ଅତୀତର ଦୁର୍ଦ୍ଦାନ୍ତ ମାଓନେତା ସୁକଦେବ ଏବେ ଆଗଧାଡିର ଚାଷୀ, କହିଲେ- ହିଂସା ଦ୍ବାରା ବିକାଶ ସମ୍ଭବ ନୁହେଁ

ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ଦୁର୍ଦାନ୍ତ ମାଓ ନେତା ସୁକଦେବ ଏବେ ଜଣେ ଆଗଧାଡିର ଚାଷୀ ଭାବେ ପରିଲକ୍ଷିତ ହୋଇପାରିଛନ୍ତି।ଜୀବନର ପ୍ରାୟ ୧୫ ବର୍ଷ ଜଂଗଲରେ ରହି ହିଂସାକୁ ଆପଣେଇଥିବା ଦୁର୍ଦାନ୍ତ ମାଓବାଦୀ ଆଜି ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜ ଜୀବନକୁ ଉପଭୋଗ କରୁଛନ୍ତି। ଜଣେ ଚାଷୀ ପରିବାରର ପିଲା ହୋଇଥିବାରୁ ସେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ନିଜର ପାରଂପାରିକ ବୃତ୍ତିକୁ ପୁଣି ଫେରି ପାଇଛନ୍ତି। ୨୦୦୨ ମସିହାରେ ମାଓନେତାଙ୍କ ମିଥ୍ୟା ପ୍ରତିଶ୍ରୁତିରେ ସେ ପଥଭ୍ରଷ୍ଟ ହୋଇ ଜୀବନର ଦୀର୍ଘ ସମୟ ଜଂଗଲରେ କାଟିଛନ୍ତି।ପ୍ରତ୍ୟେକ ମୁହର୍ତ୍ତରେ ମୃତ୍ୟୁର ଭୟ ରହିଥିଲେ ମଧ୍ୟ ସେ ପ୍ରତିଦିନ ମରି ମରି ବଞ୍ଚୁଥିଲେ। କୌଣସି ମୁହର୍ତ୍ତରେ ପୁଲିସର ଗୁଳି ତାଂକର ଛାତି ଚିରିଦେବାର ଭୟ ରହିଥିଲା।

ସଂଗଠନର ସମସ୍ତ ନିୟମ କାନୁନକୁ ମାନି ସୁକଦେବ ମାଲକାନଗିରି ଜିଲ୍ଲା ମାଓ ସଂଗଠନର ଡିସିଏମ ପଦବିରେ ପଦନ୍ନୋତି ପାରିଥିଲେ। ସରକାର ତାଂକୁ ଧରିବା ପାଇଁ ପ୍ରାୟ ୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ନିଜର ଜୀବନ ସାଥୀଙ୍କୁ ମଧ୍ୟ ସେ ଜଂଗଲରେ ହିଁ ପାଇଥିଲେ। ମାଓନେତ୍ରୀ ରୁକ୍ମଣୀକୁ ବାହା ହେବା ପରେ ତାଂକର ଜୀବନରେ କିଛି ପରିବର୍ତ୍ତିନ ଆସିଥିଲା। ଧିରେ ଧିରେ ସେ ହିଂସା ଛାଡି ପାରିବାରିକ ବନ୍ଧନରେ ବାନ୍ଧି ହେବାକୁ ପସନ୍ଦ କଲେ। ଶେଷରେ ଦୁହେଁ ପତିପତ୍ନୀ ମାଓ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ଜୀବନ ବେଶ ଖୁସିରେ କଟାଉଛନ୍ତି। ସରକାରଙ୍କ ତରଫରୁ ମିଳିଥିବା ସାହାଯ୍ୟକୁ ସେମାନେ ନିଜର ଚାଷରେ ବିନିଯୋଗ କରୁଛନ୍ତି।ନିଜର ସ୍ବଳ୍ପ ଜମି ପରେ ମାଲକାନଗିରି ଅଂଚଳର କିଛି ଚାଷୀଙ୍କ ଜମି ଏବଂ କାଲିମେଳା ଅଂଚଳର କିଛି ଜମିରେ ସେ ଏବେ ଚାଷ କରୁଛନ୍ତି। ଜଣେ ସଫଳ ଚାଷୀ ହେବା ଦ୍ବାରା ସେ କାଲିମେଳା ଲ୍ୟାମ୍ପସର ସଭାପତି ପଦବିରେ ଅଳଙ୍କୃତ ହୋଇପାରିଛନ୍ତି। ଏହି ପଦବିରେ ରହି ଚାଷୀଙ୍କ ହିତ କଥା ଚିନ୍ତା କରିବେ ବୋଲି କହିଥିଲେ। ଚାଷ କରି ସେ ବେଶ ଦିପଇସା ରୋଜଗାର କରୁଥିବା କହନ୍ତି।

ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ବିଲରେ ନିଜର ପତ୍ନୀ ଏବଂ କିଛି ମହିଳାମାନଙ୍କୁ ନେଇ ବିଲରେ ଧାନ ରୁଆ କରୁଥିବା ଦେଖିବାକୁ ମିଳିଥିଲା। ହିଂସା ଦ୍ବାରା କେବେ ମଧ୍ୟ ବିକାଶ ସମ୍ଭବ ନୁହେଁ ବୋଲି ସୁକଦେବ କହନ୍ତି। ବନ୍ଧୁକ ମୁନରେ କେବେ ମଧ୍ୟ କୌଣସି ଲୋକଙ୍କ ଠାରୁ ପ୍ରେମ ପାଇବା ମଧ୍ୟ ସମ୍ଭବ ନୁହେଁ। ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ମାଓବାଦୀ ଭାଇ ଓ ଭଉଣୀଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ ହିଂସା ଛାଡି ଭାଇ ନିଜ ଭଉଣୀ ପାଖକୁ ଏବଂ ଭଉଣୀ ନିଜ ଭାଇ ପାଖକୁ ଫେରି ଆସନ୍ତୁ। ଆଜିର ଦିନରେ ମାଓ ସଂଗଠନରେ ଜଡିତ ଥିବା ବହୁ ଭାଇ ଓ ଭଉଣୀ ନିଜ ଭାଇ ଓ ଭଉଣୀମାନଙ୍କୁ ମନେ ପକାନ୍ତି। ସମସ୍ତେ ଘରେ ଥିବା ସମୟରେ କିପରି ରାକ୍ଷୀ ବନ୍ଧନକୁ ଉପଭୋକ କରନ୍ତି ସେସବୁ ଜଂଗଲରେ ବଖାଣନ୍ତି। ମୁଁ ଆଜି ବେଶ ଖୁସି ଅନୁଭବ କରୁଛି।

 

ସମ୍ବନ୍ଧିତ ଖବର