ବିକାଶ ପରିଷଦର ନବକଳେବର, ସୁଚିନ୍ତିତ ପଦକ୍ଷେପ ନା ଲଲିପପ୍?

ଅରବିନ୍ଦ ଦାସ

ଭୁବନେଶ୍ବର: ୨୦୧୯ ନଭେମ୍ବର ୧୯ ତାରିଖ। ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ସମାରୋହକୁ ଆଉ ମାତ୍ର ମାସେ ବାକି ଥାଏ। ଆଲୁମ୍ନି ସଂଘର ଅନୁରୋଧ କ୍ରମେ କଲେଜର ପୁରାତନ ଛାତ୍ର ତଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ କଲେଜର ଭିତ୍ତିଭୂମିର ବିକାଶ କାମ ଜୋରସୋରରେ ଆରମ୍ଭ ହୋଇଥାଏ। ସମାରୋହର ସାଂସ୍କୃତିକ କମିଟିର ମୁଖ୍ୟ ଅଜୟ ଦାସଙ୍କ କନ୍ୟା ତଥା ଉକ୍ତ ସମାରୋହ ଆୟୋଜନ କମିଟିର ଅନ୍ୟତମ ଉତ୍ସାହୀ ସଦସ୍ୟା ନୂତନ ଦାସଙ୍କ ପାଖରୁ ହ୍ବାଟ୍‌ସଆପ୍‌ରେ ୧୪ଟି ଫଟୋ ମିଳିଲା। ସେଗୁଡ଼ିକ ଥିଲା ରାଜେନ୍ଦ୍ର କଲେଜର ବିଭିନ୍ନ ବିଭାଗ ତଥା ହଷ୍ଟେଲଗୁଡ଼ିକରେ ଥିବା ପୂତିଗନ୍ଧମୟ.. ଅପରିଷ୍କାର, ଭଙ୍ଗାଦଦରା ସ୍ନାନାଗାର ଓ ଶୈାଚାଳୟଗୁଡ଼ିକର ଫଟୋ। ନୂତନ ଲେଖିଥିଲେ, ‘‘ଚିଫ୍ ସେକ୍ରେଟାରି ଆଗ୍ରହ ନେଲେ ବୋଲି ଅନ୍ୟ ସବୁ କାମ ହେଲା, ହେଲେ ଏଥିପ୍ରତି କାହାରି ଧ୍ୟାନ ନାହିଁ।’’ ତୁରନ୍ତ ଫଟୋଗୁଡ଼ିକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନିକଟକୁ ଫର୍‌ୱାର୍ଡ କଲୁ। ସେ ‌ସାଙ୍ଗେସାଙ୍ଗେ ଲେଖିଲେ, ‘‘ସୋ ରେଚେଡ୍‌! ହ୍ବିଚ୍ ସ୍କୁଲ?’’ ଉତ୍ତର ଦେଲୁ, ‘‘ୟର୍ ଆଲ୍‌ମା ମେଟର୍ ସାର୍.. ଅନ୍ ଇଭ୍ ଅଫ୍ ପ୍ଲାଟିନମ୍ ଜୁବୁଲି..।’’ ଲେଖିଲେ, ଓକେ। ଲୁକିଙ୍ଗ୍ ଇନ୍‌ଟୁ। ଡିସେମ୍ବର ୨୫ରେ ସେ ପାଲଟା ଆମ ପାଖକୁ ୨୦ଟା ଫଟୋ ପଠାଇଲେ। ସେଇ ସବୁ ଟଏଲେଟ୍ ଚକାଚକ୍ ହୋଇଯାଇଥାଏ। ନିଜ ମାଟି ବିଶେଷ କରି ନିଜେ ପାଠ ପଢ଼ିଥିବା ଶିକ୍ଷାନୁଷ୍ଠାନ ପାଇଁ କିପରି ଆଖିଦୃଶିଆ କାମ କରାଯାଏ, ଜୁବୁଲି ବେଳେ ଶ୍ରୀ ତ୍ରିପାଠୀ ତା’ର ଉଦାହରଣ ସୃଷ୍ଟି କରିଥିଲେ। ‘ଫାଇଲ ରକେଟ୍ ବେଗରେ ଗତି କରିବ’ ବୋଲି ସେ ଦାୟିତ୍ବ ଗ୍ରହଣ ବେଳେ କରିଥିବା ଦୃଢ଼ୋକ୍ତିର ଏକ ଛୋଟିଆ ଅଥଚ ଅର୍ଥପୂର୍ଣ୍ଣ ଓ ସାଙ୍କେତିକ ଥିଲା ଏହି ଉଦାହରଣ।

ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ବେଳେ ଭିତ୍ତିଭୂମିର ବିକାଶ ପାଇଁ ସେ ଯାହାଯାହା କଲେ ସମସ୍ତେ ଜାଣନ୍ତି। ୩୧ ଡିସେମ୍ବର ସକାଳୁ ଭିଣୋଇଙ୍କ ଦେହାନ୍ତ ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ ନହେବାର ଶ୍ରେୟ ଶ୍ରୀ ତ୍ରିପାଠୀଙ୍କ ସକ୍ରିୟ ସଂପୃକ୍ତିକୁ ହିଁ ଯିବ। ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଲେଜ/ବିଶ୍ବବିଦ୍ୟାଳୟ ପାଇଁଁ ୨୫ କୋଟିର ଅନୁଦାନ ମଧ୍ୟ ଘୋଷଣା କରାଇଥିଲେ ଶ୍ରୀ ତ୍ରିପାଠୀ। ମହାମାରୀ ହୋଇନଥିଲେ ତାଙ୍କ ଉଦ୍ୟମରେ ସାଇନ୍ସ ପାର୍କ, ପ୍ରେକ୍ଷାଳୟ ଓ ଏହି ଅନୁଦାନ ଆସି ସାରନ୍ତାଣି। ପୁରାତନ ଛାତ୍ରସଂସଦ ବରାବର କର୍ତ୍ତୃପକ୍ଷଙ୍କୁ ଏହା ସ୍ମରଣ କରାଉଛି। ସ୍ଥିତି ସୁଧୁରିଲେ ଏହା ସଫଳ ହେବା ଆଶା କରାଯାଏ। ରାଜ୍ୟ ପ୍ରଶାସନର ଇତିହାସରେ ମୁଖ୍ୟ ଶାସନ ସଚିବ ପଦବିରେ ଅଧିଷ୍ଠିତ ୪୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଶ୍ରୀ ତ୍ରିପାଠୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହାଙ୍କର ନିଜ ୧୬ ମାସର କାର୍ଯ୍ୟକାଳରୁ ୯ ମାସରୁ ଅଧିକ ସମୟ ମହାମାରୀକୁ ଯୁଝିବାରେ ଯାଇଥିଲା। ମହାମାରୀର ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, କୋୖଶଳ ଇତ୍ୟାଦିକୁ ନେଇ ଭିନ୍ନ ଭିନ୍ନ ମତ ତ ରହିବ। ତେବେ କରୋନା ମୁକାବିଲାରେ ରାଜ୍ୟ ସରକାର ଯଦି କିଛି ପ୍ରଶଂସା ସାଉଁଟିଛି, ତା’ର ଏକ ବଡ଼ ଶ୍ରେୟ କାର୍ଯ୍ୟକାରିତାର ଶୀର୍ଷରେ ଥିବା ଶ୍ରୀ ତ୍ରିପାଠୀଙ୍କୁ ଯିବ। ମୁଖ୍ୟମନ୍ତ୍ରୀ ତାଙ୍କ ୫-ଟି ସଚିବ ପାଣ୍ଡିଆନଙ୍କ ଦ୍ବାରା ମୁଖ୍ୟତଃ କୋଭିଡ୍ ପରିଚାଳନାର ବହୁ ଦିଗକୁ ନିୟନ୍ତ୍ରଣ କରାଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଶ୍ରୀ ତ୍ରିପାଠୀ ଓ ତାଙ୍କ ଟିମ୍ ସେ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଉଥିଲେ। ଏପରିକି ଏସ୍‌ଓପି ପ୍ରସ୍ତୁତି ପରି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଶ୍ରୀ ତ୍ରିପାଠୀ ହିଁ ନେଉଥିଲେ ବୋଲି ତଥ୍ୟାଭିଜ୍ଞ ମହଲ ମତ ଦିଅନ୍ତି।। ୨୦୧୯ ଅଗଷ୍ଟ ୧୯ ତାରିଖରେ ଶ୍ରୀ ତ୍ରିପାଠୀ ମୁଖ୍ୟଶାସନ ସଚିବ ଭାବେ କାର୍ଯ୍ୟାରମ୍ଭ କରିଥିଲେ। କରୋନା ମୁକାବିଲା କ୍ଷେତ୍ରରେ ତାଙ୍କର ଭୂମିକା ଉଲ୍ଲେଖନୀୟ ବୋଲି ବିଚାର କରାଯାଉଛି। କେବଳ ସେତିକି ନୁହେଁ, ପ୍ରଶାସନିକ ସ୍ତରରେ ଭାରସାମ୍ୟ ରଖିବା, ସର୍ବୋପରି ସବୁ ବରିଷ୍ଠ ଓ କନିଷ୍ଠଙ୍କୁ ସାଙ୍ଗରେ ରଖି ଟିମ୍‌ୱର୍କ ଜରିଆରେ ଶ୍ରୀ ତ୍ରିପାଠୀ ପ୍ରଶାସନରେ ନିଜର ପାରଦର୍ଶିତା ଦେଖାଇଛନ୍ତି।

ନିଜ କାର୍ଯ୍ୟକାଳର ପ୍ରମୁଖ ଭାଗରେ ‘କୋଭିଡ୍ ପରିଚାଳନା’ ତାଙ୍କ ପ୍ରାଥମିକତା ହୋଇଥିଲେ ମଧ୍ୟ ତାହାରି ଭିତରେ ଅନୁନ୍ନତ ଜିଲ୍ଲା ବଲାଙ୍ଗୀରର ବିକାଶ ପାଇଁ ମଧ୍ୟ ବେଶ କିଛି ତତ୍ପରତା ପ୍ରକାଶ କରିଛନ୍ତି ଶ୍ରୀ ତ୍ରିପାଠୀ। ଲୋୟର ସୁକତେଲ, ବାଏପାସ, ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ଆଦି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ବହୁ ଉଚ୍ଚସ୍ତରୀୟ ବୈଠକ ଓ ସମୀକ୍ଷା କରାଇଛନ୍ତି। ଲୋୟର ସୁକତେଲ ପ୍ରକଳ୍ପରେ ବିସ୍ଥାପନଙ୍କ କ୍ଷତିପୂରଣକୁ ନେଇ ରହିଥିବା ଅନିଶ୍ଚିତତା ଶେଷରେ ଏକରକମ ଦୂର ହୋଇଛି। ୨୦୧୭ ଜାନୁଆରି ପହିଲାକୁ କଟ୍‌-ଅଫ୍ ତାରିଖ ଭାବେ ନିଆଯାଇଛି। ୨୦୧୩ ବିସ୍ଥାପନ ନୀତି ଅନୁସାରେ କ୍ଷତିପୂରଣ ଦେବା ନେଇ ସୁପ୍ରିମ କୋର୍ଟଙ୍କ ପ୍ରତିକୂଳ ବିଚାର ଓ ଲିବରାଲ ଏକ୍ସ-ଗ୍ରାସିଆ ପଲିସି ପାଇଁ ନି‌େର୍ଦ୍ଦଶ ପରିପ୍ରେକ୍ଷୀରେ ସମସ୍ତଙ୍କୁ ସୁହାଇଲା ଭଳି ଏକ ପ୍ୟାକେଜ୍ ଚୂଡ଼ାନ୍ତ ହୋଇଛି। ତାଙ୍କ କାର୍ଯ୍ୟକାଳରେ ଲୋୟର