ନାରୀ ସଶକ୍ତୀକରଣ ବିନା ବିକାଶ ଅସମ୍ଭବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନାରୀ ହେଉଛନ୍ତି ଶକ୍ତିର ପ୍ରତୀକ। ନାରୀ ଚାହିଁଲେ ସମାଜରେ ପରିବର୍ତନ ସମ୍ଭବ। ମହିଳା ସଶକ୍ତୀକରଣ ବିନା ବିକାଶ ଅସମ୍ଭବ। ରାଜ୍ୟ ସରକାର ମହିଳାଙ୍କ ବିକାଶ ଦିଗରେ ଯଥେଷ୍ଟ ଗୁରୁତ୍ବ ଦେଇ ଆସୁଛନ୍ତି। ବାଳିକା/ଯୁବତୀମାନେ କିଭଳି ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ ଓ ସଶକ୍ତ ହୋଇପାରିବେ ତାହାକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ପଞ୍ଚାୟତସ୍ତରରୁ ବିଧାନସଭା ଓ ସଂସଦ ପର୍ଯ୍ୟନ୍ତ ନିଷ୍ପତ୍ତି ପ୍ରକ୍ରିୟାରେ ମହିଳ‌ାମାନଙ୍କ ଅଂଶଗ୍ରହଣ ଅଧିକରୁ ଅଧିକ ହୋଇପାରିବ ତାହା ସରକାରଙ୍କ ଫୋକସରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଟାଇମ୍‌ସ ଗ୍ରୁପ୍‌ ପକ୍ଷରୁ ‘ଟାଇମ୍‌ସ ପାୱାର ଓମେନ୍’ର ପ୍ରଥମ ସଂସ୍କାରଣରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଗତ ୨୦୧୯ ନିର୍ବାଚନରେ ଦେଶରେ ପ୍ରଥମ ଦଳଭାବେ ବିଜେଡି ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖିଥିଲା। ମିସନ ଶକ୍ତି ବଳରେ ୭୦ଲକ୍ଷ ମହିଳା ସଶକ୍ତ ହୋଇପାରିଛନ୍ତି। ସାଧାରଣ ମହିଳା ସେମାନଙ୍କ ଜୀବନ ଧାରଣ ମାନରେ ପରିବର୍ତନ ଆଣିପାରିଛନ୍ତି। ମିସନ ଶକ୍ତିକୁ ବାଦ୍ ଦେଲେ ‘ମମତା’ ଯୋଜନାରେ ଗର୍ଭବତୀ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହାସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ଲକ୍ଷ ଟଙ୍କାର ସହାୟତା ଓ ଝିଅଙ୍କୁ ଗୁଣାତ୍ମକ ଶିକ୍ଷା ପାଇଁ ‘ସୁଦକ୍ଷା’ କାର୍ଯ୍ୟକାରୀ ହୋଇଛି। ରାଜ୍ୟରେ ଦେଶର ସର୍ବାଧିକ ସଂଖ୍ୟକ ବାଳିକା ହଷ୍ଟେଲ ରହିଛି। ଏପରିକି ମହିଳାଙ୍କ ନାଁରେ ଜମିର କାଗଜପତ୍ର ମଧ୍ୟ ଜାରି କରାଯାଉଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟାଇମ୍‌ସ ପାୱାର ଓମେନ୍ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମିସନ ଶକ୍ତି କିଭଳି ଲକ୍ଷାଧିକ ମହିଳାଙ୍କ ଜୀବନରେ ପରିବର୍ତନ ଆଣିପାରଛି ତାହା ସଂପର୍କରେ ସୂଚନା ଦେଇଛନ୍ତି। ରାଜ୍ୟର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି ବୋଲି ‌ଶ୍ରୀ ପାତ୍ର ମତ ଦେଇଥିଲେ।

ସମ୍ବନ୍ଧିତ ଖବର