‘ଦେଶକୁ ଶକ୍ତିଶାଳୀ କରିବା ପାଇଁ ବୈଷୟିକ ଶିକ୍ଷାର ବିକାଶ ଜରୁରୀ’

ବାଲେଶ୍ବରରେ ସେଣ୍ଟ୍ରାଲ ଟୁଲରୁମ୍‌ ଟ୍ରେନିଂ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ବର: କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ସ୍ବପ୍ନ ସାକାର କରିବାକୁ ହେଲେ ଆମକୁ ନୂତନ ଟେକ୍ନୋଲୋଜି ସହିତ ଆଗକୁ ବଢ଼ିବାକୁ ପଡ଼ିବ। ଆଧୁନିକ ଜ୍ଞାନ କୌଶଳକୁ ଆଧାର କରି ନିଜକୁ ସୁଦୃଢ଼ କରିବାକୁ ପଡ଼ିବ। ବର୍ତ୍ତମାନ ଆମ ଦେଶ ପ୍ରତିଟି କ୍ଷେତ୍ରରେ କିପରି ଶକ୍ତିଶାଳୀ ହୋଇ ସମଗ୍ର ବିଶ୍ବରେ ବିଶ୍ବଗୁରୁ ବନିପାରିବ ତାହା ଉପରେ ପ୍ରାଧାନ୍ୟ ଦିଆଯାଉଛି।

ସେଥିଲାଗି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ଆବଶ୍ୟକ ପରାଶର୍ମ ଓ ଟେକ୍ନୋକ୍ରାଟ୍‌ସ ଯୋଗାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ସେଣ୍ଟ୍ରାଲ ଟୁଲରୁମ୍‌ ଟ୍ରେନିଂ ସେଣ୍ଟର(ସିଟିଟିସି) ପ୍ରତିଷ୍ଠା କରାଯାଉଛି ବୋଲି ଆଜି ବାଲେଶ୍ବର ସହରସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ରାଜ୍ୟର ଦ୍ବିତୀୟ ସିଟିଟିସି ସମ୍ପ୍ରସାରଣ କେନ୍ଦ୍ରର ଶିଳାନ୍ୟାସ କରି ଏହା କହିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ।

ସାଂସଦ ଶ୍ରୀ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ସାରା ଭାରତରେ ମୋଟ ୧୮ଟି ସିଟିଟିସି ରହିଛି। ତନ୍ମଧ୍ୟରେ ଭୁବନେଶ୍ବରରେ ଏକ କେନ୍ଦ୍ର ଅଛି। ଭୁବନେଶ୍ବର କେନ୍ଦ୍ର ଅଧୀନରେ ଏବେ ରାଜ୍ୟରେ ଆଉ ୪ଟି ସିଟିଟିସି ସମ୍ପ୍ରସାରଣ କେନ୍ଦ୍ର ଖୋଲାଯାଉଛି। ନିକଟରେ ବ୍ରହ୍ମପୁରରେ ଏହି ବୈଷୟିକ ଶିକ୍ଷାନୁଷ୍ଠାନର ଲୋକାର୍ପଣ ସରିସାରିଥିବା ବେଳେ ଆଜି ଦ୍ବିତୀୟ ସମ୍ପ୍ରସାରଣ କେନ୍ଦ୍ର ଭା‌ବେ ବାଲେଶ୍ବର ସିଟିଟିସିର ଶିଳାନ୍ୟାସ କରାଗଲା। ୨୦ କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ କରାଯିବା ସହିତ ୭/୮ ମାସ ଭିତରେ କାମ ସରିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ମାନୀତ ଅତିଥି ଭାବେ ବାଲେଶ୍ବର ସଦର ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସିଟିଟିସି ସମ୍ପ୍ରସାରଣ କେନ୍ଦ୍ର ପାଇଁ ରାଜ୍ୟସରକାରଙ୍କ ତରଫରୁ ଆବଶ୍ୟକ ଯୋଗାଇ ଦିଆଯାଇଥିବା ବେଳେ ସମସ୍ତ ପ୍ରକାର ସହଯୋଗ କରାଯାଇଛି। ଏହି ବୈଷୟିକ ଶିକ୍ଷାକେନ୍ଦ୍ର ସ୍ଥାପନ ହେଲେ ବାଲେଶ୍ବର ସମେତ ଉତ୍ତର ଓଡ଼ିଶାର ହଜାରହଜାର ଯୁବକଯୁବତୀ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ସିଟିଟିସି ଭୁବନେଶ୍ବରର ଜେନେରାଲ ମ୍ୟାନେଜର ଏଲ୍‌ ରାଜଶେଖର, ମ୍ୟାନେଜର(ଏମ୍‌ ଆଣ୍ଡ୍‌ ସି) ଡ. ଏସକେ କର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେଲେ ଶିଳ୍ପର ବିକାଶ, ଇଞ୍ଜିନିୟରିଂ ଏବଂ ଡିଜାଇନିଂ, ମେସିନ୍ ମରାମତି, ନୂତନ ସରଞ୍ଜାମ ଓ ମେସିନ୍ ତିଆରି ନିମନ୍ତେ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇପାରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର