କଟକ: ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ଝଟ୍କା ଲାଗିଛି। ଏହି ଯୋଜନା କାର୍ଯ୍ୟକାରୀ ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଏଥି ସହିତ ସାମ୍ବିଧାନର ଧାରା ୨୪୩ ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଏହି ଯୋଜନା ଉଲ୍ଲଂଘନ କରୁଥିବା ଅଭିଯୋଗ ନେଇ ଦାଏର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରୁ ଜବାବ୍ ତଲବ କରିଛନ୍ତି।
ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରୀ ପ୍ରସଙ୍ଗରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୀଜିଲ୍ଲା କଣାସ ବ୍ଲକ ଅଞ୍ଚଳର ପ୍ରତାପ ପରିଡ଼ାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅଗଷ୍ଟ ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ନେଇ ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ଯୋଜନା ଗ୍ରାମୀଣ ବିକାଶକୁ ନୂଆ ଗତି ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଏହି ଯୋଜନାରେ ଗାଁରେ ରାସ୍ତାଘାଟ, ଶିକ୍ଷା ଭିତ୍ତିଭୂମି, ଗୋଷ୍ଠୀ ସମ୍ପତ୍ତି, ପୂଜାପାଠ ସ୍ଥାନର ଉନ୍ନତିକରଣ, କ୍ରୀଡ଼ା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପର ବିକାଶ ହେବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। କିନ୍ତୁ ଏହି ଯୋଜନାରେ ହେଉଥିବା କାର୍ଯ୍ୟରେ ପଞ୍ଚାୟତ ଓ ଗ୍ରାମସଭାର ଭୂମିକାକୁ ଗୌଣ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ କରାଯାଇଛି। ଏହି ଯୋଜନାରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ପାଇଁ ନିଷ୍ପତ୍ତି ଓ ଅନୁମୋଦନ ଜିଲ୍ଲାପାଳଙ୍କ ସ୍ତରରେ ନିଆଯାଉଛି। ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରି ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କାର୍ଯ୍ୟକାରୀ କରାଯାଉଛି। ଏହା ସାମ୍ବିଧାନିକ ବ୍ୟବସ୍ଥାର ସ୍ପଷ୍ଟ ଉଲ୍ଲଂଘନ। ଏଥି ସହିତ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ମଧ୍ୟ ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ତେଣୁ ଏହି ଯୋଜନାରେ ରହିଥିବା ସର୍ତ୍ତାବଳୀ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଅର୍ଥ ବିଭାଗ ସଚିବ, ପୁରୀ ଜିଲ୍ଲାପାଳ, କଣାସ ବିଡିଓ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପ୍ରଣୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
Odisha High Court