ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ଗୁରୁତ୍ବ ଦେଉଛନ୍ତି: ମୁଖ୍ୟମନ୍ତ୍ରୀ

ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି, ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ: ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌରପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି। ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି । ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ । କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “କରୋନା ମହାମାରୀ ସହ ଆପଣମାନେ ଯେପରି ଲଢିଲେ, ଗଞ୍ଜାମ ଯେପରି ଲଢିଲା, ତାହା ସାରା ବିଶ୍ବ ଦେଖିଛି । ଆପଣମାନଙ୍କ ସହଯୋଗରେ ଆଜି କରୋନାକୁ ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇଛୁ। ଏ ଦିଗରେ ଗଞ୍ଜାମର ସଫଳତା ସାରା ବିଶ୍ବର ପ୍ରଶଂସା ପାଇଥିଲା । ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଆମର ପଞ୍ଚାୟତ ପ୍ରତିନିଧି ମାନଙ୍କୁ, ମିଶନ ଶକ୍ତିର ମା ମାନଙ୍କୁ ଓ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଉଛି। ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିପଦ ପୁରା ଦୂର ହୋଇନାହିଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ ।”

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ହିଞ୍ଜିଳିର ଜନସାଧାରଣଙ୍କ ସୁଖଦୁଃଖ, ସବୁଥିରେ ସେ ସେମାନଙ୍କ ସହିତ ରହିଛନ୍ତି ଓ ରହିଥିବେ । ସାରା ଓଡିଶା ସହିତ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅଞ୍ଚଳର ବିକାଶ ଉପରେ ସେ ନଜର ରଖିଛନ୍ତି ବୋଲି କହିଥିଲେ । ହିଞ୍ଜିଳି ସହରର ବିକାଶ ପାଇଁ ୨୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଧୁନିକ ସହର ମାନଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇପାରିବେ, ସେଥିପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ହିଞ୍ଜିଳିର ନୂତନ ପ୍ରକଳ୍ପ ଗୁଡିକ ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ପ୍ରମିଳା ବିଷୋଇ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ୍, ଗଞ୍ଜାମ ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର