ସମ୍ବଲପୁର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିଜ ୫ ଦିନିଆ ଗସ୍ତର ଚତୁର୍ଥ ଦିନରେ ଗୁରୁବାର ସମ୍ବଲପୁର ପହଞ୍ଚି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଯାଇ ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଭାଗରେ କଦଳୀ ଟିସୁ କଲ୍ଚର୍ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ଏହାପରେ ସେ ଯୁଯୁମୁରା ବ୍ଲକ୍ ନୂଆବରଙ୍ଗାମାଲ ପଞ୍ଚାୟତ ଗୋବର୍ଦ୍ଧନ ବଡମାଲସ୍ଥିତ ଉତ୍କର୍ଷ ନେଚର ଭିଲେଜ (ଏଗ୍ରୋ ଇକୋ ଟୁରିଜିମ) ପରିଦର୍ଶନ କରିଥିଲେ। ସେଠାରେ ହେଉଥିବା ଶସ୍ୟ ଜାତୀୟ ଫସଲ, ଗୋପାଳନ, କୁକୁଡ଼ା, ଛେଳି ଓ ମତ୍ସ୍ୟ ଚାଷ ଆଦି ବୁଲି ଦେଖିଥିଲେ। ଏହାପରେ ଦେବଝରଣ ଯାଇ ସେଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ଶ୍ରୀ ତ୍ରିପାଠୀ ରେଢ଼ାଖୋଲ ବ୍ଲକ ଗସ୍ତରେ ଯାଇ ଚାରମାଳ ବରହମପୁରା ଠାରେ ନାବାର୍ଡ ଦ୍ବାରା ହୋଇଥିବା ଜଳଅମଳ ପ୍ରକଳ୍ପ ବୁଲି ଦେଖିଥିଲେ। ସେହିପରି ଏନ୍ଏସିରେ ଥିବା ଅର୍ଦ୍ଧନିର୍ମିତ ଟାଉନ ହଲ ଓ ଅତ୍ୟାଧୁନିକ ବସ୍ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଥିଲେ। ସେହିପରି ରେଢ଼ାଖୋଲ କଲେଜ ପାଖରେ ବନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ନୂତନ ଇକୋପାର୍କ ଦେଖି ଆନନ୍ଦ ବ୍ୟକ୍ତ କରିଥିଲେ। ହେଲେ ବିଳମ୍ବ କାରଣରୁ ତାଙ୍କର ଜିଏମ୍ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟ ପରିଦର୍ଶନ କାର୍ଯ୍ୟକ୍ରମ ବାତିଲ ହୋଇ ଯାଇଥିଲା।
ଏହାପୂର୍ବରୁ ଶ୍ରୀ ତ୍ରିପାଠୀ ବୁଧବାର ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ଡେବ୍ରିଗଡ଼ ଅଭୟାରଣ୍ୟ ସନ୍ନିକଟ ବାରବଖରା ଜଳପ୍ରପାତ ଓ ଗୁମ୍ଫାର ନିକଟରେ ବିକାଶ ପରିଷଦ ସହାୟତାରେ ବନ ବିଭାଗ ଦ୍ବାରା ନିର୍ମିତ ଇକୋପାର୍କ ଓ ବୀର ସୁରେନ୍ଦ୍ର ସାଏ ସ୍ମାରକୀକୁ ଉଦ୍ଘାଟନ କରିଥିଲେ। ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ମଦନପୁର ରାମପୁର ପାଇକପଡ଼ାରେ ଡବ୍ଲ୍ୟୁଓଡିସି ପାଣ୍ଠିରେ ନିର୍ମିତ କଲ୍ୟାଣ ମଣ୍ଡପ ଉଦ୍ଘାଟନ କରିଥିଲେ। ପରେ କର୍ଲାମୁଣ୍ଡା ବ୍ଲକ ରିଷିଡ଼ାର ବାପୁଜୀ ହାଇସ୍କୁଲ୍ ମିନି ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସେହିପରି କେସିଙ୍ଗା ବ୍ଲକ ବେଲଖଣ୍ଡି ଶିବ ମନ୍ଦିର ଗସ୍ତ କରିଥିଲେ। ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁଙ୍କ ଦ୍ବାରା ଆରମ୍ଭ ହୋଇଥିବା ହରପ୍ରିୟା ରିଫ୍ରାକ୍ଟୋରିଜ ପରିଦର୍ଶନ କରିଥିଲେ। ମଦନପୁର ରାମପୁରର ହରିହର ସାଗର ଏବଂ ନର୍ଲା ବ୍ଳକ ଅନ୍ତର୍ଗତ ରାଣୀବନ୍ଧ ପରିଦର୍ଶନ କରିଥିଲେ। ବିଶ୍ବନାଥପୁରରେ ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଆୟୋଜିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସମାବେଶକୁ ଉଦଘାଟନ କରିଥିଲେ। ନିଜ ଗସ୍ତସୂଚୀର ପ୍ରଥମ ଦିନରେ ସୋମବାର ଶ୍ରୀ ତ୍ରିପାଠୀ କନ୍ଧମାଳ ଯାଇଥିବାବେଳେ ଶେଷ ଦିନ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ଯିବାର କାର୍ଯ୍ୟକ୍ରମ ରହିଛି।