ସୁକତେଲ ବ୍ୟତୀତ ଲୋୟର ଇନ୍ଦ୍ର, ସୁବର୍ଣ୍ଣରେଖା ପରି ଓଡ଼ିଶାର ୧୦ଟି ଜଳସେଚନ ପ୍ରକଳ୍ପ ପାଇଁ ବାଟ ଫିଟିଛି। ଅନ୍ୟ ପକ୍ଷରେ ଜଳସେଚନ ପ୍ରକଳ୍ପଗୁଡ଼ିକର କେନାଲ ନିର୍ମାଣ ବେଳେ ଏଣିକି ଆଉ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ। ଭୂତଳରେ ପ୍ରେସରାଇଜ୍‌ଡ ଅଣ୍ଡରଗ୍ରାଉଣ୍ଡ ପାଇପ୍‌ ବ୍ୟବସ୍ଥା କରାଯିବ।

ଗତ ୬ ମାସରେ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ କାର୍ଯ୍ୟରେ ମଧ୍ୟ ଯଥେଷ୍ଟ ଅଗ୍ରଗତି ହୋଇଛି। ବଲାଙ୍ଗୀରରୁ ବୋୖଦ୍ଧ ଓ ଖୋର୍ଦ୍ଧାରୁ ଦଶପଲ୍ଲା ଯାଏ ସମସ୍ତ କ୍ଲିୟରାନ୍ସ ମିଳିସାରିଛି। ଉକ୍ତ ଅଂଶର ଜମି ଅଧିଗ୍ରହଣ ମଧ୍ୟ ଶେଷ କରାଯାଇ ସଂପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି।। କେବଳ ଦଶପଲ୍ଲାରୁ ବୋୖଦ୍ଧ ଯାଏ ୭୮ କିମି ଜଙ୍ଗଲ ପରିବେଷ୍ଟିତ ହୋଇଥିବାରୁ ପରିବେଶ ମଂଜୁରି ପାଇଁ ପ୍ରକ୍ରିୟା ଚାଲିଛି। ଜମି ଅଧିଗ୍ରହଣ ଓ ପ୍ରକଳ୍ପ ଖର୍ଚ୍ଚ ବାବଦକୁ ରାଜ୍ୟ ସରକାରଙ୍କ ତରଫରୁ ଦେବାକୁ ଥିବା ଅର୍ଥବ୍ୟବସ୍ଥା ମଧ୍ୟ ହୋଇଛି। ସେହିପରି ଆସନ୍ତା ବର୍ଷ ବାଇପାସ୍ କାମ ମଧ୍ୟ ସରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମହାମାରୀ ସମୟରେ ମଧ୍ୟ ପ୍ରଶାସନିକ ସଂସ୍କାର କାର୍ଯ୍ୟ ଅବ୍ୟାହତ ରଖିବାରେ ସଫଳ ହୋଇଥିଲେ ଶ୍ରୀ ତ୍ରିପାଠୀ। ଓଡ଼ିଶା ସମଗ୍ର ଦେଶରେ ଇ-ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଶେଷ୍ଠ ପୁରସ୍କାର ପାଇବା ହେଉ ବା ଗ୍ରାମାଞ୍ଚଳ କୋୖଶଳ ବିକାଶରେ ଶ୍ରେଷ୍ଠ ବିବେଚିତ ହେଉ; ପୁରୀ ବେଳାଭୂମି(ବ୍ଲୁ-ବିଚ୍)ର ଆଖିଦୃଶିଆ ବିକାଶ ହେଉ ବା କର୍ମଚାରୀଙ୍କ ପଦୋନ୍ନତିକୁ ନେଇ ତ୍ବରିତ ଅଦାଲତୀ ସଂସ୍କାର ହେଉ -ଏକାଧିକ ଉପଲବ୍‌ଧିରେ ଶ୍ରୀ ତ୍ରିପାଠୀ ତାଙ୍କ ପୂର୍ବସୂରୀ ସୁବାସ ପାଣିଙ୍କ ଭଳି ଦକ୍ଷ ପ୍ରଶାସକମାନଙ୍କ ପ୍ରଶଂସା ଭାଜନ ହୋଇପାରିଛନ୍ତି। ବହୁ ବର୍ଷ ହେଲା ଦେଖାଯାଉଥିଲା, କାର୍ଯ୍ୟରତ ମୁଖ୍ୟ ଶାସନ ସଚିବମାନଙ୍କୁ ବିଭିନ୍ନ କାରଣରୁ ବିଧାନସଭାରେ ସମାଲୋଚିତ ହେବାକୁ ପଡ଼ୁଥିଲା। ତେବେ ଅସିତ ତ୍ରିପାଠୀ ଏ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ହୋଇଛନ୍ତି। କରୋନା ମୁକାବିଲା ବେଳେ ବରିଷ୍ଠ ଓ କନିଷ୍ଠ ସହଯୋଗୀମାନଙ୍କୁ ନେଇ ଏକ ଭଲ ଟିମ୍ ଗଠନ କରିବାର ଶ୍ରେୟ ତାଙ୍କୁ ଅନେକେ ଦିଅନ୍ତି। ପୂର୍ବରୁ ୨୦୧୮ ମସିହାରେ ଭୁବନେଶ୍ବରରେ ହକି ବିଶ୍ବକପ୍ ଶାନ୍ତି ଶୃଙ୍ଖଳାର ସହ ଆ‌ୟୋଜନ ହେବା ବେଳେ ସେ ଗୃହ ବିଭାଗର ଦାୟିତ୍ବରେ ରହି ଆଇନ ଶୃଙ୍ଖଳା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏମିତିରେ ଅବସର ପରେ ଜଣେ ମୁଖ୍ୟ ଶାସନ ସଚିବଙ୍କୁ ବର୍ଷକୁ ମାତ୍ର ୧୦୦ କୋଟିର ବଜେଟ ଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଗଲେ ଆଦୋୖ ଉତ୍ସାହିତ ହେବାର କାରଣ ନଥା’ନ୍ତା। ତେବେ ଶ୍ରୀ ତ୍ରିପାଠୀଙ୍କ ଭଳି ଜଣେ ଦକ୍ଷ ପ୍ରଶାସକଙ୍କୁ ଦାୟିତ୍ବ ଦେଇ ସରକାର ଏହି ରାଶିକୁ ଅନ୍ୟୁନ ଏକ ହଜାର କୋଟିକୁ ବୃଦ୍ଧି କରିବେ ବୋଲି ସୂଚନା ମିଳୁଛି। ସେହିପରି ଆଞ୍ଚଳିକ ବିକାଶ, କୃଷି, ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିବା ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର ଭିତ୍ତିଭୂମିର ବିକାଶ ସମ୍ଭାବନା ପୂର୍ବାପେକ୍ଷା ଉଜ୍ଜଳ ହୋଇଛି। ଶୁକ୍ରବାର ଶ୍ରୀ ତ୍ରିପାଠୀଙ୍କ ନିଯୁକ୍ତି ଘୋଷଣା ପରଠାରୁ ଗଣମାଧ୍ୟମ ବିଶେଷ କରି ସାମାଜିକ ଗଣମାଧ୍ୟମଗୁଡ଼ିକ ବିଭିନ୍ନ ପ୍ରକାର ଆଲୋଚନାରେ ମୁଖରିତ ହୋଇଉଠିଛନ୍ତି। ତେବେ ତାଙ୍କ ନିଯୁକ୍ତି ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଏକ ଭଲ ପଦକ୍ଷେପ ନା ଅଞ୍ଚଳବାସୀଙ୍କ ପାଇଁ କେବଳ ଏକ ଲଲିପପ୍ ତାହା ସମୟ କହିବ।

ସମ୍ବନ୍ଧିତ ଖବର