୍ରଦାନ ଉତ୍ସବ

କଟକ : ବରିଷ୍ଠ ପ୍ରଶାସକ, ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟ ଚଳିତବର୍ଷ ପାଇଁ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନର ‌ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ଭାରତୀ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଏପ୍ରିଲ୍ ୪ତାରିଖ ରବିବାର ସଂଧ୍ୟା ସାଢ଼େ ୬ଟାରେ କଳାବିକାଶ କେନ୍ଦ୍ରରେ ଆୟୋଜିତ ଅନୁଷ୍ଠାନର ୨୬ତମ ସମ୍ମାନ ପ୍ରଦାନ ସମାରୋହରେ ଶ୍ରୀ ଛୋଟରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନସ୍ବରୂପ ତାଙ୍କୁ ଏକ ଲକ୍ଷ ଟଙ୍କାର ଉପାୟନ ସମେତ କୋଣାର୍କ ମନ୍ଦିର ମୁଖଶାଳାର ରୌପ୍ୟ ପ୍ରତିରୂପ ଅର୍ପଣ କରାଯିବ।

୧୯୪୬ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଛୋଟରାୟ ଏକାଧାରରେ ଜଣେ କବି, ଗୀତିକାର, ଗାଳ୍ପିକ, ସଂଳାପ ଲେଖକ, ପ୍ରଶାସକ ଓ ଶିକ୍ଷାବିତ। ୧୯୭୧ରେ ଭାରତୀୟ ପ୍ରାଶାସନିକ ସେବାରେ ଯୋଗ ଦେଇ ବିଭିନ୍ନ ପ୍ରଦେଶରେ ପ୍ରାଶାସନିକ ଦାୟିତ୍ବ ନିର୍ବାହ କରିଥିବା ଶ୍ରୀ ଛୋଟରାୟ ୨୦୦୬ରେ ରେଭେନ୍‌ସା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ସେ ୭୫ରୁ ଅଧିକ ଚଳଚ୍ଚିତ‌୍ରରେ ସଂଗୀତ ଓ ସଂଳାପ ରଚନା କରି ବେଶ୍‌ ଲୋକପ୍ରିୟତା ଅର୍ଜନ କରିବା ସହିତ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ସ୍ମୃତିରେ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ଚଳିତବର୍ଷ ବରିଷ୍ଠ ଚିକିତ୍ସକ ତଥା ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ଡାକ୍ତର ଯଦୁନାଥ ପ୍ରସାଦ ଦାସଙ୍କୁ ପ୍ରଦାନ କରାଯିବ। କାବ୍ୟ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କବି ସଦାଶିବ ଦାଶଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଓ କଥାକାର ଡକ୍ଟର ସରୋଜିନୀ ସାହୁଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ଶ୍ରୀ ଦାସ ଓ ଡକ୍ଟର ମିଶ୍ରଙ୍କୁ ୨୫ ହଜାର ଟଙ୍କା ଲେଖାଏ ଓ ରୌପ୍ୟ ଉପଢୌକନ ଦିଆଯିବ। ସାରସ୍ବତ ସାଧନା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଯୁବ ସାରସ୍ବତ ସାଧକ ଚିତ୍ତରଞ୍ଜନ ଚିରଞ୍ଜିତ ଓ ମନୋଜ ମେହେରଙ୍କୁ ଏ ବର୍ଷର ସମ୍ମାନଜନକ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଓ ରୌପ୍ୟ ଫଳକ ପ୍ରଦାନ କରଯିବ।

ସମ୍ମାନ ପ୍ରଦାନ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଡକ୍ଟର ସଂଘମିତ୍ରା ମିଶ୍ର ଅତିଥି ଭାବେ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ମାନିତ କରିବେ ବୋଲି ଦରଘାବଜାରସ୍ଥିତ ଫାଉଣ୍ଡେସନ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଂପାଦିକା ସୁସ୍ମିତା ରଥ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ, ଉପଦେଷ୍ଟା ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, କବି ଅମରେଶ ପଟ୍ଟନାୟକ, ଆଇନୀଜୀବ ସଞ୍ଜୟ ରଥ, ଡାକ୍ତର ଅଳକା ରଥ, ଅଧ୍ୟାପକ କମଳ ମାହୁନ୍ତ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର