ରାଜ୍ୟ‌ରେ ଆୟୁଷର ବିକାଶ ଅଧପନ୍ତରିଆ, ଆରମ୍ଭ ହୋଇପାରନି ପାର୍କରେ ଯୋଗ ଶିକ୍ଷା

ନେଚରପ୍ୟାଥି ହସ୍ପିଟାଲ କାର୍ଯ୍ୟ ବି ଆଗେଇ ପାରିନି

ଭୁବନେଶ୍ବର : ରାଜ୍ୟରେ ଆୟୁଷର ବିକାଶ ଅଧପନ୍ତରିଆ ହୋଇ ରହିଛି। ହସ୍ପିଟାଲ କାର୍ଯ୍ୟ ଆଗେଇ ପାରୁନି କି ଯୋଗକୁ ଲୋକପ୍ରିୟ କରିବା ଲାଗି ପାର୍କରେ ଯୋଗ ଶିକ୍ଷା ଆରମ୍ଭ ହୋଇପାରୁନାହିଁ। ବର୍ଷ ବର୍ଷ ଧରି କେବଳ ଯୋଜନାରେ ସୀମିତ ରହିଛି ଏସବୁ କାର୍ଯ୍ୟ। ଯଦିବା କେଉଁ ଜାଗାରେ କାମ କିଛିଟା ଆଗେଇଛି, ମାତ୍ର ଦୁଇବର୍ଷ ଧରି କୋଭିଡ୍‌ର ଲହର ଏସବୁରେ ବାଧକ ସାଜିଛି।

ରାଜଧାନୀରେ ଶହେ ଶଯ୍ୟା ବିଶିଷ୍ଟ ନେଚରପ୍ୟାଥି ହସ୍ପିଟାଲ ନେଇ ଦୀର୍ଘ ବର୍ଷ ତଳୁ ନିଷ୍ପତ୍ତି ହୋଇଥିଲା। ରାଜଧାନୀ ଉପକଣ୍ଠ ବିନ୍ଧ୍ୟଗିରିରେ ଏଥିପାଇଁ ଜାଗା ଚିହ୍ନଟ ହେବା ପରେ ବାଉଣ୍ଡାରି କାମ ଆରମ୍ଭ ହୋଇଥିଲା। ତେବେ ଗ୍ରାମ୍ୟ ଜଙ୍ଗଲରେ ହସ୍ପିଟାଲ ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ କାମ ଅଟକି ଯାଇଥିଲା। ପରେ ଜାମୁକୋଳି ନିକଟରେ ରାଜ୍ୟ ସରକାର ଏକ ଜାଗା ଚିହ୍ନଟ କରିଥିଲେ। ମାତ୍ର କେନ୍ଦ୍ର ସରକାର ପୂର୍ବ ସ୍ଥାନରେ ହିଁ ହସ୍ପିଟାଲ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିବା ପରେ ରାଜ୍ୟ ସରକାର ଏବେ ପୂର୍ବ ସ୍ଥାନରେ ହସ୍ପିଟାଲ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। କିଛି ମାସ ତଳେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା। ମାତ୍ର କେବେ ସୁଦ୍ଧା ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହେବ ତାହାର କିଛି ସ୍ପଷ୍ଟତା ନାହିଁ।

ସେହିପରି ଯୋଗକୁ ଲୋକଙ୍କ ମଧ୍ୟରେ ଲୋକପ୍ରିୟ କରିବା ଲାଗି ପାର୍କରେ ଯୋଗ ଶିକ୍ଷା ଦେବା ଲାଗି ରାଜ୍ୟ ଆୟୁଷ ନିର୍ଦେଶାଳୟ ନିଷ୍ପତ୍ତି ନେଇଥିଲା। ହେଲେ ଆବଶ୍ୟକ ସଂଖ୍ୟକ ଯୋଗ ଇନଷ୍ଟ୍ରକ୍ଟର୍‌ ଓ ଡେମନଷ୍ଟ୍ରେଟର୍‌ ନ ମିଳିବାରୁ ଏହି ନିଷ୍ପତ୍ତି ଘୁଞ୍ଚିଥିଲା। ୧୭ଟି ସ୍ଥାନରେ ଯୋଗ ଓ ‌ୱେଲନେସ୍ ସେଣ୍ଟର ପାଇଁ ନିଷ୍ପତ୍ତି ହୋଇଛି। ଗୋଟିଏ ଲେଖାଏଁ କେନ୍ଦ୍ରରେ ଜଣେ ଲେଖାଏଁ ଯୋଗ ଇନଷ୍ଟ୍ରକ୍ଟର୍‌ ଓ ଡେମନଷ୍ଟ୍ରେଟର୍‌ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଛି। କିଛି କଲେଜରେ ଆରମ୍ଭ ହୋଇଥିବା କୁହାଯାଇଛି। ତଥାପି ରାଜ୍ୟବ୍ୟାପୀ ଏହି କାର୍ଯ୍ୟ ଏବେ ବି ଅଧପନ୍ତରିଆ ହୋଇ ରହିଛି।

ଏହାଛଡ଼ା ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୧୦୦ଟି ଯୋଗ ହେଲ୍‌ଥ ୱେଲନେସ୍‌ କେନ୍ଦ୍ର ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆବଶ୍ୟକ ଯୋଗ ହଲ୍‌ ନିର୍ମାଣ କାର୍ଯ୍ୟ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ଯଦିଓ କିଛି ସ୍ଥାନରେ ଏହି ହଲ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, ତଥାପି ଅନେକ ସ୍ଥାନରେ ଏହା ବାକି ଅଛି। କୋଭିଡ୍‌ ପାଇଁ ହଲ୍‌ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ‌ହୋଇଥିବା କୁହାଯାଉଛି। ସଂକ୍ରମଣ କମିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି।

ଅପରପକ୍ଷରେ ତୃଣମୂଳସ୍ତରରେ ଆୟୁଷର ଲୋକପ୍ରିୟତା ବଢ଼ାଇବା ପାଇଁ ଆୟୁଷ ଗ୍ରାମ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୫/୧୬ରେ ୩ଟି ଓ ପରବର୍ତ୍ତୀ ସମୟରେ ସମୁଦାୟ ୧୭ଟି ଆୟୁଷ ଗ୍ରାମ ନିର୍ଦ୍ଦେଶାଳୟ ତାଲିକାରେ ରହିଥିଲା। ଏଥିରେ ମଧ୍ୟ ବିଶେଷ ଅଗ୍ରଗତି ହୋଇନାହିଁ। ତେଣୁ ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପାଣ୍ଠି ପାଇଁ ନିବେଦନ କରାଯାଇନାହିଁ।

ସମ୍ବନ୍ଧିତ ଖବର