ହିଂସାରେ  ନୁହେଁ, ଶାନ୍ତିରେ ବିକାଶ ହୁଏ: ପୂର୍ବତନ ମାଓ ନେତା

ଜଂଗଲ ଭିତର ସଂଘର୍ଷର କାହାଣୀ ବଖାଣିଲେ ଘାସିରାମ

ରାୟଗଡ଼ା (ପ୍ରେମେନ୍ଦ୍ର ପରିଚ୍ଛା): ଏଭଳି ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ଯାହାର ନାମ ଶୁଣଲେ ରାୟଗଡ଼ା, ଗଜପତି ଏବଂ ଆନ୍ଧ୍ରପ୍ରଦେଶର ସୀମାନ୍ତ ଗ୍ରାମଗୁଡ଼ିକ ଭୟରେ ଆତଙ୍କିତ ହୋଇପଡୁଥିଲେ। ତାଂକର ସଂଗଠନରେ ବଂଶଧାରା ଡିଭିଜନ ଓ ଘୁମୁସରା ଡିଭିଜନ ତିଆରି ହୋଇଥିଲା। ତାଂକୁ ନେଇ ମାଓ ସଂଗଠନ ଆଗକୁ ବଢୁଥିଲା। କିନ୍ତୁ ହିଂସାରେ ବିକାଶ ସମ୍ଭବ ନୁହେଁ ବୋଲି ଜାଣିବା ପରେ ସେ ଆତ୍ମସମର୍ପଣ କରି ସମାଜସେବାରେ ନିଜକୁ ନିୟୋଜିତ କଲେ। ଶାନ୍ତିରେ ହିଁ ଗାଁ ଲୋକଙ୍କର ବିକାଶ ହୋଇପାରିବ ଜାଣିବା ପରେ ସେ ଏବେ ଲୋକଙ୍କ ପାଇଁ କାମ କରୁଛନ୍ତି। ସେ ହେଉଛନ୍ତି ବଂଶଧାରା ଡିଭିଜନର ମାଓ କମାଣ୍ଡର ଘାସିରାମ ମାଝି।
ଘାସିରାମ ପିଲାଟି ଦିନରୁ ଭଲ ପିଲା ସହ ଲୋକଙ୍କ ପାଇଁ କିଛି କରିବାର ସବୁବେଳେ ସ୍ବପ୍ନ ଦେଖୁଥିଲେ। ସେ ପଞ୍ଚମ ପଢୁଥିବା ବେଳେ ହିଁ ଗ୍ରାମର ବିକାଶ ନେଇ କାମ କରୁଥିଲେ। ଦଶମ ପଢ଼ିବା ପରେ ବହୁ କଷ୍ଟରେ ସେ ଯୁକ୍ତ ଦୁଇ ପାଠ ପଢ଼ିଥିଲେ। ପରେ ତାଂକୁ କିଛି ବ୍ୟକ୍ତି ଶିକ୍ଷକତା କରିବାକୁ ପରାମର୍ଶ ଦେଇଥିଲେ। ସେ ଶିକ୍ଷକତା କରୁଥିଲେ ମଧ୍ୟ କମ୍ୟୁନିଷ୍ଟ ଚିନ୍ତାଧାରା ଥିବାରୁ ସେ ପ୍ରଥମେ ଇଜିଏସ ଶିକ୍ଷକମାନଙ୍କ ପାଇଁ ଲଢ଼େଇ ଆରମ୍ଭ କଲେ। ପରେ ଜମି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏଥିରୁ ସେ ଧୀରେଧୀରେ ନକ୍ସଲ ବନିଗଲେ। ୧୯୯୯ରେ ସବ୍ୟସାଚୀ ପଣ୍ଡାଙ୍କ ନିକଟତର ହୋଇ ସେ ଜଂଗଲରେ ନିଜର ସଂଗଠନ ଆରମ୍ଭ କଲେ। ସେ ଜଣେ ଶିକ୍ଷିତ ଆଦିବାସୀ ନେତା ଥିବାରୁ ସଂଗଠନ ପକ୍ଷରୁ ବଂଶଧାରା ଡିଭିଜନ ଆରମ୍ଭ ହେଲା। ଘାସିରାମ ବିନିଲେ କମାଣ୍ଡର। ନୟାଗଡ ଅସ୍ତ୍ରାଗାର ଲୁଟ, ଜଜାତି ସାହୁ, ଲକ୍ଷ୍ମଣାନନ୍ଦ ହତ୍ୟା, ନାରାୟଣପାଟଣାରେ ହତ୍ୟାକାଣ୍ଡ ଭଳି ବଡ଼ିବଡ଼ ଘଟଣାରେ ସାମିଲ ଥିଲେ। ୨୦୦୨ରେ ଆନ୍ଧ୍ର ଓଡ଼ିଶା ସୀମାର ଜୋନାଲ କମିଟି ତିଆରି ହେବା ପରେ ସେଠାରେ ସେ ପୁଣି ଦାୟିତ୍ବ ନେଲେ।
ଜଂଜଲରେ ସେ ପ୍ରାୟ ୧୨ ବର୍ଷ ରହି ଲୋକଙ୍କ ପାଇଁ ଲଢେଇ କଲେ ସିନା। କେବେ ବି ସେ ସଫଳ ହେଲେ ନାହିଁ। ଏତେ ସବୁ ହତ୍ୟା ପଛରେ ରାଜନୈତିକ ଚାଲ ଥିଲା ବୋଲି ସେ କହନ୍ତି। ହତ୍ୟାକୁ ସେ ବିରୋଧ କରୁଥିଲେ। ମାଓ ସଂଗଠନର ନେତାମାନଙ୍କୁ ସମସ୍ତ ହତ୍ୟାର ସମୀକ୍ଷା କରି ଭୁଲ କରିଥିବା ଦର୍ଶାଇଥିଲେ। ଗୁଣ୍ଡାଗୁଡ଼ି ଜଂଗଲରେ ହତ୍ୟାର ସମୀକ୍ଷା କରିବା ବେଳେ ପୁଲିସ ଏନକାଉଣ୍ଟରରେ ବହୁ ସାଥୀଙ୍କର ମୃତ୍ୟୁ ହୋଇଥିଲା। ଘାସିରାମ ବଂଶାଧାରା, ଘୁମସରା ଡିଭିଜନରେ ରହି ଠିକ କାମ କରୁଥିଲେ।କିନ୍ତୁ ଆନ୍ଧ୍ର କ୍ୟାଡର ନକ୍ସଲଙ୍କର ଅନ୍ତର୍ଭୁକ୍ତ ପରେ ହତ୍ୟା ସଂଖ୍ୟା ବଢ଼ିଲା। ମିଥ୍ୟାରେ ଲୋକଙ୍କୁ ନିର୍ଯାତନା ଦିଆଗଲା, ମହିଳାଙ୍କୁ ଅତ୍ୟାଚାର ସହ ଧର୍ଷଣ କରାଗଲା। ଗ୍ରାମବାସୀଙ୍କୁ ହତ୍ୟା କରାଗଲା। ପୁଲିସ ସହ କଥା ହେଲେ ହତ୍ୟା କରାଗଲା। ଏହି ଘଟଣା ପରେ ସେ ବ୍ୟତିବ୍ୟସ୍ତ ହୋଇ ନିଜେ ଦୂରେଇ ଯିବେ ବୋଲି ଚିନ୍ତା କରିଥିଲେ।୨୦୦୯ରେ ଆତ୍ମସମର୍ପଣ କରି ନିଜକୁ ସମାଜସେବାରେ ନିୟୋଜିତ କଲେ। ସେ ପ୍ରାୟ ୧୦୦ ମିଲିସିଆ ଏବଂ ଆଗଧାଡିର ନକ୍ସଲଙ୍କୁ ମୁଖଅୟସ୍ରୋତରେ ସାମିଲ କରିବା ସହ ୮ ଜଣ କ୍ୟାଡର ନକ୍ସଲମାନଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ କରାଇଲେ।ପରେ ରାଜନୈତିକ ଜୀବନ ଆରମ୍ଭ କରି ଲୋକଙ୍କ ପାଇଁ କାମ କରି ବିକାଶ ଧାରାକୁ ଆଗେଇ ନେଲେ।
ସେ ଆତ୍ମସମର୍ପଣ ପରେ ତାଂକ ଭାଇ ପ୍ରଦୀପକୁ ମଧ୍ୟ ଆତ୍ମସମର୍ପଣ ପାଇଁ ସମସ୍ତ ପ୍ରସ୍ତୁତ ସରିଥିବା ବେଳେ ସେ ପୁଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲା। ଆଜି ପର୍ଯ୍ୟନ୍ତ ସେହି ଦୁଃଖ ମନରେ ରହିଛି ବୋଲି ଘାସିରାମ କହନ୍ତି। ତେବେ ଶିକ୍ଷା ହିଁ ଲୋକଙ୍କ ଭବିଷ୍ୟତ ଗଢ଼େ। ଲୋକେ ନକ୍ସଲ ମୁହାଁ ଛାଡ଼ିବା ପଛରେ ଶିକ୍ଷା ରହିଛି। କିସ ଯେତେବେଳେ ଆଦିବାସୀ ପିଲାଙ୍କୁ ମାଗଣାରେ ପ୍ରଥମରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ଦେଲା, ସେହି ଦିନ ଠାରୁ ରାୟଗଡ଼ା ଅଂଚଳରୁ ଜଣେ ଲୋକ ନକ୍ସଲ ସଂଗଠନରେ ସାମିଲ ହେଲେ ନାହିଁ। ଘାସିରାମ ସଂଗଠନ ଛାଡିବା ପରେ ବଂଶଧାରା ଏବଂ ଘୁମସରା ଡିଭିଜନ ସଂପୂର୍ଣ୍ଣ ଭୁଷୁଡ଼ି ଯାଇଥିଲା। ଏବେ ରାୟଗଡ଼ା ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିୟମଗିରି ଅଂଚଳରେ କିଛି ମିଲିସିଆ ରହି ଲୋକଙ୍କୁ ଭୟଭୀତ କରାଉଥିବା ଜଣାପଡ଼ିଛି। ଏବେ ସରକାରଙ୍କୁ ସେ ନିବେଦନ କରିଛନ୍ତି ଯେ ଆତ୍ମସମର୍ପଣ କରିଥବା ନକ୍ସଲମାନଙ୍କ ପାଇଁ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରନ୍ତୁ।
ସମ୍ବନ୍ଧିତ ଖବର