ମାନସିକ ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର : ବୃଦ୍ଧି ପାଉଥିବା ମାନସିକ ରୋଗର ମୁକାବିଲା ପାଇଁ ରାଜ୍ୟ ସରକାର ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି। ତୁରନ୍ତ ସ୍କ୍ରିନିଂ ସହିତ ଗୋଷ୍ଠୀସ୍ତରରେ ସଚେତନତା ଉପରେ ଗୁରୁତ୍ବ ଦିଆଯିବ। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ଏକ ଦୁଇଦିନିଆ କର୍ମଶାଳାରେ ଏ ସଂପର୍କରେ ନିଷ୍ପତ୍ତି ହୋଇଛି।

ମାନସିକ‌ ରୋଗର ଲକ୍ଷଣ ଓ ସଚେତନତା ସୃଷ୍ଟି, କ୍ଷତିକାରକ ପଦାର୍ଥ, ଅସ୍ତ୍ରଶସ୍ତ୍ର, ବ୍ୟକ୍ତିଗତ ଓ ପାରିବାରିର ଉପଯୁକ୍ତ ସମର୍ଥନ, କାର୍ଯ୍ୟସ୍ଥଳୀ, ସ୍କୁଲ/କଲେଜ ଓ ଆନ୍ତଃ ବିଭାଗୀୟ ସମନ୍ବୟ ରକ୍ଷା କରିବା ରୂପରେଖ ପ୍ରସ୍ତୁତ ହେବ। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି, ତାହାଲେ ସମାନ ଢଙ୍ଗରେ ଆହୁରି ୪/୫ଜଣ ନିଜ ଜୀବନ ହାରୁଛନ୍ତି। ଏହାକୁ ରୋକିବା ପାଇଁ ସେମାନଙ୍କୁ ଚିହ୍ନଟ କରିବା ଜରୁରୀ। ତେବେ ଯେଉଁମାନେ ଆତ୍ମହତ୍ୟା କରିବା ଭଳି ସ୍ଥିତିରେ ରହିଛନ୍ତି, ସେମାନଙ୍କ ପରିବାର କିମ୍ବା ବନ୍ଧୁମାନଙ୍କ ସହଯୋଗରେ ଏହାକୁ ‌ରୋକିବା ସମ୍ଭବ ହୋଇପାରିବ। ଗୋଷ୍ଠୀସ୍ତରରେ ଆତ୍ମହତ୍ୟା ରୋକିବା ପାଇଁ ପ୍ରସ୍ତୁତ ହେବାକୁ ଥିବା ରଣନୀତିରେ ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି, ଶ୍ରମ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ସ୍ବାସ୍ଥ୍ୟ, ଏସ୍‌ସିଏସ୍‌ଟି, ଆଇନ, ବିଦ୍ୟାଳୟ ଓ ଗଣଶିକ୍ଷା ଭଳି ବିଭାଗକୁ ଏଥିରେ ସାମିଲ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଜାତୀୟ ମାନସିକ ସ୍ବାସ୍ଥ୍ୟ ଓ ନ୍ୟୁରୋସାଇନ୍‌ସ ପ୍ରତିଷ୍ଠାନ ବା ନିମାହନ୍‌ସର ନିର୍ଦେଶକ ଡା.ପ୍ରତିମା ମୂର୍ତିଙ୍କ କହିବା କଥା, ମାନସିକ ସ୍ବାସ୍ଥ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ। ମାନସିକ ବିକୃତିର ଚିକିତ୍ସା ଏକ ବିଳାସପୂର୍ଣ୍ଣ ନୁହେଁ ବରଂ ଆବଶ୍ୟକତା। କୋଭିଡ୍‌ ସମୟରେ ମାନସିକ ସ୍ବାସ୍ଥ୍ୟକୁ ଉଦାହରଣ ଭାବେ ନିଆଯାଇପାରେ। ଏହି କର୍ମଶାଳାରେ ନିମାହନ୍‌ସ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧି, ଜାତୀୟ ସ୍ବାସ୍ଥ୍ୟ ମିସନ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ବିଶେଷଜ୍ଞମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର