ଭୁବନେଶ୍ବର: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ସମାରୋହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଥିଲେ, ଜନଜାତି ସମ୍ପ୍ରଦାୟର ବିକାଶ ବିନା ଓଡ଼ିଶାର ବିକାଶ ସମ୍ଭବ ନୁହେଁ। ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ। ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା। ଜଙ୍ଗଲ ଜମି ଅଧିକାର ହେଉ ବା ଶିକ୍ଷାର ପ୍ରସାର କିମ୍ବା ସାନ୍ତାଳି ଭାଷାକୁ ସମ୍ୱିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଏସବୁ କାମ ବିଜେଡି ସରକାର ସମୟରେ ହିଁ ହୋଇଛି।
ସେ ଆହୁରି କହିଥିଲେ ଯେ ବିଜେଡି ସରକାର ୧୬୯ ଗୋଷ୍ଠୀକୁ ଜନଜାତି ସମ୍ପ୍ରଦାୟର ମାନ୍ୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଲଗାତାର ଦାବି କରି ଆସୁଛି। ଏହାସହ କିଛି ଜନଜାତି ଭାଷାକୁ ସମ୍ୱିଧାନର ୮ମ ଅନୁଛେଦରେ ସାମିଲ କରିବା ପାଇଁ ମଧ୍ୟ ବିଜେଡି ଦାବି କରିଛି। ତେଣୁ ଉଭୟ ଦାବିକୁ କେନ୍ଦ୍ର ସରକାର ତୁରନ୍ତ ମାନିନେବା ଉଚିତ। ଆଦିବାସୀ ଭାଇଭଉଣୀଙ୍କ ବିକାଶ ଓ ସ୍ୱତନ୍ତ୍ର ପରିଚୟର ସୁରକ୍ଷା ପାଇଁ ବିଜେଡି ତା’ର ଉଦ୍ୟମ ଜାରି ରଖିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ଓ ଗଣମାଧ୍ୟମ ସଂଯୋଜକ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଦେଇଥିଲେ।
ପ୍ରାରମ୍ଭରେ ଭିନ୍ନଭିନ୍ନ ଗ୍ରୁପ ଆଦିବାସୀ ନୃତ୍ୟର ତାଳେ ତାଳେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ହଜାରରୁ ଅଧିକ ଜନଜାତି ସମ୍ପ୍ରଦାୟର ଲୋକମାନେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବୀ ପ୍ରସାଦ ମିଶ୍ର, ସନ୍ତୃପ୍ତ ମିଶ୍ର, ସୁଦାମ ମାରାଣ୍ଡି, ଜଗନ୍ନାଥ ସାରକା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଅଶୋକ ପଣ୍ଡା, ସୁଲୋଚନା ଦାସ, ମଞ୍ଜୁଲତା କହଁର, ସାନନ୍ଦ ମାରାଣ୍ଡି, ଦେବାଶିଷ ମାରାଣ୍ଡି, ବାସନ୍ତୀ ହେମ୍ବ୍ରମ, ମାଧବ ସର୍ଦ୍ଦାର, ଜିନ ହିକକା, ଚକ୍ରମଣି କହଁର, ଲେନିନ ମହାନ୍ତି, ପ୍ରିୟବ୍ରତ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର, ତୁମ୍ବନାଥ ପଣ୍ଡା, ମିହିର ରାୟ, କାଶୀନାଥ ହେମ୍ବ୍ରମ, ମନୋଜ ସାହୁ, ମିହିର ରାଉତ, ଅବଦତ୍ତ ସ୍ୱାଇଁ, ସବ୍ୟସାଚୀ ସାହୁ, ଶେଖ୍ ନୁର୍ହସନ, ପୂଜା ବେହେରା, ପ୍ରେମାନନ୍ଦ ଜେନା, ଅଚ୍ୟୁତାନନ୍ଦ ସ୍ୱାଇଁ, ମିନୁଶ୍ରୀ ଖୁଣ୍ଟିଆ, ବାସନ୍ତୀ ସିଂହ, ସାଲଖାନ ମୁର୍ମୁ, ଖୋଲାନ ମାଝୀ, ହେମନ୍ତ ପରିଡ଼ା, ଦେବରାଜ ଭୋଇ, ସୁବାସ ପାତ୍ର, କାରୁ ମୁର୍ମୁ, ବିଦୁରାଜ ସୋରେନ, କରୁଣାକର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।