ଯାଜପୁର : ଯାଜପୁର ଜିଲ୍ଲାକୁ ବିକାଶର ପ୍ରୟୋଗଶାଳା ବୋଲି କୁହାଯାଉଛି। ଖଣିଜ ସଂପଦ ପାଇଁ ସୁନାର ସୁକିନ୍ଦା ବୋଲି ଚିତ୍ରଣ କରାଯାଉଛି। ହେଲେ ଏହି ବ୍ଲକ୍ ଅଞ୍ଚଳରେ ଥିବା ଅପହଞ୍ଚ ଅଞ୍ଚଳ ନଗଡ଼ା ଶିଶୁ ମଡ଼କ ପାଇଁ ଅପଖ୍ୟାତି ଅର୍ଜିଥିଲା। ନଗଡ଼ା ନିକଟରେ ଥିବା ତୁମୁଣି କିନ୍ତୁ ଅପହଞ୍ଚ ଅଞ୍ଚଳ ହୋଇ ରହିଲା। ତୁମୁଣିର ଜନଜାତି ପରିବାରଗୁଡ଼ିକ ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ। ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ହାଇକୋର୍ଟ ଏହାକୁ ଗୁରୁତ୍ବର ସହ ନେଇ ସ୍ଥିତି ଅନୁଧ୍ୟାନ ପୂର୍ବକ ରିପୋର୍ଟ ଦେବାକୁ କହିଛନ୍ତି। କଳିଙ୍ଗନଗରରେ ଅପପୁଷ୍ଟି ଓ ଲୋକେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନେଇ ତନାଘନା ହୋଇଥିବା ବେଳେ ଏବେ ତୁମୁଣି ଚିନ୍ତା ବଢ଼ାଇଛି।
ସୁକିନ୍ଦା ବ୍ଲକ୍ ଚୁଙ୍ଗୁଡ଼ିଆପାଳ ପଞ୍ଚାୟତ ଅନ୍ତର୍ଗତ ନଗଡ଼ାର ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା ୭ବର୍ଷ ତଳେ ଆଲୋଡ଼ନ ସୃଷ୍ଟି କରିଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦାଧିକାରୀ ଘନଘନ ଗସ୍ତ କରି ବିକାଶର ନୀଳନକ୍ସା ପ୍ରସ୍ତୁତ କଲେ। ଲୋକଙ୍କ ବିକାଶ କଣ ହେଉ କି ନହେଉ ନଗଡ଼ା ଗାଁକୁ କିନ୍ତୁ ରାସ୍ତା ଖୋଲିଗଲା। ଅଥଚ ସେହି ଚୁଙ୍ଗୁଡ଼ିପାଳ ପଞ୍ଚାୟତର ଅନ୍ୟତମ ଗାଁ ତୁମୁଣି ଅପହଞ୍ଚ ହୋଇ ରହିଛି। ଦୁର୍ଗମ ତୁମୁଣି ଗାଁର ଲୋକେ ସ୍ବାସ୍ଥ୍ୟସେବା, ପାନୀୟଜଳ, ଶିକ୍ଷା ଅଧିକାର, ଖାଦ୍ୟ ସୁରକ୍ଷା ଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି।
ନଗଡ଼ା ଯିବା ରାସ୍ତାରେ ନାଲିଆଡାବ ଠାରୁ ୪କିମି ଦୂର ପାହାଡ଼ ଉପରେ ଥିବା ତୁମୁଣି ଗାଁକୁ ରାସ୍ତାଟିଏ ନାହିଁ। ଗ୍ରାମଟି ବାହାର ଦୁନିଆ ଠାରୁ ଏକ ପ୍ରକାର ବିଚ୍ଛିନ୍ନ। ସ୍ବାସ୍ଥ୍ୟସେବା କହିଲେ ମାସେ ଦୁଇମାସରେ ଥରେ ଡାକ୍ତରୀ ଦଳ ଏଠାକୁ ଯାଇଥାନ୍ତି। ୨୦୧୬ରୁ ଏଯାଏଁ ଜଣେ ହେଲେ ମହିଳା ଡାକ୍ତରଖାନାକୁ ପ୍ରସବ ପାଇଁ ଯାଇନାହାନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ଶିଶୁ ମାତୃତ୍ବ ଯୋଜନା ଏଠାରେ ବିଫଳ। ତେବେ ଗତମାସରେ ତୁମୁଣି ଗାଁର କାନ୍ଦିରୀ ପ୍ରଧାନ ପ୍ରସବ ଯନ୍ତ୍ରଣା ହେବାରୁ ଚାଲି ଚାଲି ନାଲିଆଡାବ ଆସିବା ପରେ ସେଠାରୁ ଗାଡ଼ି ଧରି ଡାକ୍ତରଖାନା ଆସିଥିଲେ। ପରେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ୨୮ ପରିବାରର ୨୮୦ରୁ ଅଧିକ ଲୋକ ଥିବା ତୁମୁଣିରେ ପିଇବା ପାଣି ପାଇଁ କୌଣସି ବ୍ୟବସ୍ଥା ନାହିଁ। ଝର ପାଣି ହିଁ ଭରସା। ଖରାଦିନେ ଝର ଶୁଖିଲେ କଥା ସରିଲା। ପାଠ ପଢ଼ିବାକୁ ହେଲେ ପାହାଡ଼ ଡେଇଁ ନଗଡାସ୍ଥିତ ଆଶ୍ରମ ବିଦ୍ୟାଳୟକୁ ଆସିବାକୁ ପଡ଼ିବ। ଗ୍ରାମରେ ମିନି ଅଙ୍ଗନବାଡ଼ି ଖୋଲିଛି। ତେବେ ଅଙ୍ଗନବାଡି କର୍ମୀଜଣକ ନିରକ୍ଷର ଥିବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚିତ। ମୋବାଇଲ ଓ ବିଦ୍ୟୁତ ସେବା ସ୍ବପ୍ନ। ଲୋକଙ୍କ ଜବକାର୍ଡ ଠିକାଦାର ନିକଟରେ ବନ୍ଧା ପଡ଼ିଛି। ଏହାକୁ ନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଛନ୍ତି। ନଗଡ଼ା ଘଟଣାର ୭ ବର୍ଷ ପରେ ବି ପ୍ରଶାସନ ଚେତିବା ଭଳି ମନେହେଉନି। ଏହି କାରଣରୁ ତୁମୁଣିକୁ ନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ ପାଇଁ ପ୍ରଶାସନର ଚିନ୍ତା ବଢ଼ିଛି।